୯ରୁ ମାସ୍କ ବାଧ୍ୟତାମୂଳକ
ଭୁବନେଶ୍ୱର : ଏଣିକି ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯଦି ମାସ୍କ ନଥିବ ତେବେ ରୁମାଲ, ଗାମୁଛା କିମ୍ବା ଓଢ଼ଣୀକୁ ମାସ୍କ ଭଳି ମୁହଁରେ ଭିଡ଼ାଯାଇପାରିବ । ତେବେ ଏହା ଦୁଇସ୍ତରୀୟ ହୋଇଥିବା ଦରକାର । ଆସନ୍ତା ୯ ତାରିଖ ସକାଳୁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛିଯେ, କରୋନା ଭୂତାଣୁ ଡ୍ରପଲେଟ ଅର୍ଥାତ କଫ ଓ ସିଙ୍ଗାଣି ଦ୍ୱାରା ବ୍ୟାପୁଛି । ଯଦି ଜଣଙ୍କ ଶରୀରରେ କରୋନା ଭୂତାଣୁ ରହିଥିବ ତେବେ ସେମାନଙ୍କ କଫ ଭଳି ସଂକ୍ରମିତ ବୁନ୍ଦାକୁ କେବଳ ମାସ୍କ ଦ୍ୱାରା ହିଁ ପ୍ରତିରୋଧ କରାଯାଇପାରିବ । ସେହିପରି ସାମାଜିକ ଦୂରତା ଓ ସଙ୍ଗରୋଧ ଉପରେ ବି ସରକାର ଗୁରୁତ୍ୱାରୋପ କରିଛନ୍ତି । ଏହାକୁ ଆଖିଆଗରେ ରଖି ବାହାରକୁ ବାହାରୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ସାଧାରଣ ଲୋକ କୌଣସି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ବାହାରିଲେ ମୁହଁ ଓ ନାକକୁ ମାସ୍କ ଦ୍ୱାରା ଘୋଡ଼ାଇବା ବାଧ୍ୟତାମୂଳକ । ଏହାକୁ ଯେଭଳି କଡ଼ାକଡ଼ି ଭାବେ ପାଳନ କରାଯିବ ତାହା ଉପରେ ଦୃଷ୍ଟିଦେବାକୁ ମଧ୍ୟ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।