ସୈନ୍ଧବ ଲୁଣର ଆଶ୍ଚର୍ଯ୍ୟ ଗୁଣ
ପ୍ରାୟ ସମସ୍ତଙ୍କ ଘରେ ସୈନ୍ଧବ ଲୁଣ ବା କଳା ଲୁଣର ବ୍ୟବହାର କରାଯାଏ । ଅନେକ ଲୋକ ଫଳ କିମ୍ବା ସାଲାଡ ଖାଇବାବେଳେ ସୈନ୍ଧବକୁ ବ୍ୟବହାର କରିଥାନ୍ତି । ସାଧାରଣ ଲୁଣ ଅପେକ୍ଷା ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ । ଏଥିରେ ମ୍ୟାଗ୍ନେସିୟମ ସଲଫେଟ ଅଧିକ ମାତ୍ରାରେ ଥାଏ । ସେହିପରି ଏହା ହାଡକୁ ମଜଭୁତ କରିବା ସହ ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ସୈନ୍ଧବ ଲୁଣ ସାହାଯ୍ୟ ଆମକୁ କ’ଣ ଫାଇଦା ମିଳିଥାଏ ।
ଚିନ୍ତାରୁ ମୁକ୍ତି:ସୈନ୍ଧବ ଲୁଣ ବ୍ୟବହାର କରି ଆପଣ ମାନସିକ ଚିନ୍ତା ଦୂର କରିପାରିବେ । ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଏକ କପ ସୈନ୍ଧବ ଲୁଣ ମିଶାଇ ଗାଧାନ୍ତୁ । ଏହିପରି ନିୟମିତ କଲେ ଚିନ୍ତାଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
ମାଂସପେଶୀ ଯନ୍ତ୍ରଣା ଲାଘବ: ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିଲେ କିମ୍ବା ହାଡ ସହ ଜଡିତ କୌଣସି ସମସ୍ୟା ଦେଖାଗଲେ ସୈନ୍ଧବ ଲୁଣ ଖାଆନ୍ତୁ । ଏହା ଦ୍ୱାରା ଶୀଘ୍ର ଆରାମ ମିଳିବ । ଅଳ୍ପ ଗରମ ପାଣିରେ ସୈନ୍ଧବ ଲୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କଷ୍ଟ ଅନୁଭବ ହେଉଥିବା ଜାଗାରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏପରି କଲେ ମାଂସପେଶୀ ଯନ୍ତ୍ରଣାରୁ ଶୀଘ୍ର ଆରାମ ମିଳିବ ।
କେଶ ମଜଭୁତ କରେ : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୈନ୍ଧବ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, କେଶ ପାଇଁ ମଧ୍ୟ ଲାଭକାରୀ । ଫାଟିଯାଉଥିବା କେଶ ପାଇଁ ଚିନ୍ତିତ ଥିଲେ ସୈନ୍ଧବ ଲୁଣର ବ୍ୟବହାର କରିପାରିବେ । ଡିପ୍ କଣ୍ଡିସନର ସହ ଏହି ଲୁଣକୁ ମିଶାଇ ଓଦା ଚୁଟିରେ ଲଗାନ୍ତୁ ଏହି ମିଶ୍ରଣକୁ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ଶୁଖିବାକୁ ଦିଅନ୍ତୁ । ପରେ ଥଣ୍ଡା ପାଣିରେ କେଶକୁ ଧୋଇ ଦିଅନ୍ତୁ । ସପ୍ତାହକୁ ଥରେ ଏହି ମିଶ୍ରଣ ଲଗାନ୍ତୁ । ଏପରି କରିବା ଦ୍ୱାରା କେଶ ସୁନ୍ଦର ହେବା ସହ ମଜଭୁତ ରହିଥାଏ ।
ଶୁଷ୍କ ତ୍ୱଚା ସମସ୍ୟା ଦୂର କରେ : ଶୁଷ୍କ ତ୍ୱଚା କିମ୍ବା ବ୍ଲାକହେଡସ ପରି ସମସ୍ୟା ପାଇଁ ଚିନ୍ତିତ ଥିଲେ ସୈନ୍ଧବ ଲୁଣକୁ ବ୍ୟବହାର କରିପାରିବେ । ସୈନ୍ଧବ ଲୁଣକୁ ଏକ ଚାମଚ ଅଲିଭ ତେଲରେ ମିଶାଇ ମୁହଁରେ ଲଗାନ୍ତୁ । ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବଂ ତ୍ୱଚାରରେ ଚମକ ଫେରିପାଇବା ପାଇଁ ସପ୍ତାହକୁ ଦୁଇ ଥର ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ।


