ଗଳଦାରୀ ଗ୍ରାମର ବିକାଶ ପାଇଁ ତହସିଲଦାର ଓ ବିଡ଼ିଓଙ୍କୁ ଦାବିପତ୍ର

ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଦାରୀ ଗ୍ରାମର ସାମଗ୍ରିକ ବିକାଶ ଓ ଦୀର୍ଘଦିନର ମୌଳିକ ସମସ୍ୟାର ସମାଧାନ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ବୁଧବାର ନାଉଗାଁ ତହସିଲଦାର ଓ ବିଡ଼ିଓଙ୍କୁ ଏକ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦେବୀ ପ୍ରସାଦ ନାୟକ , ଗିରିଜା ପ୍ରସାଦ ନାୟକ , ନିଖିଲ ରଞ୍ଜନ ତାରେଣିଆନ, ସ୍ଵାତି ପ୍ରସାଦ ନାୟକ , ସଂଜିତ ବାରିକ , ଜୀବନ ଜ୍ୟୋତି ନାୟକ , ସୁନିତ କୁମାର ରାଉତ , ସନ୍ଦୀପ ମଲ୍ଲିକ , ପ୍ରିତମ ଦାସ , ରାକେଶ ବିଶ୍ୱାଳ , ମନୋଜ ମୁଦୁଲି , ସୁନାକର  ଦାସ  , ସୁମନ ନାୟକ , ଶୁଭଙ୍କର ମଲ୍ଲିକ, ସୁପ୍ରଭାତ ମଲ୍ଲିକ , ସୁକାନ୍ତ ଦାସ ,ତ୍ରିଲୋଚନ ବାରିକ  ପ୍ରମୁଖ ଦାବୀ ଜଣାଇଛନ୍ତି  | ଗ୍ରାମରେ ଏକ ଖେଳପଡ଼ିଆ ନିର୍ମାଣ ପାଇଁ ସରକାରୀ ଜମି ଯୋଗାଇଦେବା ଏବଂ ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକ ସରକାରୀ ଜମି ଚିହ୍ନଟ କରିବାକୁ ତହସିଲଦାରଙ୍କ ନିକଟରେ ଦାବି ଜଣାଇଛନ୍ତି ଗ୍ରାମବାସୀ। ସେହିପରି ବିଡ଼ିଓଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଖେଳପଡ଼ିଆ ନିର୍ମାଣ, ଭୋଇ ସାହିକୁ ରାସ୍ତା ସଂଯୋଗ, ଗ୍ରାମ ମନ୍ଦିରର ମରାମତି ଓ ରଙ୍ଗକାମ, ଗ୍ରାମର ପ୍ରବେଶପଥରେ ସୁନ୍ଦର ତୋରଣ ନିର୍ମାଣ, ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ, ପାନୀୟ ଜଳ ଯୋଗାଣ ଏବଂ ଗ୍ରାମର ରାସ୍ତାଘାଟର ଉନ୍ନତିକରଣ ଆଦି ଦାବି ରହିଛି। ଏହି ସମସ୍ୟାଗୁଡ଼ିକର ସମାଧାନ ହେଲେ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ସୁଗମ ହେବା ସହ ଗ୍ରାମର ସାମଗ୍ରିକ ବିକାଶ ହୋଇପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏସମ୍ପର୍କରେ ତହସିଲଦାର ଅକ୍ଷୟ କୁମାର ବଡ଼ୁ କହିଛନ୍ତି ଯେ, ସମ୍ପୃକ୍ତ ସରକାରୀ ଜମି ଉପରେ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ସ୍ଥିତାବସ୍ଥା (ଷ୍ଟାଟସ୍ କୋ) ବଜାୟ ରଖିବାକୁ ନିର୍ଦ୍ଦେଶ ରହିଛି। ତେଣୁ ଉକ୍ତ ଜମିରେ କୌଣସି କାର୍ଯ୍ୟ କରାଯାଇପାରୁ ନାହିଁ। ଅନ୍ୟପକ୍ଷରେ ବିଡ଼ିଓ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ବରିଷ୍ଠ କିରାଣି ଦିଲ୍ଲୀପ ଦାସ ଦାବିପତ୍ର ଗ୍ରହଣ କରିବା ସହ ଏହାକୁ ବିଡ଼ିଓଙ୍କ ଦୃଷ୍ଟିକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ