ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମିଆଦ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମିଆଦ ବୃଦ୍ଧିକୁ ଅନୁମୋଦନ କରାଯାଇଛି । କୋଭିଡ-୧୯ ମୁକାବିଲା ପାଇଁ ଆର୍ଥିକ ପେକେଜ ବାବଦକୁ ଆଉ ୫ମାସ ପାଇଁ ଖାଦ୍ୟଶସ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଏହା କରାଯାଇଛି । ଗତ ମାର୍ଚ୍ଚ ମାସରେ ଭାରତ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପେକେଜର ଘୋଷଣା କରିଥିଲେ । ଦେଶରେ କୋଭିଡ ବୈଶ୍ଵିକ ମହାମାରୀ ଯୋଗୁଁ ଉପୁଜିଥିବା ସମସ୍ୟାରେ ଗରିବ ଲୋକମାନଙ୍କ ଦୁଃଖ କଷ୍ଟ ଲାଘବ କରିବା ପାଇଁ ଏହି ଯୋଜନା ପ୍ରବର୍ତ୍ତିତ ହୋଇଥିଲା । ଏହି ପେକେଜରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଭୁକ୍ତ । ଏହି ଯୋଜନା ଅଧୀନରେ ପ୍ରତ୍ୟେକଙ୍କୁ ମାସିକ ୫କେଜି ଲେଖାଏଁ ଗହମ ବା ଚାଉଳ ଯୋଗାଇ ଦିଆଯାଇଥିଲା । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ୨୦୧୩ ଅଧୀନରେ ପ୍ରାୟ ୮୧ କୋଟି ହିତାଧିକାରୀ ଏହି ଯୋଜନାର ସୁଫଳ ପାଇଥିଲେ । ମାଗଣା ଖାଦ୍ୟଶସ୍ୟ ଏପ୍ରିଲ, ମେ ଓ ଜୁନ ମାସ ପାଇଁ ଯୋଗାଇ ଦିଆଯାଇଥିଲା । ମାତ୍ର ଆବଶ୍ୟକତା ଦୃଷ୍ଟିରୁ ଏହି ଯୋଜନାର ମିଆଦକୁ ଆଉ 5 ମାସ ପାଇଁ ବଢାଇ ଦିଆଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାର୍ଚ୍ଚ ୩୦ରେ ୧୨୦ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୩ମାସ ପାଇଁ ପ୍ରଦାନ କରାଯାଇଥିଲା । ସେହି ଅନୁସାରେ ଭାରତୀୟ ଖାଦ୍ୟ ନିଗମ ଓ ଅନ୍ୟାନ୍ୟ ରାଜ୍ୟ ସଂସ୍ଥା ଶତକଡା ୯୭ ଭାଗ ଅର୍ଥାତ ୧୧୬.୫ ଲକ୍ଷ ଟନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରିଥିଲେ । ଏପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଆବଣ୍ଟିତ ଖାଦ୍ୟଶସ୍ୟର ଶତକଡା ୮୯ଭାଗ ଏପ୍ରିଲ ଓ ଜୁନ ମଧ୍ୟରେ ବାଣ୍ଟି ସାରିଛନ୍ତି । ଏପର୍ଯ୍ୟନ୍ତ ଏପ୍ରିଲ ମାସରେ ୭୪.୩କୋଟି, ମେ’ ମାସରେ ୭୪.୭୫କୋଟି ଓ ଜୁନ ମାସରେ ୬୪.୭୨ କୋଟି ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି । ଏହି ଯୋଜନାର ବଣ୍ଟନ କାର୍ଯ୍ୟ ବଳବତ୍ତର ରହିଛି ଏବଂ ଏହା ସରିବା ପରେ ସର୍ବଶେଷ ସ୍ଥିତି ସମ୍ପର୍କରେ ଅବଗତ କରାଯିବ । ବିଭିନ୍ନ କାରଣରୁ କେତେକ ରାଜ୍ୟ ଏହି ଖାଦ୍ୟଶସ୍ୟ ମାସିକ ନକରି ଦୁଇ ତିନି ମାସରେ ଥରେ ପ୍ରଦାନ କରିଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ବଳରେ ବଣ୍ଟନ ବ୍ୟବସ୍ଥାରେ ୨୫୨ଲକ୍ଷ ଟନ ଖାଦ୍ୟଶସ୍ୟ ଭାରତୀୟ ଖାଦ୍ୟ ନିଗମ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇଛି । ଦେଶର କେତେକ ଅଗମ୍ୟ ଅଞ୍ଚଳକୁ ବାୟୁ ଓ ଜଳ ମାର୍ଗରେ ଖାଦ୍ୟଶସ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଯାଇଛି । ସଂପୂର୍ଣ୍ଣ ଲକଡାଉନ କାଳରେ ଏହି ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ କାର୍ଯ୍ୟ କରୁଥିବା ବେଳେ ଜାତୀୟ ଖାଦ୍ୟ ନିରାପତ୍ତା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଯେପରି ଖାଦ୍ୟଶସ୍ୟ ଯୋଗାଣ ବାଧିତ ନହୁଏ, ଭାରତୀୟ ଖାଦ୍ୟ ନିଗମ ତାହା ସୁନିଶ୍ଚିତ କରିଛି । ଏଥିପାଇଁ ଅନେକ ସମୟରେ ପ୍ରଯୁକ୍ତି ବିଦ୍ୟା ଯଥା ଡିଜିଟାଇଜ ଇପିଓଏସ ମେସିନ ନେଟୱାର୍କ ଏଣ୍ଡ ଟୁ ଏଣ୍ଡ କମ୍ପ୍ୟୁଟରାଇଜେସନ ଅଫ ଟାର୍ଗେଟେଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଇତ୍ୟାଦିର ଆଶ୍ରୟ ନିଆଯାଇଛି। ଗତ ବର୍ଷ ଏପ୍ରିଲରୁ ଜୁନ ମାସ ମଧ୍ୟରେ ୧୩୦.୨ଲକ୍ଷ ଟନ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ବଳରେ ଆବଣ୍ଟନ କରାଯାଇଥିବା ବେଳେ ସେଥିରୁ ପ୍ରାୟ ଶତକଡା ୯୫ଭାଗ ଅର୍ଥାତ ୧୨୩ଲକ୍ଷ ମେଟ୍ରିକ ଟନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଥିଲେ । ତେବେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ସମ ପରିମାଣର ହିତାଧିକାରୀମାନଙ୍କୁ ପ୍ରାୟ ୨୫୨ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଆବଣ୍ଟନ କରାଯାଇଥିବା ବେଳେ ସେଥିରୁ ୧୪୭ଲକ୍ଷ ମେଟ୍ରିକ ଟନ ବିଭିନ୍ନ ରାଜ୍ୟ ଉଠାଇଛନ୍ତି । ବର୍ତ୍ତମାନ ପିଏମଜିକେଏୱାଇ ଯୋଜନାର ମିଆଦ ଆଉ 5 ମାସ ବୃଦ୍ଧି କରାଯାଇଥିବା ବେଳେ ସମ ପରିମାଣର ଖାଦ୍ୟଶସ୍ୟ ଆବଣ୍ଟନ ବଳବତ୍ତର ରହିବ । ଏବାବଦକୁ ଅତିରିକ୍ତ ୭୬,୦୬୨କୋଟି ଟଙ୍କା ଅତିରିକ୍ତ ଅର୍ଥ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ