କୀଟନାଶକ ଔଷଧ ସେବନ କରି ବୃଦ୍ଧଙ୍କ ଆତ୍ମହତ୍ୟା
ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳି ଥାନା କଂଟେଇକୋଳି ଗ୍ରାମର ଜୈନିକ ବୃଦ୍ଧ କୀଟନାଶକ ଔଷଧସେବନ କରି ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ସଂପୃକ୍ତ ଗ୍ରାମ ବଡ଼ ସାହି ବାସିନ୍ଦା ଦୁର୍ଯ୍ୟଧନ ସାହୁ (୬୫) । ବୁଧବାର ସନ୍ଧ୍ୟାରେ ବୃଦ୍ଧ ଜଣକ କୌଣସି କାରଣରୁ ଘରେ ଉପଲବ୍ଧ ଥିବା କୀଟନାଶକ ଔଷଧ ସେବନ କରି ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ସାହି ବାସିନ୍ଦା ଖବର ପାଇ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରିଛି । ଗୁରୁବାର ସକାଳେ ବ୍ୟବଛେଦ ପରେ ପରିବାର ସଦସ୍ୟଙ୍କୁ ଶବକୁ ହସ୍ତାନ୍ତର କରାଯାଇଛି । ଆତ୍ମହତ୍ୟାର ପକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଗତ କିଛି ଦିନ ଧରି ବୃଦ୍ଧ ଜଣକ ପରିବାର ଠାରୁ ଅଲଗା ହୋଇ ଗ୍ରାମର ବଡ଼ ସାହିରେ ଏକାକୀ ରହୁଥିଲେ ।


