ତୁର୍କମେନିସ୍ଥାନରେ କରୋନା ଶବ୍ଦ ବ୍ୟାନ
କରୋନା ଭାଇରସ (କୋଭିଡ-୧୯) ସମଗ୍ର ବିଶ୍ୱକୁ କବଳିତ କରିସାରିଲାଣି । ଗାଁ ଠାରୁ ସହର, ଗଳି ଠାରୁ ବଜାର ସବୁଆଡେ କରୋନା ଭାଇରସକୁ ନେଇ ସବୁଆଡେ଼ ଆତଙ୍କ ଓ ଚର୍ଚ୍ଚା ଲାଗି ରହିଛି । ପ୍ରତିଦିନ ଇଣ୍ଟରନେଟ ଖୋଲଥିବା ବ୍ୟକ୍ତି ଗୁଗଳରେ କରୋନା ଶବ୍ଦକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ହେଲେ ବିଶ୍ୱର ଏଭଳି ଦେଶ ରହିଛି ଯେଉଁଠାରେ କରୋନା ଶବ୍ଦ ଉପରେ ବ୍ୟାନ ଲଗାଯାଇଛି । ଏହି ଦେଶଟି ହେଉଛି ତୁର୍କମେନିସ୍ଥାନ । କେବଳ ଏତିକି ନୁହେଁ ସେଠାକାର ସରକାର ଦେଶରେ କୌଣସି ବ୍ୟକ୍ତି ମାସ୍କ ପିନ୍ଧିପାରିବେ ନାହିଁ ବୋଲି କଟକଣା ମଧ୍ୟ ଲଗାଇଛନ୍ତି । ‘ଦ ଇଣ୍ଡିପେଣ୍ଡେଣ୍ଟ’ ର ଏକ ରିପୋର୍ଟ ଅନୁସାରେ ସରକାରଙ୍କ ଏଭଳି କଟକଣା ଯୋଗୁ ସ୍ଥାନୀୟ ଖବରକାଗଜ ଗୁଡ଼ିକରେ ମଧ୍ୟ ଏହି ଶବ୍ଦର ବ୍ୟବହାର ଦେଖିବାକୁ ମିଳୁନାହିଁ । ସେହିଭଳି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଲାଗି ଜାରି କରାଯାଇଥିବା ପୁସ୍ତିକାରେ ମଧ୍ୟ କରୋନା ଭାଇରସ ବୋଲି କୌଣସି ଠାରେ ଉଲ୍ଲେଖ କରାଯାଇନାହିଁ । କେତେକ ଗଣମାଧ୍ୟମରେ ଏକଥା ମଧ୍ୟ ପ୍ରକାଶ ପାଇଛି କି ତୁର୍କମେନିସ୍ଥାନରେ ଏ ପର୍ଯ୍ୟନ୍ତକୌଣସି ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ହୋଇନାହାନ୍ତି । ଯେଉଁ ମହାମାରୀକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ସେହି କରୋନା ଭାଇରସ ବିଷୟରେ ଯଦି କେହି ଆଲୋଚନା କରୁଛନ୍ତି ତେବେ ପୁଲିସ ତୁରନ୍ତ ସେମାନଙ୍କୁ ଗିରଫ କରୁଛି । ଜନସାଧାରଣଙ୍କ ଭିତରେ ପୁଲିସ ସିଭିଲ ପୋଷାକରେ ବୁଲୁଛନ୍ତି । ଯାହାଫଳରେ ସେମାନେ କରୋନା ଭାଇରସ ସମ୍ପର୍କରେ କେହି କଥାବାର୍ତ୍ତା କରୁଛି କି ନାହିଁ ତାହା ଉପରେ ନଜର ରଖୁଛନ୍ତି । ଯେଉଁମାନେ କରୋନା ଭାଇରସ କଥା କହୁଛନ୍ତି ସେମାନଙ୍କୁ ତୁରନ୍ତ ଧରି ନିଆଯାଉଛି । ଦେଶରେ ଜଣେ ହେଲେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇନଥିଲେ ମଧ୍ୟ ସରକାର ଏହି ରୋଗର ମୁକାବିଲା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।


