ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ପ୍ରବେଶ କଟକଣା
ବାଲେଶ୍ୱର:କରୋନା ଭୂତାଣୁ ସଂକ୍ରମଣ ସମ୍ପ୍ରତି ସମଗ୍ର ବିଶ୍ୱ ପାଇଁ ଏକ ବଡ ବିପଦ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଓଡିଶା ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଏକ ମହାମାରୀର ରୂପ ନେଇ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ନିଜର କାୟା ବିସ୍ତାର କରିଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ପ୍ରକାର ସତର୍କତାମୂଳକ ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ଅତ୍ୟନ୍ତ ଜରୁରୀ ହୋଇପଡିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଭିନ୍ନ ଧାର୍ମିକସ୍ଥଳୀ ଓ ସାମାଜିକ ଉତ୍ସବରେ ଜନଗହଳିକୁ ନିୟନ୍ତ୍ରଣ କରିବା ଲାଗି କଟକଣା ଜାରି କରାଯାଇଛି । ସେହିପରି ଗୋଟିଏ ସ୍ଥାନରେ ୫୦ରୁ ଅଧିକ ଲୋକଙ୍କ ସମାଗମ ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଧାର୍ମିକପୀଠରେ ହେଉଥିବା ଜନଗହଳି ଓ ଭିଡ ନିୟନ୍ତ୍ରଣ ଲାଗି ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରାମକ ରୋଗ ଅଧିନିୟମ, ୧୮୯୭ ର ଧାରା ୨(କ) ଏବଂ ଓଡିଶା କୋଭିଡ-୧୯ ନିୟନ୍ତ୍ରଣ,୨୦୨୦ ଦ୍ୱାରା ପ୍ରଦତ କ୍ଷମତାର ପ୍ରୟୋଗ କରି ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ଜିଲ୍ଲାର ଧାର୍ମିକପୀଠଗୁଡିକରେ ପ୍ରବେଶ କଟକଣା ଜାରି ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବିଭିନ୍ନ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାର ସମେତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନଗୁଡିକରେ ୨୦ ମାର୍ଚ୍ଚ ୨୦୨୦ ରୁ ୧ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ପ୍ରବେଶ କଟକଣା ଜାରି କରାଯାଇଛି । ଜନସାଧାରଣଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।