ଗଜପତିର ଆନ୍ତଃରାଜ୍ୟ ଓ ଆନ୍ତଜିଲ୍ଲା ନାକାବନ୍ଦୀ ଅଞ୍ଚଳରେ ପୋଲିସ ଚେକ୍ପୋଷ୍ଟ ପାଇଁ ସ୍ଥାୟୀଗୃହ ନିର୍ମାଣାରମ୍ଭ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ କୋଭିଡ୍-୧୯ ପ୍ରଭାବରୁ ରକ୍ଷା କରିବାପାଇଁ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳ ଏବଂ ଓଡିଶାର ରାୟଗଡ, ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମା ଅଞ୍ଚଳରେ ଅନୁପ୍ରବେଶ ରୋକିବାପାଇଁ ୧୭ଟି ନାକାବନ୍ଦୀ ଅଞ୍ଚଳରେ ପୋଲିସ ଚେକ୍ପୋଷ୍ଟ ସ୍ଥାପନ କରିବା ସହ ସେଠାରେ ସ୍ଥାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତ୍ୟେକ ଜାଗାରେ ୨୪ଘଣ୍ଟିଆ ପୋଲିସ ମୁତୟନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ବନ୍ଦୋବସ୍ତ କରିଥିବାବେଲେ ଜିଲ୍ଲାପାଳ ଅନୁପମ ଶାହା ସ୍ଥାୟୀ ଗୃହପାଇଁ ବ୍ଲକରେଥିବା ବିଭିନ୍ନ ଅନୁଦାନରେ ଯାହାକି ଖର୍ଚ୍ଚ ନହୋଇ ପଡିରହିଥିଲା ସେଗୁଡିକୁ ଅନୁମୋଦନ କରିଛନ୍ତି । ଏହା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଚେକ୍ପୋଷ୍ଟରେ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ଚେକ୍ପୋଷ୍ଟରେ ସିସିଟିଭି କ୍ୟାମେରା ବନ୍ଦୋବସ୍ତ କରାଯାଇଛି । ୧୭ଟି ଚେକ୍ପୋଷ୍ଟ ମଧ୍ୟରୁ ଆନ୍ଧ୍ର ସୀମାନ୍ତରେ ୮ଟି ଓଡିଶାର ରାୟଗଡ ଜିଲ୍ଲା ସୀମାନ୍ତରେ ୫ଟି କନ୍ଧମାଳ ଜିଲ୍ଲା ସୀମାନ୍ତରେ ଗୋଟିଏ ଏବଂ ଗଂଜାମ ଜିଲ୍ଲା ସୀମାନ୍ତରେ ୩ଗୋଟି ଚେକ୍ପୋଷ୍ଟ ରହିଅଛି । ଏହି ଚେକ୍ପୋଷ୍ଟ ମାନଙ୍କରେ ଧରାପଡୁଥିବା ବ୍ୟକ୍ତିମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ସେମାନଙ୍କର ନିୟମିତ ପରୀକ୍ଷା କରିବା ବ୍ୟବସ୍ଥା ହୋଇଛି । ଏହାର ଦାୟିତ୍ୱ ପଞ୍ଚାୟତ ସମିତି ଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ପୋଲିସକୁ ଦିଆଯାଇଛି । ରାଜ୍ୟ ବାହାରୁ ଆସି କ୍ୱାରେଣ୍ଟାଇନରେ ୧୪ଦିନ ରହିବାପରେ ସେହି ବ୍ୟକ୍ତିମାନଙ୍କୁ ୨ହଜାର ଟଙ୍କା ସହାୟତା ରାଶି ଦେବାକୁ ବ୍ୟବସ୍ଥା କରାଯାଇଛି । ଏ ସବୁର କଡାକଡି ପାଳନ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ବିଭିନ୍ନ ଅଞ୍ଚଳ ଅନୁଧ୍ୟାନ କରି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


