ପାକିସ୍ତାନରେ ଭାରତୀୟ କୂଟନୀତିଜ୍ଞଙ୍କୁ ନିର୍ଯାତନା
ଇସ୍ଲାମାବାଦ୍(ଏଜେନ୍ସି): ପାକିସ୍ତାନରେ ପୁଣି ଜଣେ ଭାରତୀୟ କୁଟନୀତିଜ୍ଞ ନିର୍ଯାତନାର ଶିକାର ହୋଇଛନ୍ତି । ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ କୁଟନୀତିଜ୍ଞ ଅଜୟ ବିସାରିଆଙ୍କୁ ଏକ ଇଫତାର ପାର୍ଟିରେ ପାକିସ୍ତାନୀ ସୁରକ୍ଷା କର୍ମୀମାନେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ସୁରକ୍ଷା କର୍ମୀମାନେ ତାଙ୍କୁ ଟଣାଓଟରା ଏବଂ ଠେଲାପେଲା କରିଥିବା ବିସାରିଆ କହିଛନ୍ତି ।ଇସଲାମାବାଦ୍ର ସେରେନା ହୋଟେଲ୍ରେ ଇଣ୍ଡିଆନ ମିଶନ ପକ୍ଷରୁ ଏକ ଇଫ୍ତାର ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ଅତିଥି ଭାବେ ଯୋଗଦେଇଥିବା ଭାରତୀୟ କୂଟନୀତିଜ୍ଞ ଅଜୟ ବିସାରିଆଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ସୁରକ୍ଷା କର୍ମୀମାନେ ଯାଞ୍ଚ୍ ଆଳରେ ଦୁର୍ବ୍ୟବହାର କରିଛନ୍ତି । ସେମାନଙ୍କୁ ହଇରାଣ କରାଯିବା ଏବଂ ନିର୍ଯାତନା ଦିଆଯିବା ସମ୍ପର୍କରେ ଅଜୟ ବିସାରିଆ କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାକ୍ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ଯାଞ୍ଚ୍ କରାଯିବା ଫଳରେ ଅନେକ ଅତିଥି ହୋଟେଲ ଭିତରକୁ ଯାଇପାରି ନଥିଲେ କି ପାର୍ଟିରେ ଯୋଗ ଦେଇପାରିନଥିଲେ । ତେବେ ଏହି ଘଟଣା ପ୍ରଥମ ନୁହେଁ । ଗତବର୍ଷ ଡିସେମ୍ବରରେ ମଧ୍ୟ ପାକିସ୍ତାନରେ ଅବସ୍ଥାପିତ କୁଟନୀତିଜ୍ଞଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ପାକିସ୍ତାନୀ ଅଧିକାରୀମାନେ ଭାରତୀୟ ଅଧିକାରୀଙ୍କୁ ଗ୍ୟାସ୍ ସଂଯୋଗ ଦେବାରେ ବିଳମ୍ବ କରିବା ସହ ସେମାନଙ୍କୁ ଇଣ୍ଟରନେଟ୍ ସଂଯୋଗ ମଧ୍ୟ ବ୍ଲକ କରିଦେଇଥିଲେ । ଏହାବ୍ୟତୀତ ଭାରତୀୟ କୁଟନୀତିଜ୍ଞମାନଙ୍କୁ ଭେଟିବାକୁ ଯାଉଥିବା ଅତିଥିମାନଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ ନାନା ପ୍ରଶ୍ନ ପଚରାଯାଇ ହଇରାଣ କରାଯାଇଛି । ସେହିପରି ଗତବର୍ଷ ନଭେମ୍ବରରେ ଗୁରୁଦ୍ୱାରା ନାନକ ସାହିବ ଏବଂ ଗୁରୁଦ୍ୱାରା ସଚ୍ଚା ସୌଦାଠାରେ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭେଟିବା ଲାଗି ଜଣେ ଭାରତୀୟ କୁଟନୀତିଜ୍ଞଙ୍କୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଥିଲେ ହେଁ ସୁରକ୍ଷା ସଂସ୍ଥା ପକ୍ଷରୁ ତାଙ୍କୁ ବାରଣ କରାଯିବା ସହ ହଇରାଣ ହରକତ କରାଯାଇଥିଲା । ଏହା ପୂର୍ବରୁ ଏପ୍ରିଲ ଏବଂ ଜୁନ୍ରେ ବିସାରିଆ ଓ ଅନ୍ୟ ଦୂତାବାସ ଅଧିକାରୀମାନଙ୍କୁ ମଧ୍ୟ ତୀର୍ଥଯାତ୍ରୀଙ୍କୁ ଭେଟିବା ଲାଗି ଗୁରୁଦ୍ୱାରା ପଞ୍ଜାବ ସାହିବକୁ ଯିବାକୁ ଅନୁମତି ଦିଆଯାଇନଥିଲା ।


