୨୦ ହଜାର ପରିବାରକୁ ବେରୋଜଗାର କରିଛି କରୋନା ମାଡ଼
ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ସିଆଲି ଖଲିକୁ ଭାତହାଣ୍ଡି ବୋଲି କୁହାଯାଇଥାଏ।ଜିଲ୍ଲାର ପ୍ରାୟ ୨୦ ହଜାର ପରିବାର ଏହି ଖଲି ତିଆରି କରି ପରିବାର ପୋଷଣ କରିଥା’ନ୍ତି । ତେବେ ଗତ ଏକ ମାସ ହେଲା ଏମାନଙ୍କ ପାଇଁ କଣ୍ଟା ସାଜିଛି ଲକ୍ ଡ଼ାଉନ୍ । ସକାଳୁ ଉଠି ମହିଳାମାନେ ଜଙ୍ଗଲକୁ ଯାଇ ସଂଗ୍ରହ କରିଥାନ୍ତି ଏହି ସିଆଲି ଓ ଶାଳ ପତ୍ର । ଉକ୍ତ ପତ୍ରରୁ ତିଆରି କରିଥାନ୍ତି ଖଲି ଓ ଦନା । ଯାହାକୁ ସେମାନେ ବଜାର ଓ ହାଟରେ ବିକ୍ରି କରିବା ସହିତ ବଡ଼ ବଡ଼ ବ୍ୟବସାୟୀ ମାନେ ମଧ୍ୟ ସେମାନଙ୍କ ଠାରୁ କ୍ରୟ କରିଥାନ୍ତି । ଏହି ଖଲି ସିଲେଇରେ ଯେଉଁ କିଛି ରୋଜଗାର କରିଥାନ୍ତି ସେଥିରେ ତାଙ୍କର ପରିବାର ବେଶ୍ ଆରାମରେ ଚାଲିଥାଏ । ଜଙ୍ଗଲ ପାହାଡ଼ ଘେରା ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଜୀବନ ଜୀବିକା ପାଇଁ ଜଙ୍ଗଲଯାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି । ଜଙ୍ଗଲରୁ ବିଭିନ୍ନ ପ୍ରକାର ଜିିନିଷ ସଂଗ୍ରହ କରୁଥିଲେ ମଧ୍ୟ ପରିବର ପ୍ରତିପୋଷଣ ପାଇଁ ସହାୟକ ହୋଇଥାଏ ସିଆଲି ଓ ଶାଳ ପତ୍ର । ପୁରୁଷମାନେ ଅନ୍ୟ କାମ କରୁଥିବା ବେଳେ ମହିଳାମାନେ ଖଲି ଓ ଦନା ତିଆରି କରିଥାନ୍ତି । ବର୍ତ୍ତମାନ ଗାଡ଼ି ମୋଟର ସହିତ ସମସ୍ତ ହୋଟେଲ ମଧ୍ୟ ବନ୍ଦ ଥିବା ଯୋଗୁଁ ଏହି ସବୁ ଜନିଷ ବିକ୍ରି ହୋଇପାରୁନାହିଁ । ତିଆରି ହୋଇଥିବା ଖଲି ଓ ଦନା ଘରେ ଗଦା ହୋଇ ପଡ଼ିରହିଛି । କଟକଣା ଉଠିବା ପରେ ବିକ୍ରି ହେବାକୁ ଆଶା ବାନ୍ଧିଛନ୍ତି ଏହି ସବୁ ପରିବାର । ତଥାପି ଘରେ ବସି ପ୍ରତିଦିନ ପରି ଆଜି ମଧ୍ୟ ସେମାନେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ମୁହଁରେ ମାସ୍କ ବାନ୍ଧି ଏହିସବୁ ଖଲି ଓ ଦନା ତଆରିରେ ବ୍ୟସ୍ତ । ୩ ରୁ ୪ ଦିନ ପରିଶ୍ରମ କରିବା ପରେ ସେମାନେ କିଛି କିଛି ରୋଜଗାର କରିବା ସକ୍ଷମ ହେଉଥିବା ବେଳେ ଗୋଟିଏ ବିଡ଼ାରେ ୨୫ଟି ଖଲିକୁ ପ୍ରାୟ ୨୦ ରୁ ୨୫ ଟଙ୍କାରେ ବିକ୍ରି କରୁଥିବା ବେଳେ ଦନା ବିଡ଼ାକୁ ୧୦ ଟଙ୍କାରେ ବିକ୍ରି କରିଥାନ୍ତି । ବର୍ତ୍ତମାନ ସମୟରେ ପ୍ରେସ୍ ଖଲି ଓ ଦନାର ଚାହିଦା ବୃଦ୍ଧି ପାଇଥିଲେ ମଧ୍ୟ ଏହି ହାତ ତିଆରି ଖଲି ଓ ଦନାର ମଧ୍ୟ ଚାହିଦା କିଛି କମ୍ ନୁହେଁ । ଏହି ଖଲି ଓ ଦନାରୁ ଯେଉଁ ରୋଜଗାର ହୋଇଥାଏ ସେଥିରେ ବର୍ଷର ଅଧାଦିନ ପରିବାର ଚଳିଥାଏ ବୋଲି ପ୍ରକାଶ କରିଛନ୍ତି ହେମଲତା କହଁର, ରେବତୀ ବେହେରା, ତାପସୀ ପ୍ରଧାନ ଓ ଅନ୍ୟମାନେ । ଲକ୍ ଡ଼ାଉନ୍ ଯୋଗୁଁ କେହି ବାହାରକୁ ବାହାରିବା ମନା ହୋଇଥିବା ବେଳେ ଅନ୍ୟପଟେ ପୁଲିସର ଭୟ ସେମାନଙ୍କୁ ବାଧ୍ୟ କରିଛି ଘରେ ରହିବା ପାଇଁ ବୋଲି କହିଛନ୍ତି ବାଲିଗୁଡ଼ା ଓ ବାଟାଗୁଡ଼ା ଗ୍ରାମର କେତେକ ମହିଳାମାନେ । ଏହି କରୋନା ସେମାନଙ୍କୁ ଦୁଃଖ ଦେଇଥିବା ବେଳେ କେବେ ହଟିବ ଲକ୍ ଡାଉନ୍ ଓ କେବେ ସେମାନେ ବିକ୍ରି କରିପାରିବେ ସେ ନେଇ ଚିନ୍ତାରେ ଏହି ସବୁ ପରିବାର ।