ଇପିଏଫ ଯୋଗଦାନ ଅବଧି ବୃଦ୍ଧି

ନୂଆଦିଲ୍ଲୀ : ଜୁନ ଠାରୁ ଆରମ୍ଭ କରି ଅଗଷ୍ଟ ୨୦୨୦ପର୍ଯ୍ୟନ୍ତ ତିନି ମାସର ଅଧିକ ଅବଧି ନିମନ୍ତେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଅନ୍ତର୍ଗତ କର୍ମଚାରୀଙ୍କ ୧୨ପ୍ରତିଶତ ଓ ନିଯୁକ୍ତିଦାତାଙ୍କ ୧୨ପ୍ରତିଶତ ଅଂଶଧନକୁ ମିଶାଇ ମୋଟ ୨୪ପ୍ରତିଶତ ଯୋଗଦାନ ସରକାରଙ୍କ ପକ୍ଷରୁ କରାଯିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି। କୋଭିଡ ମହାମାରୀ ପରିଦୃଶ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଏବଂ ଆତ୍ମନିର୍ଭର ଭାରତ ଅଧୀନରେ ସରକାରଙ୍କ ପକ୍ଷରୁ ଘୋଷିତ ପ୍ୟାକେଜ ମୁତାବକ ଏହି ସହାୟତା ଯୋଗାଇ ଦିଆଯିବ। ପୂର୍ବରୁ ମାର୍ଚ୍ଚଠାରୁ ମଇ ମାସର ବେତନରେ ସମ୍ପୂର୍ଣ୍ଣ ଇପିଏଫ ଯୋଗଦାନ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ବର୍ତ୍ତମାନର ଯୋଜନା ପୂର୍ବ ଘୋଷଣା ଅତିରିକ୍ତ ଯୋଗାଇ ଦିଆଯିବ। ଏଥିପାଇଁ ମୋଟ ଆନୁମାନିକ ୪,୮୬୦କୋଟି ଟଙ୍କା ବ୍ୟୟ କରାଯିବ। ଏହାଦ୍ବାରା ୩.୬୭ ଲକ୍ଷ ପ୍ରତିଷ୍ଠାନ ଏବଂ ୭୨ଲକ୍ଷରୁ ଅଧିକ କର୍ମଚାରୀମାନଙ୍କୁ ଲାଭ ମିଳିବ। ମୁଖ୍ୟ ବିଶେଷତ୍ଵ, ୧ଜୁନ, ଜୁଲାଇ ଏବଂ ଅଗଷ୍ଟ ୨୦୨୦ବେତନ ମାସ ଲାଗି ଏହି ସ୍କିମ ୧୦୦ଜଣ କର୍ମଚାରୀ ଥିବା ତଥା ଯେଉଁଥିରେ ୯୦ପ୍ରତିଶତ ପର୍ଯ୍ୟନ୍ତ କର୍ମଚାରୀ ୧୫,୦୦୦ଟଙ୍କାରୁ କମ ମାସିକ ବେତନ ପାଉଥିବେ ସେପରି ପ୍ରତିଷ୍ଠାନକୁ କଭର କରିବ। ଏହାଦ୍ଵାରା ୩.୬୭ଲକ୍ଷ ପ୍ରତିଷ୍ଠାନରେ କାମ କରୁଥିବା ପାଖାପାଖି ୭୨.୨୨ଲକ୍ଷ କର୍ମଚାରୀଙ୍କୁ ଲାଭ ମିଳିପାରିବ ଏବଂ ସମ୍ଭାବ୍ୟ ବାଧା ସତ୍ତ୍ୱେ ସେମାନଙ୍କର ବେତନ-ପାଣ୍ଠି ଜାରି ରହିବ। ସରକାର ଏହି ପ୍ରୟୋଜନ ଲାଗି ୨୦୨୦-୨୧ଆର୍ଥିକ ବର୍ଷରେ ୪୮୦୦କୋଟି ଟଙ୍କାର ବଜେଟ ସହୟତା ଉପଲବ୍ଧ କରାଇବେ। ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ପିଏମଆରପିୱାଇ ଅନ୍ତର୍ଗତ ଜୁନରୁ ଅଗଷ୍ଟ ୨୦୨୦ମାସ ଲାଗି ୧୨ପ୍ରତିଶତ ନିଯୁକ୍ତିଦାତା ଯୋଗଦାନର ହକଦାର ହିତାଧିକାରୀମାନଙ୍କୁ ଏହାଠାରୁ ପୃଥକ ରଖାଯିବ, ଯାହାଫଳରେ ଓଭରଲୋଡିଂ ହେବ ନାହିଁ। ଦୀର୍ଘଦିନ ଧରି ଲକଡାଉନ ଜାରି ରହିବା ଲାଗି ଏହା ଅନୁଭବ କରାଯାଇଛି ଯେ ଯେତେବେଳେ ବ୍ୟବସାୟୀ କାମକୁ ଫେରୁଛନ୍ତି ତ’ ସେମାନଙ୍କୁ ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡ଼ୁଛି। ସେଥିପାଇଁ ଅର୍ଥମନ୍ତ୍ରୀ ଆତ୍ମନିର୍ଭର ଭାରତର ଏକ ଅଂଶବିଶେଷ ସ୍ଵରୂପ ୧୩ମଇ ୨୦୨୦ରେ ଘୋଷଣା କରିଥିଲେ ଯେ ବ୍ୟବସାୟ ଏବଂ ଶ୍ରମିକମାନଙ୍କ ପାଇଁ ଇପିଏଫ ସହାୟତା ତିନି ମାସ ଅର୍ଥାତ ଜୁନ, ଜୁଲାଇ ଓ ଅଗଷ୍ଟ ୨୦୨୦ପର୍ଯ୍ୟନ୍ତ ବଢ଼ାଇ ଦିଆଯିବ। କମ ଆୟ କରୁଥିବା ଶ୍ରମିକମାନଙ୍କ ସମ୍ମୁଖରେ ଆସୁଥିବା ସମସ୍ୟାକୁ ହ୍ରାସ କରିବା ଲାଗି ସରକାରଙ୍କ ଦ୍ଵାରା ସମୟ ସମୟରେ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ହିତାଧିକାରୀମାନେ ଭଲ ଭାବେ ସ୍ଵୀକାର କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ