ଭାରତରେ ଥିବା ଆମେରିକୀୟଙ୍କୁ ଲକ୍‌ଡାଉନ୍‌ ନିୟମ ମାନିବାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ

ୱାଶିଂଟନ୍: ଭାରତରେ ସ୍ବଦେଶ ଫେରିବା ଅପେକ୍ଷାରେ ଥିବା ଆମେରିକୀୟଙ୍କୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ନିର୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଟ୍ରମ୍ପ୍ ସେମାନଙ୍କୁ ଉଦ୍ଧାର କରା ନ ଯିବା ଯାଏ ଏହି ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ଏଥିସହ ଏହି ଆମେରିକୀୟମାନଙ୍କୁ ସ୍ବଦେଶ ଫେରାଇ ନେବା ସକାଶେ ନୂଆଦିଲ୍ଲୀ ସହ ଆନୁଷଙ୍ଗିକ ଆଲୋଚନା ଜାରି ରହିଛି ବୋଲି ମଧ୍ୟ ୱାଶିଂଟନ୍ ପକ୍ଷରୁ କୁହାଯାଇଛି। ଭାରତ ପାଇଁ ଆମେରିକା ରାଷ୍ଟ୍ରଦୂତଙ୍କ ଅଫିସ୍ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଗତ ମାର୍ଚ୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ୍ ୧୫ ତାରିଖ ପର୍ଯନ୍ତ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସକାଶେ ଏପରି ପ୍ରତିଷେଧକମୂଳକ ବନ୍ଦୋବସ୍ତ କରାଯାଇଛି। ତେଣୁ ଭାରତରେ ରହିଥିବା ଆମେରିକୀୟମାନେ ଏ ସଂକ୍ରାନ୍ତ ସମସ୍ତ ଆଇନକାନୁନକୁ ମାନିବା ନିହାତି ଜରୁରୀ ବୋଲି କୁହାଯାଇଛି।
ଏହାଛଡ଼ା ବର୍ତ୍ତମାନ ଯେଉଁସବୁ ଆମେରିକୀୟମାନେ ହୋଟେଲ୍‌ରେ ଅବସ୍ଥାନ କରୁଛନ୍ତି, ସେମାନଙ୍କୁ ଲକ୍‌ଡାଉନ୍‌ ସମୟରେ ବି ସେଠାରେ ରହିବାକୁ ଅନୁମତି ଦେବା ସକାଶେ ଦୂତାବାସ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଛି। ଏହି ଆମେରିକୀୟମାନଙ୍କୁ ଭାରତରୁ ସ୍ବଦେଶ ଫେରିବା ପାଇଁ ବନ୍ଦୋବସ୍ତ କରାଯାଉଛି। ବନ୍ଦୋବସ୍ତ ପ୍ରକ୍ରିୟା ଶେଷ ହେଲେ ସେମାନଙ୍କୁ ଆମେରିକାରେ ପହଞ୍ଚାଇଦେବା ସକାଶେ ଭାରତ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ଏହି ଆମେରିକୀୟମାନଙ୍କୁ ଉଦ୍ଧାର କରିବା ସକାଶେ ଚାଲିଥିବା ବନ୍ଦୋବସ୍ତ ପ୍ରକ୍ରିୟା ନେଇ ସଦ୍ୟ ସୂଚନା ପାଇବା ସକାଶେ ସ୍ମାର୍ଟ ଟ୍ରାଭେଲ୍‌ ଏନରୋଲମେଣ୍ଟ୍ ପ୍ରୋଗ୍ରାମ୍ (ଷ୍ଟେପ୍) ଆପ୍ଲିକେସନ୍ ରେଜିଷ୍ଟର୍ କରିବାକୁ ବି କୁହାଯାଇଛି। ତେବେ ଭାରତରେ ଏବେ କେତେ ଜଣ ଆମେରିକୀୟ ସ୍ବଦେଶ ଫେରିବା ଅପେକ୍ଷାରେ ରହିଛନ୍ତି, ସେନେଇ ଆମେରିକା ଦୂତାବାସ ପକ୍ଷରୁ କିଛି ବି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ସେହିପରି ଫ୍ରାନ୍ସ ସରକାରଙ୍କ ପକ୍ଷରୁ ମଧ୍ୟ ଭାରତରୁ ୨ ହଜାର ଫ୍ରେଞ୍ଚ୍ ଭ୍ରମଣକାରୀଙ୍କୁ ଏୟାର୍ ଫ୍ରାନ୍ସ ବିମାନରେ ସ୍ବଦେଶ ଫେରାଇନେବା ସକାଶେ ଆଲୋଚନା ଚାଲିଥିବା କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ