ଭାରତୀୟଙ୍କ କ୍ରୟଶକ୍ତି ଦେଶରେ ଆର୍ଥିକ ଗତିବିଧି ବଢ଼ାଇବ

ନୂଆଦିଲ୍ଲୀ : ବିଭିନ୍ନ ଦେଶର ଅର୍ଥବ୍ୟବସ୍ଥାକୁ ରେଟିଂ ପ୍ରଦାନ କରୁଥିବା ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ଫିଚ ଭାରତର ଆର୍ଥିକ ଅଭିବୃଦ୍ଧି ସଂକ୍ରାନ୍ତରେ ସକରାତ୍ମକ ପୂର୍ବାନୁମାନ କରିବା ପରେ ଏ ପ୍ରସଙ୍ଗରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ସେମାନଙ୍କର ମତ ରଖିଛନ୍ତି । ସୂଚନାଯୋଗ୍ୟ ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ସାଢ଼େ ୯ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଫିଚ ଆକଳନ କରିଛି । କରୋନା ମହାମାରୀ ଜନିତ ପ୍ରଭାବ ସତ୍ୱେ ଦେଶର ଅର୍ଥବ୍ୟବସ୍ଥା ପୁଣିଥରେ ଟ୍ରାକକୁ ଫେରିବ ଓ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି । ଏହି ପ୍ରସଙ୍ଗରେ ମତ ରଖି ଓଡ଼ିଶା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସଂଘର ମହାସଚିବ ଇଂ. ସାତ୍ୱିକ ସ୍ୱାଇଁ କହିଛନ୍ତି, ଆଗାମୀ ଆର୍ଥିକ ବର୍ଷ ପାଇଁ ଫିଚର ଆକଳନ ବାସ୍ତବ ରୂପ ନେଇପାରେ । କାରଣ ଭାରତ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା । ଏଠାକାର ଲୋକମାନଙ୍କ କ୍ରୟଶକ୍ତି ମଧ୍ୟ ଖୁବ ଅଧିକ । ବର୍ତମାନ କରୋନା ମହାମାରୀର ପ୍ରଭାବ କାରଣରୁ ଭାରତୀୟ ଉପଭୋକ୍ତା ସାମାନ୍ୟ ରକ୍ଷଣଶୀଳ ହୋଇପଡ଼ିଛନ୍ତି । ଏହି କାରଣରୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ତେବେ ମହାମାରୀର ପ୍ରଭାବ ହ୍ରାସ ପାଇଲେ ଲୋକମାନେ ଅଧିକ କ୍ରୟ କରିବାକୁ ଆଗେଇ ଆସିବେ । ଇତିମଧ୍ୟରେ ସରକାର ଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି ସକାଶେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାର ଶିଳ୍ପ, ବାଣିଜ୍ୟ, କୃଷି ଆଦି ବିଭିନ୍ନ କ୍ଷେତ୍ର ପାଇଁ ଅନେକଗୁଡ଼ିଏ ଯୋଜନାର ଘୋଷଣା କରିଛନ୍ତି । ଏସବୁ ଯୋଜନା ସଠିକ ସମୟରେ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିଲେ ଦେଶର ଅର୍ଥବ୍ୟବସ୍ଥା ପୁଣିଥରେ ଅଭିବୃଦ୍ଧି ହାସଲ କରିବ । ଆଗାମୀ ବର୍ଷ ଏହି ଅଭିବୃଦ୍ଧି ନିଶ୍ଚିତ ଭାବେ ହାସଲ ହୋଇପାରିବ ବୋଲି ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି । ଅନୁରୂପ ଭାବେ ସୋନପୁର ଚାମ୍ବର ଅଫ କମର୍ସର ଅଧ୍ୟକ୍ଷ ଧୀରେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ପକ୍ଷରୁ କରାଯାଇଥିବା ଅଭିବୃଦ୍ଧି ପୂର୍ବାନୁମାନ ନିଶ୍ଚିତ ଭାବେ ହାସଲ କରିହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ଏମଏସଏମଇ କ୍ଷେତ୍ର ପାଇଁ ଯେଉଁ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି, ତାହାଦ୍ୱାରା ଛୋଟ ଛୋଟ ବ୍ୟବସାୟୀମାନେ ଲାଭବାନ ହୋଇପାରିବେ । ବ୍ୟବସାୟ ଓ କୃଷି କ୍ଷେତ୍ରର ପ୍ରୋତ୍ସାହନ ପାଇଁ ମଧ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ଏହା ଆଗାମୀ ଦିନରେ ଦେଶର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ । କରୋନା ମହାମାରୀ ଜନିତ ଲକଡାଉନ କାରଣରୁ ପ୍ରଭାବିତ ହୋଇଥିବା ଦେଶର ଆର୍ଥିକ ଗତିବିଧିକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଅନେକଗୁଡ଼ିଏ ଅନୁକୂଳ ତଥା ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଲକଡାଉନ ଜାରି ହେବାର ତୁରନ୍ତ ପରେ ଦେଶର ଗରିବ ଓ ଅସହାୟ ଲୋକମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିଲା । ଏହାପରେ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ୨୦ ଲକ୍ଷ କୋଟି ଟଙ୍କାର ବିସ୍ତୃତ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ସରକାର । ଏହି ପ୍ୟାକେଜରେ ଏମଏସଏମଇ କ୍ଷେତ୍ର ପାଇଁ ୩ ଲକ୍ଷ କୋଟି ଟଙ୍କା ସମେତ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, କ୍ଷୁଦ୍ର ବ୍ୟବସାୟୀ, ଉଠାଦୋକାନୀ, ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ଓ ରିହାତି ଘୋଷଣା କରାଯାଇଛି । ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ବିଭିନ୍ନ କ୍ଷେତ୍ର ପାଇଁ କେତେକ ଯୁଗାନ୍ତକାରୀ ନୀତିଗତ ପଦକ୍ଷେପକୁ ମଞ୍ଜୁରି ଦେଇଛନ୍ତି । ଏସବୁ ପଦକ୍ଷେପ ସାମୟିକ ଆର୍ôଥକ କ୍ଷତିର ପ୍ରଭାବକୁ ହ୍ରାସ କରିବା ପରେ ଦୀର୍ଘକାଳିନ ଭିତିରେ ଦେଶର ଅର୍ଥବ୍ୟବସ୍ଥାର ମୂଳଦୁଆକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ