ଗୁଣି ସନ୍ଦେହ: ମହିଳାଙ୍କୁ ମାଡ଼ମାରି ଅଖାଦ୍ୟ ଖୁଆଇଲେ
ଢେଙ୍କିକୋଟ(ଜୁଗାବ୍ଦ ନ୍ୟୁଜ୍): ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳବେଡା ପଞ୍ଚାୟତ ଆମ୍ବୁଆପଡା ଗ୍ରାମରେ ଗତ ବୁଧବାର ଅପରାହ୍ନରେ ଜଣେ ଆଦିବାସୀ ବିଧବା ମହିଳାଙ୍କୁ ଗୁଣିଗାରେଡି ସନ୍ଦେହରେ ଗାଁ ଦାଣ୍ଡରେ ଉଲ୍ଲଗ୍ନ କରି ମାଡ ମାରିବା ସହ ଅଖାଦ୍ୟ ଖୁଆଇବା ଘଟଣା ଜଣାପଡିଛି । ତେବେ ଏହି ଘଟଣାରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ସେହି ଗ୍ରାମର ରମେଶ ମୁଣ୍ଡା ଓ ତାଙ୍କ ପତ୍ନୀ ଗଦାଲି ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୁହାଯାଇଛି । ଖବରରୁ ଜଣାପଡିଛି ଯେ, ଆମ୍ବୁଆପଡା ଗ୍ରାମର ମୁଣ୍ଡା ସାହିର ରମେଶ ମୁଣ୍ଡାଙ୍କ ଗୋଟିଏ ବୋଲି ଶିଶୁର ଅକାଳ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ୬ ମାସହେଲା ସବୁ ସମୟରେ ଶିଶୁଟି କାନ୍ଦୁଥିବାରୁ ରମେଶ ଓ ତାଙ୍କ ପତ୍ନୀ ଗଦାଲି ମୁଣ୍ଡା ଗ୍ରାମର ସ୍ୱର୍ଗତ ତୁମ୍ବା ମୁଣ୍ଡାଙ୍କ ପତ୍ନୀ ସୂର୍ଯ୍ୟ ମୁଣ୍ଡା ଗୁଣିଗାରେଡି କରୁଥିବାରୁ ଏପରି ଘଟଣା ଘଟୁଥିବା ସନ୍ଦେହ କରି ଗତ ବୁଧବାର ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ଜଣାପଡିଛି । ସୂର୍ଯ୍ୟ ମୁଣ୍ଡାଙ୍କ ଛାତି, ଯୌନାଙ୍ଗକୁ ବିଧା ଗୋଇଠା ମାଡ କାରଣରୁ ସେ ଗୁରୁତର ହୋଇ ଘଟଗାଁ ଡାକ୍ତରଖାନାରେ ଚକିତ୍ସାଧିନ ଅଛନ୍ତି । ଏନେଇ ଫାଣ୍ଡିରେ ଅଭିଯୋଗ ହେବା ପରେ ଫାଣ୍ଡି ଏଏସ୍ଆଇ ଘଟଣାର ତଦନ୍ତ କରିବା ଅଭିଯୁକ୍ତଙ୍କ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।