ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ପରାମର୍ଶ
ନୂଆଦିଲ୍ଲୀ : ଦେଶବ୍ୟାପୀ କୋଭିଡ ଯୋଗୁଁ ଲକଡାଉନ ଚାଲିଥିବା ସତ୍ଵେ ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପଗୁଡିକ ଚାଲୁ ରଖିବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ପରାମର୍ଶ ଦେଇଛି । ତେବେ ଗତ ୧୫ ତାରିଖ ଦିନ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଜାରି ନିୟମଗୁଡିକୁ ପାଳନ କରିବାକୁ ହେବ । କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ପ୍ରୋଟୋକଲଗୁଡିକୁ ପାଳନ କରାଯାଇ ଏଥିପାଇଁ ଅନୁମତି ଦିଆଯାଇପାରିବ । କେନ୍ଦ୍ର ସରକାର ଗତ ୨୦ ତାରିଖ ଦିନ ଜାରି କରିଥିବା ପତ୍ର ଅନୁସାରେ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ଅନୁଚ୍ଛେଦ ୧୬(ଆଇ)ର ମାର୍ଗଦର୍ଶିକା ତଥା ମନ୍ତ୍ରଣାଳୟ ଆଦେଶ ସଂଖ୍ୟା ୪୦-୩/୨୦୨୦-ଦିଏମ-୧(ଏ), ତା- ୧୫.୦୪.୨୦୨୦ ଅନୁସାରେ ୨୦ ତାରିଖରୁ ପୌରପାଳିକା ଅଞ୍ଚଳ ବାହାରେ ସମସ୍ତ ପ୍ରକାର ଶିଳ୍ପ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଇପାରିବ । ଏଗୁଡିକ ତାପଜ ଓ ଜଳ ବିଦ୍ୟୁତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଲାଗୁ ହେବ । ତେବେ ଏହି ପ୍ରକଳ୍ପଗୁଡିକ ସହରାଞ୍ଚଳ ବାହାରେ ଥିବା ଆବଶ୍ୟକ । ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ନିର୍ମାଣ ସାମଗ୍ରୀ, ଉପକରଣ, ଯନ୍ତ୍ରାଂଶ ଇତ୍ୟାଦି ମନ୍ତ୍ରଣାଳୟର ଆଦେଶ ସଂଖ୍ୟା ୪୦-୩/୨୦୨୦-ଦିଏମ-୧(ଏ), ତା- ୧୫.୦୪.୨୦୨୦ ଅନୁସାରେ ପରିବହନ ପାଇଁ ଅନୁମତି ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଅନୁରୋଧ କରାଯାଇଛି । ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଵରାଷ୍ଟ୍ର ବ୍ୟାପାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ସାମାଜିକ ଦୂରତ୍ଵ ଭଳି ମାର୍ଗଦର୍ଶିକାକୁ ପ୍ରକଳ୍ପ ସ୍ଥାନରେ ଅନୁସରଣ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଶକ୍ତି ମନ୍ତ୍ରଣାଳୟ ମଧ୍ୟ ସମସ୍ତ କେନ୍ଦ୍ରୀୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକଳାପରେ ନିୟୋଜିତ ଶ୍ରମିକ ଓ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି । ସେହିଭଳି ମନ୍ତ୍ରଣାଳୟ ରାଜ୍ୟ ମଧ୍ୟରେ ଥିବା ବିଭନ୍ନ ସ୍ଵାଧୀନ ଓ ସରକାରୀ ଶକ୍ତି ଉତ୍ପାଦନକାରୀ ପ୍ରକଳ୍ପଗୁଡ଼ିକ ଯେପରି ଏହି ନିୟମାବଳୀ ଅନୁସରଣ କରନ୍ତି ତାହା ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବମାନଙ୍କୁ ଆରାମର୍ଶ ଦେଇଛି ।