ଜଳକଷ୍ଟ ଓ ବିପର୍ଯ୍ୟସ୍ତ ରାସ୍ତା ପାଲଟିଛି ମରଣଯନ୍ତା

କଳାହାଣ୍ଡି, (ଚିତ୍ତରଞ୍ଜନ ଵିଷି): ଜୟପାଟଣା ବ୍ଲକରେ ପ୍ରଶାସନିକ ଅବହେଳା ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ୧୫୬ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ ଏବେ ଅଞ୍ଚଳବାସୀଙ୍କ ପାଇଁ ଅଭିଶାପ ସାଜିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ପ୍ରକଳ୍ପର ଅବଧି ସରିଯାଇଥିଲେ ମଧ୍ୟ ଗାଁ ଗାଁକୁ ପାଣି ପହଞ୍ଚି ପାରିନାହିଁ। ଫଳରେ ଗ୍ରାମବାସୀ ଏବେ ବି ଚୁଆ ଓ ନଦୀ ପାଣି ଉପରେ ନିର୍ଭର କରୁଛନ୍ତି। ଠିକା ସଂସ୍ଥା ପ୍ରତି ପ୍ରଶାସନର ‘ଅହେତୁକ ଅନୁକମ୍ପା’ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଦାୟିତ୍ୱ ‘ମେଘା ଇଞ୍ଜିନିୟରିଂ ଲିମିଟେଡ’ ନାମକ ସଂସ୍ଥାକୁ ଦିଆଯାଇଥିଲା। ୨୦୨୪ ମସିହା ସୁଦ୍ଧା କାର୍ଯ୍ୟ ଶେଷ ହେବାକୁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପ୍ରକଳ୍ପ କାମ ସରିବା ଦୂରର କଥା, କାର୍ଯ୍ୟରେ ଅତ୍ୟଧିକ ବିଳମ୍ବ ସତ୍ତ୍ୱେ ପ୍ରଶାସନ ଠିକା ସଂସ୍ଥା ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ବରଂ, କେବଳ ସାମାନ୍ୟ ଜରିମାନା କାଟି ଆଉ ଦୁଇ ବର୍ଷ ସମୟ ବଢ଼ାଇ ଦିଆଯାଇଛି, ଯାହା ପ୍ରଶାସନିକ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାସ୍ତବତା ଓ ଦାବି ମଧ୍ୟରେ ଫାଟ ଅଧିକାରୀଙ୍କ ମତରେ ପ୍ରକଳ୍ପର ୬୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ପୂର୍ଵ ସରକାରଙ୍କ ଲକ୍ଷ୍ୟଥିଲା ବ୍ଲକରେ ୨୨ଟି ପାଣି ଟ୍ୟାଙ୍କ ନିର୍ମାଣ। କିନ୍ତୁ ବାସ୍ତବତା ବର୍ତ୍ତମାନ ସୁଦ୍ଧା ମାତ୍ର ୬ଟି ଟ୍ୟାଙ୍କ କାମ ସରିଛି। ବର୍ତମାନ ଅବସ୍ଥା ଅଧିକାଂଶ ପାଣି ଟ୍ୟାଙ୍କ ଅଧାପନ୍ତରିଆ ପଡ଼ିଥିବା ବେଳେ ପମ୍ପ ହାଉସ୍ ଗୁଡ଼ିକ କଙ୍କାଳ ସଦୃଶ ଛିଡ଼ା ହୋଇଛି। କୋଟି କୋଟି ଟଙ୍କାର ପାଇପ୍ ରାସ୍ତା କଡ଼ରେ ପଡ଼ି ଖରା ଓ ବର୍ଷାରେ ଫାଟି ନଷ୍ଟ ହେଉଛି। ରାସ୍ତା ଖୋଳା, ମରାମତି ଶୂନ: ପାଲଟିଛି ମରଣଯନ୍ତା ପାଇପ୍ ବିଛାଇବା ନାଁରେ ଜେସିବି ଲଗାଇ ଗାଁର କଂକ୍ରିଟ ରାସ୍ତାକୁ ଖୋଳି ଖତମ୍ କରିଦିଆଯାଇଛି। ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏହି ରାସ୍ତା ଗୁଡ଼ିକର ମରାମତି କରାଯାଇନାହିଁ। ରାସ୍ତା ମଝିରେ ଥିବା ଗାତ ଯୋଗୁଁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ହେଉଛି।ସ୍କୁଲ ପିଲା ଓ ସାଧାରଣ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରକଳ୍ପ ସ୍ଥଳରେ କୌଣସି ସୂଚନା ଫଳକ ନଥିବାରୁ ସାଧାରଣ ଲୋକେ କାହାକୁ ପ୍ରଶ୍ନ କରିବେ ତାହା ଜାଣିପାରୁନାହାନ୍ତି। ସେଥିପାଇଁ ଜନ ଅସନ୍ତୋଷ ଓ ଦାବି ଖରା ଦିନର ପ୍ରଚଣ୍ଡ ତାତିରେ ମୁନ୍ଦାଏ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ପ୍ରକଳ୍ପର ବିଫଳତା ପାଇଁ ଅଞ୍ଚଳବାସୀ ଏବେ ପ୍ରଶାସନର ନିରବତାକୁ ନେଇ କ୍ଷୁବ୍ଧ। ତୁରନ୍ତ ଏହି ପ୍ରକଳ୍ପର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦାୟିତ୍ୱହୀନ ଠିକା ସଂସ୍ଥା ବିରୋଧରେ କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ