ବିଧାନସଭା ଉପନିର୍ବାଚନ ଏକାକୀ ଲଢ଼ିବ ବିଏସ୍ପି
ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍ପି) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍ପି) ପରସ୍ପର ଠାରୁ ଅଲଗା ହୋଇଥିବା ଘୋଷଣା କରିଛନ୍ତି । ଏହାସହିତ ସାଧାରଣ ନିର୍ବାଚନରେ ବିଜେପିକୁ ହରେଇବା ପାଇଁ ବିଏସ୍ପି-ଏସ୍ପି ମହାମେଣ୍ଟ ଭାଙ୍ଗିଯାଇଛି । ସୋମବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ବିଏସ୍ପି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ, ଏସ୍ପି ଓ ବିଏସ୍ପି ମଧ୍ୟରେ ହୋଇଥିବା ମେଣ୍ଟ ଆଶାନୁରୂପ ଫଳ ଦେଖାଇବାରେ ସକ୍ଷମ ହେଲା ନାହିଁ । ଏସ୍ପି ଯାଦବ ଭୋଟ୍ ବିଏସ୍ପିକୁ ପଠାଇବାରେ ସକ୍ଷମ ହେଲା ନାହିଁ । ଏପରିକି ଅଖିଳେଶ ନିଜ ପତ୍ନୀ ଡିମ୍ପଲ ଯାଦବଙ୍କ ପାଇଁ ମଧ୍ୟ କନୌଜରୁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି । ଏଣୁ ଆଗାମୀ ଦିନରେ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ଆଗକୁ ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନରେ ଉପନିର୍ବାଚନ ଥିବାରୁ ସେଥିପାଇଁ ପ୍ରାର୍ଥୀ ବାଛିବାକୁ ସେ ନିଜ ଦଳର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ବିଏସ୍ପି ମୋଟ୍ ୩୮ଟି ଆସନରେ ଲଢି ୧ଠଟି ଆସନରେ ବିଜୟୀ ହୋଇଛି । ସେହିପରି ଏସ୍ପି ୩୭ଟି ଆସନରେ ଲଢି ମାତ୍ର ୫ଟି ଆସନରେ ବିଜୟୀ ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ୨ଠ୧୯ ସାଧାରଣ ନିର୍ବାଚନରେ ମହାମେଣ୍ଟର ପରାଜୟ ପାଇଁ ବିଏସ୍ପି ସୁପ୍ରିମୋ ମାୟାବତୀ ଏସ୍ପି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଦାୟୀ କରିଛନ୍ତି ।ବିଏସ୍ପି ଏବଂ ଏସ୍ପି ଦୀର୍ଘ ସମୟ ଧରି ଏକାକୀ ନିର୍ବାଚନ ଲଢ଼ିଆସୁଥିଲେ । ତେବେ ୨ଠ୧୯ ସାଧାରଣ ନିର୍ବାଚନ ସମୟରେ ସମସ୍ତ ରାଗ ଅଭିମାନ ଭୁଲି ରାଜ୍ୟର ଏହି ଦୁଇ ପ୍ରମୁଖ ଦଳ ଏକଜୁଟ୍ ହୋଇଥିଲେ । ବିଶେଷକରି ବିଜେପିର ଅଭିଯାନକୁ ଉତ୍ତରପ୍ରଦେଶରେ ରଖିବା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏପରିକି ନିର୍ବାଚନ ପରେ ମଧ୍ୟ ଏହି ଦୁଇଜଣ ଏକଜୁଟ୍ ହୋଇ ରହିବେ ଏବଂ ଆଗାମୀ ବିଧାନସଭା ନିର୍ବାଚନ ମଧ୍ୟ ମେଣ୍ଟ ପୂର୍ବକ ଲଢ଼ିବେ ବୋଲି ଉଭୟ ମାୟାବତୀ ଏବଂ ଅଖିଳେଶ ଘୋଷଣା କରିଥିଲେ । ହେଲେ ସାଧାରଣ ନିର୍ବାଚନରେ ମିଳିଥିବା ପରାଜୟ କାରଣରୁ ମାୟାବତୀ ଏବେ ଅଖିଳେଶଙ୍କ ସହ ମେଣ୍ଟକୁ ଆଗକୁ ବଢ଼ାଇବାକୁ ଚାହୁଁନଥିବା କହିଛନ୍ତି । ମାୟାବତୀଙ୍କ ଆଜିର ଏହି ଘୋଷଣା ପରେ ବୁଆ-ବବୁଆ ଯୋଡି ପୁଣିଥରେ ଭାଙ୍ଗି ଯାଇଥିବା ନେଇ ଆଲୋଚନା ଜୋର୍ ଧରିଛି ।