ଚୀନ ନିର୍ମିତ ସରଞ୍ଜାମ ବ୍ୟବହାର ବନ୍ଦ
ନୂଆଦିଲ୍ଲୀ: ଗଲୱାନରେ ଚୀନ ସେନା ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଚୀନ ନିର୍ମିତ ସାମଗ୍ରୀ ବ୍ୟବହାର ବନ୍ଦ ପାଇଁ ଭାରତର ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏହି କ୍ରମରେ ସୋମବାର ଚୀନ ନିର୍ମିତ ସରଞ୍ଜାମ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଭାରୋତ୍ତୋଳନ ମହାସଂଘ । ଚୀନ କମ୍ପାନୀ ‘ଜେଡକେସି’ ଠାରୁ ବିଭିନ୍ନ ଭାରୋତ୍ତୋଳନ ମହାସଂଘ । ତେବେ ଏସବୁ ସାମଗ୍ରୀ ନିମ୍ନମାନର ଥିବା ଦର୍ଶାଇ ଭାରତୀୟ ଭାରୋତ୍ତୋଳନ ମହାସଂଘ ଏଗୁଡ଼ିକର ବ୍ୟବହାର ବନ୍ଦ କରିଛି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ ଭାରୋତ୍ତୋଳନ ମହାସଂଘର ସାଧାରଣ ସମ୍ପାଦକ ସହଦେବ ଯାଦବ କହିଛନ୍ତି ସମସ୍ତ ଚୀନ ନିର୍ମିତ ସାମଗ୍ରୀ ବ୍ୟବହାର ବନ୍ଦ କରିବା ଉଚିତ । ଭାରତୀୟ ଭାରୋତ୍ତୋଳନ ମହସଂଘ ମଧ୍ୟ ଚୀନ ସାମଗ୍ରୀ ବ୍ୟବହାର କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଭାରତ କିମ୍ବା ଅନ୍ୟ ଯେକୌଣସି ଦେଶରେ ନିର୍ମିତ ସରଞ୍ଜାମ ବ୍ୟବହାର ପାଇଁ ମହସଂଘ ନିଷ୍ପତ୍ତି ନେଇଛି । ଏ ସମ୍ପର୍କରେ ମହାସଂଘ ତରଫରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଜଣାଇ ଦିଆଯାଇଛି ।
ସେହିପରି ନିଜ ପ୍ରତିକି୍ରୟାରେ ଜାତୀୟ ପ୍ରଶିକ୍ଷକ ବିଜୟ ଶର୍ମା କହିଛନ୍ତି ଚୀନରୁ ଆସୁଥିବା ସାମଗ୍ରୀ ନିମ୍ନମାନର ଥିଲା । ଯାହାକୁ ବ୍ୟବହାର କରାଯାଇ ପାରିବ ନାହିଁ । ଗଲୱାନ ଘଟଣା ପରେ ଚୀନ ନିର୍ମିତ ସାରଞ୍ଜାମ ବ୍ୟବହାର କରିବାକୁ ଭାରୋତ୍ତୋଳନକାରୀମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏଥିସହ ସେମାନେ ଚୀନରେ ପ୍ରସ୍ତୁତ ମୋବାଇଲ ଆପ୍ ଟିକଟକ ବ୍ୟବହାର ବନ୍ଦ କରି ଦେଇଛନ୍ତି । ଚୀନରୁ କାହିଁକି ସରଞ୍ଜାମ ଆମଦାନୀ ହେଲା ବୋଲି ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି ଟୋକିଓ ଅଲିମ୍ପିକ୍ସରେ ଚୀନ ନିର୍ମିତ ସାମଗ୍ରୀ ବ୍ୟବହାର କରାଯିବାର ଅଛି । ତେଣୁ ଭାରୋତ୍ତୋଳନ ମହାସଂଘ ତରଫରୁ ଚୀନ ନିର୍ମିତ ସାମଗ୍ରୀ ବ୍ୟବହାର କରି ଭାରୋତ୍ତୋଳନକାରୀଙ୍କୁ ଅଭ୍ୟାସ କରାଇବାକୁ ନିଷ୍ପତ୍ତି ହୋଇଥିଲା । ଚୀନରୁ ପ୍ରଥମ ଥର ପାଇଁ ମହାସଂଘ ସରଞ୍ଜାମ ଆମଦାନୀ କରିଥିଲା । ସରଞ୍ଜାମ ଗୁଡ଼ିକ ନିମ୍ନଧରଣର ହୋଥଇଥିବାରୁ ଆଗାମୀ ଦିନରେ ମହାସଂଘ ଚୀନରୁ କୌଣସି ପ୍ରକାର ସରଞ୍ଜା ଆମଦାନୀ କରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ।