ବୈତରଣୀ ନଦୀବନ୍ଧରେ ଘାଳିଆକୁ ନେଇ ଆତଙ୍କ
ହାଟଡିହି, (ଓ୍ବାଇଏନଏସ): ବୈତରଣୀ ନଦୀରେ ପ୍ରଥମ ବନ୍ୟା ଆସିବା ପରେ ନଦୀବନ୍ଧର ଦୁର୍ବଳ ଅବସ୍ଥା ପଦାକୁ ଆସିଛି। ମୁଗୁପୁର ନିକଟରେ ନଦୀବନ୍ଧରେ ସୃଷ୍ଟି ହୋଇଥିବା ଦୁଇଟି ଘାଳିଆକୁ ନେଇ ଅଞ୍ଚଳବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ୍ୟା ସମୟରେ ଘାଳିଆ ଦେଇ ପାଣି ବୋହିବା ଆରମ୍ଭ କରିଥିବାରୁ ନଦୀବନ୍ଧର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଗତ ମାସ ୨୮ ତାରିଖରେ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଆସିଥିଲା। ବନ୍ୟାଜଳ ବଢିବା ସମୟରେ ମୁଗୁପୁରର ଯଶୋବନ୍ତପୁର ଓ ସାହାନନ୍ଦପୁର ଠାରେ ନଦୀବନ୍ଧରେ ଦୁଇଟି ଘାଳିଆ ସୃଷ୍ଟି ହୋଇଥିଲା। ବିଳମ୍ବିତ ରାତିରେ ସେହି ଘାଳିଆ ଦେଇ ପାଣି ବୋହିବା ଆରମ୍ଭ କରିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ହଠାତ୍ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ନଦୀବନ୍ଧ ଭାଙ୍ଗି ବଡ଼ ଧରଣର ଘାଇ ସୃଷ୍ଟି ହେବା ଆଶଙ୍କାରେ ଲୋକେ ରାତିସାରା ଉଜାଗର ରହିଥିଲେ। ପରିସ୍ଥିତି ଗମ୍ଭୀର ହେଉଥିବା ଦେଖି ଅଞ୍ଚଳବାସୀ ନିଜେ ଉଦ୍ୟମ କରି କାନ୍ଧରେ ବାଲିବସ୍ତା ବୋହି ଆଣି ଘାଳିଆକୁ କାମଚଳା ଭାବେ ବନ୍ଦ କରିଥିଲେ। ଗ୍ରାମବାସୀଙ୍କ ଏହି ଉଦ୍ୟମ ଯୋଗୁଁ ସେତେବେଳେ ବଡ଼ ବିପଦକୁ ଏଡାଇ ଦିଆଯାଇଥିଲା। ତେବେ ଏହା ସ୍ଥାୟୀ ସମାଧାନ ନୁହେଁ ବୋଲି ଅଞ୍ଚଳବାସୀ କହିଛନ୍ତି। ମୁଗୁପୁର ଅଞ୍ଚଳର ନଦୀବନ୍ଧର ଗୁରୁତ୍ୱ ଦୃଷ୍ଟିରୁ ଏହି ସମସ୍ୟାକୁ ଆହୁରି ଗମ୍ଭୀର ଭାବେ ଦେଖାଯାଉଛି। ଆନନ୍ଦପୁର ଠାରୁ ମୁଗୁପୁର ପର୍ଯ୍ୟନ୍ତ ବୈତରଣୀ ନଦୀର ଗତିପଥ ପ୍ରାୟ ସିଧା ଥିବାବେଳେ ମୁଗୁପୁର ଠାରୁ ନଦୀର ଗତିପଥ ବକ୍ର ହୋଇଛି। ଏହି କାରଣରୁ ଏଠାରେ ନଦୀର ଜଳଚାପ ଓ ଗତିପଥର ପରିବର୍ତ୍ତନ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ଏହାଛଡ଼ା, ପୂର୍ବରୁ ମଧ୍ୟ ଏହି ସ୍ଥାନରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ଧନଜୀବନର ବ୍ୟାପକ କ୍ଷତି ଘଟିଥିବା ଅଞ୍ଚଳବାସୀ ସ୍ମରଣ କରିଛନ୍ତି। ତେଣୁ ପୁଣିଥରେ ସେହିଭଳି ପରିସ୍ଥିତି ନ ଉପୁଜୁ, ସେଥିପାଇଁ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢିଛି। ବିଶେଷକରି ବର୍ଷା ଜାରି ରହିଲେ କିମ୍ବା ନଦୀରେ ପୁଣି ବନ୍ୟା ଆସିଲେ ଏହି ଘାଳିଆ ବଡ଼ ଘାଇର ରୂପ ନେଇପାରେ ବୋଲି ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ଘାଳିଆ ସୃଷ୍ଟି ହେବା ପରେ ସେହି ରାତିରେ ଅଞ୍ଚଳବାସୀ ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରିଥିବା କହିଛନ୍ତି। ତେବେ ଅଭିଯୋଗ ଅନୁସାରେ, ଘଟଣା ପରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କିମ୍ବା ଘାଳିଆର ସ୍ଥାୟୀ ମରାମତି ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ଫଳରେ ଆଗାମୀ ବନ୍ୟାକୁ ନେଇ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ୪୫ ବର୍ଷ ପୁରୁଣା ଏହି ନଦୀବନ୍ଧର ନିୟମିତ ଯାଞ୍ଚ, ମରାମତି ଓ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ। ବନ୍ୟା ପୂର୍ବରୁ ଦୁର୍ବଳ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ମରାମତି କରାଗଲେ ବଡ଼ ବିପଦକୁ ଏଡାଇ ହେବ। ପୂର୍ବରୁ ନଦୀବନ୍ଧର ସୁରକ୍ଷା ପାଇଁ ଜଗୁଆଳି ବ୍ୟବସ୍ଥା ଥିବାବେଳେ ଏବେ ଆଉ ନାହିଁ। ସେହିପରି ବର୍ଷାଦିନ ପୂର୍ବରୁ ନଦୀବନ୍ଧକୁ ସୁରକ୍ଷିତ ରଖିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବାଲି ବସ୍ତା ଗଛିତ ରଖାଯାଇଥାଏ। ତାହାବି ବନ୍ଦ ହୋଇଯାଇଛି। ସେଦିନ ରାତିରେ ଲୋକେ ନିଜ ଘର ମାନଙ୍କରୁ ବସ୍ତା ସଂଗ୍ରହ କରି ନଦୀବନ୍ଧରେ ବାଲିବସ୍ତା ପକାଇଥିଲେ। କିନ୍ତୁ ଘାଳିଆକୁ କାମଚଳା ଭାବେ ବାଲିବସ୍ତା ପକାଇ ବନ୍ଦ କରି ରଖାଯାଇଥିବାରୁ ପୁଣି ବନ୍ୟା ଆସିଲେ ସମସ୍ୟା ଗମ୍ଭୀର ହେବାର ଆଶଙ୍କା ରହିଛି। ଅନ୍ୟପଟେ ପୂର୍ବରୁ ବ୍ୟାରେଜ କର୍ତ୍ତୃପକ୍ଷ ପାଣି ଛାଡ଼ିବା ବେଳେ ଡକାଵାଜି ଯନ୍ତ୍ର ଯୋଗେ ନଦୀ କୁଳିଆ ଅଞ୍ଚଳ ବାସୀଙ୍କୁ ସତର୍କ କରାଉ ଥିଲେ। କିନ୍ତୁ ଏବେ ସତର୍କ ସୂଚନା ନଦେଇ ଜଳ ନିଷ୍କାସନ କରୁଥିବାରୁ ଲୋକେ ନଦୀକୁ ଯିବାକୁ ଭୟ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏପରି ସ୍ଥିତିରେ ମୁଗୁପୁର ଠାରେ ଥିବା ଦୁଇଟି ଘାଳିଆର ତୁରନ୍ତ ଅନୁଧ୍ୟାନ କରି ସ୍ଥାୟୀ ଭାବେ ମରାମତି କରିବା ସହ ନଦୀବନ୍ଧର ସମ୍ପୂର୍ଣ୍ଣ ସୁରକ୍ଷା ଯାଞ୍ଚ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଆଗାମୀ ଦିନରେ ବୈତରଣୀରେ ବନ୍ୟାଜଳ ବଢିଲେ ଯେପରି ନଦୀବନ୍ଧ ପ୍ରତି କୌଣସି ବିପଦ ନ ଆସେ ଏବଂ ମୁଗୁପୁର ସମେତ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଧନଜୀବନ ସୁରକ୍ଷିତ ରହେ, ସେଥିପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସରପଞ୍ଚ ଦିନେଶ କୁମାର ସେଠୀ, ସୁକାନ୍ତ ରାଉତ, ସୁମନ୍ତ କୁମାର ଦାସ, ପ୍ରଫୁଲ୍ଲ ମଣ୍ଡଳ, ଶରତ କୁମାର ଜେନା, ସୁରେନ୍ଦ୍ର କୁମାର ସାହୁ, ହେମନ୍ତ କୁମାର ସାହୁ, ଆନନ୍ଦ ଚନ୍ଦ୍ର ସାହୁ, ବବୁଲ ରଣା ପ୍ରମୁଖ ଦାବି କରିଛନ୍ତି।


