ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ ୨୦୧୯ ଲୋକସଭାରେ ଗୃହୀତ
“୧୯୪୮ରେ ସେନାକୁ ସ୍ୱାଧୀନତା ଦିଆଯାଇଥିଲେ ପିଓକେ ସମେତ ସମ୍ପୂର୍ଣ୍ଣ କାଶ୍ମୀର ଭାରତର ଅଂଶବିଶେଷ ହୋଇଥାନ୍ତା : ସ୍ୱରାଷ୍ଟ୍ର ମନ୍ତ୍ରୀ ”
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଲାଗି ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ ୨୦୧୯ ଅନ୍ତର୍ଗତ ଦୁଇଟି ସଂକଳ୍ପ ଏବଂ ଓ ଦୁଇଟି ବିଲ ବିଚାର ଏବଂ ଗୃହୀତ କରିବା ନିମନ୍ତେ ଉପସ୍ଥାପନ କରିଥିଲେ । ୧, ୩୭୦ (୧)ର ବ୍ୟବସ୍ଥା ଅନୁଯାୟୀ ଜାମ୍ମୁ ଓ କାଶ୍ମୀର ଲାଗି ସାମ୍ବିଧାନିକ ଅଧ୍ୟାଦେଶ୨, ୩୭୦ (୩) ଅନୁଯାୟୀ ଧାରା ୩୭୦କୁ ଉଚ୍ଛେଦ କରିବାର ସଂକଳ୍ପ ୩, ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଲାଗି ବିଲ ୪, ଜାମ୍ମୁ-କାଶ୍ମୀର ସଂରକ୍ଷଣ (ଦ୍ୱିତୀୟ ସଂଶୋଧନ) ବିଲ ୨୦୧୯ ଏହି ଅବସରରେ ଶାହ କହିଥିଲେ ଯେ ସରକାର ଦେଶର କଲ୍ୟାଣ ପାଇଁ ନିଷ୍ପତି ନେବାରେ ପଛକୁ ହଟିବେ ନାହିଁ । ଏ ସରକାରଙ୍କ ଉଦ୍ଦେଶ୍ୟ କାଶ୍ମୀର ଘାଟିରେ ଶାନ୍ତି ପ୍ରତିଷ୍ଠା କରିବା । ଘାଟିର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା । ତାଙ୍କର କହିବା କଥା ଥିଲା ଯେ ମୋଦୀ ସରକାର ଯୁବକମାନଙ୍କୁ ଉନ୍ନତ ଭବିଷ୍ୟତ ଦେବାକୁ ଚାହୁଁଛି, ତାଙ୍କୁ ଉତମ ଶିକ୍ଷା, ଭଲ ରୋଜଗାର ଦେବାକୁ ଚାହୁଁଛି, ସେମାନଙ୍କୁ ସମ୍ପନ୍ନ କରିବା ଲାଗି ଚାହୁଁଛି । ଯାହାଫଳରେ ଭାରତର ଅନ୍ୟ ଭାଗରେ ଯେପରି ବିକାଶ ହୋଇଛି କାଶ୍ମୀରରେ ମଧ୍ୟ ସେପରି ବିକାଶ ହୋଇପାରିବ । ସାରା ଦିନର ବିତର୍କ ପରେ କେହି ଜଣେ ସଦସ୍ୟ ଧାରା ୩୭୦ର ଲାଭ ବିଷୟରେ କହିନାହାନ୍ତି । କାରଣ ୩୭୦ର କୌଣସି ଲାଭ ନାହିଁ । ସେ ଧାରା ୩୭୦ କାରଣରୁ ଜାମ୍ମୁ ଓ କାଶ୍ମୀରର ଜନତାଙ୍କ ସହିତ ହେଉଥିବା ବିଶ୍ୱାସଘାତକତା ବିଷୟରେ କହିଥିଲେ ଯେ ଏହି ଧାରା କାରଣରୁ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିନାହିଁ । ଏହି ଧାରା ମହିଳା ବିରୋଧୀ, ଗରିବ ବିରୋଧୀ, ଆଦିବାସୀ ବିରୋଧୀ । ସେ ଆହୁରି କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରରେ ଗଣତନ୍ତ୍ର ପୂର୍ଣ୍ଣପ୍ରତିଷ୍ଠା ହୋଇପାରିନାହିଁ । ଦୁର୍ନୀତି ବୃଦ୍ଧି ପାଇ ଚରମ ସୀମାରେ ପହଁଚିଛି । ସେ ଏହା ମଧ୍ୟ କହିଥିଲେ ଯେ ଧାରା ୩୭୦ ହଟିବାରେ କାହାର କିଛି ଅସୁବିଧା ନାହିଁ । କେବଳ ସେଠାରେ ଦୁର୍ନୀତିର ତଦନ୍ତ ହେଉଥିବାରୁ ଏତେ ହୋହଲ୍ଲା ହେଉଛି । କାଶ୍ମୀରର ଲୋକମାନେ ଆମର, ଆମେ ସେମାନଙ୍କୁ କୋଳେଇ ନେବୁ । ଯଦି ସେମାନଙ୍କ ମନରେ କୌଣସି ସନ୍ଦେହ ରହିଛି ତା’ହେଲେ ଆମେ ଆଲୋଚନା କରିବୁ । କିନ୍ତୁ ପାକିସ୍ତାନର କୃପା ଳାଭ କରୁଥିବା ଲୋକଙ୍କ ସହିତ କୌଣସି ଆଲୋଚନା ହେବ ନାହିଁ, ହୁରିୟତ ସହ କୌଣସି ଆଲୋଚନା ହେବ ନାହିଁ । ସଂସଦରେ ମୁଁ ଜାମ୍ମୁ କାଶ୍ମୀର କଥା କହୁଛି ମାନେ ସେଥିରେ ପାକ୍ ଅଧିକୃତ କାଶ୍ମୀର ଓ ଅକସାଇ ଚୀନ ମଧ୍ୟ ସାମିଲ ଅଛି । ବିରୋଧୀ ଦଳ ପକ୍ଷରୁ କାଶ୍ମୀର ପ୍ରସଙ୍ଗ ମିଳିତ ଜାତିସଂଘର ବିଚାରରେ ଥିବା ଉଠାଯିବା ସମ୍ପର୍କରେ ଶାହ କହିଥିଲେ ଯେ ଏ ସମ୍ପର୍କରେ କୌଣସି ମାମଲା ପଡ଼ି ରହିନାହିଁ ଏବଂ ଜାମ୍ମୁ ଓ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ । ଭାରତର ସୀମା ଭିତରେ କୌରସି ନିଷ୍ପତି ନେବା ଲାଗି ସଂସଦ ନିକଟରେ କ୍ଷମତା ରହିଛି । ପ୍ରଧାନମନ୍ତ୍ରୀ ସଦନରେ ପ୍ରବେଶ କରିବା ସମୟରେ ସାଂସଦମାନଙ୍କ ଦ୍ୱାରା ଅଭିବାଦନ ବ୍ୟକ୍ତ କରାଯିବା ଉପରେ ବିରୋଧୀ ଦଳ ପକ୍ଷରୁ ଆପତି କରାଯିବା ପ୍ରସଙ୍ଗରେ ୭୦ ବର୍ଷର ଯନ୍ତ୍ରଣା ଦୂର ହେଉଥିବା କାରଣରୁ ଆନନ୍ଦର ଅଭିବ୍ୟକ୍ତି ସ୍ୱଭାବିକ । ଗୃହ ମନ୍ତ୍ରୀ ବିରୋଧୀ ଦଳଗୁଡ଼ିକର ଅଭିଯୋଗର ଜବାବ ଦେଇ କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରରେ ଆଇନଶୃଙ୍ଖଳା ରକ୍ଷା ପାଇଁ କର୍ଫ୍ୟୁ ଜାରି କରାଯାଇଛି, ସୁରକ୍ଷା କାରଣରୁ ସୁରକ୍ଷାବାହିନୀକୁ ନିୟୋଜିତ କରାଯାଇଛି । ଧାରା ୩୭୦ ପୂର୍ବରୁ ଅସ୍ଥାୟୀ ଥିଲା ଏବଂ ଅସ୍ଥାୟୀ ବ୍ୟବସ୍ଥାୁ ୭୦ ବର୍ଷ ପର୍ଯ୍ୟନ୍ତ ବଳବତର ଥିଲା । ପ୍ରସ୍ତାବକୁ ବିରୋଧ କରୁଥିବା ସଦସ୍ୟମାନଙ୍କୁ ପଚାରିଥିଲେ ଯେ ଐତିହାସିକ ଢଙ୍ଗରେ କେନ୍ଦ୍ରୀୟ ପାଣ୍ଠିର ଅଧିକାଂଶ ଭାଗ ଜାମ୍ମୁ ଓ କାଶ୍ମୀରକୁ ଦିଆଗଲା, ଏହା ପରେ ମଧ୍ୟ ମୌଳିକ ଭିତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ନିଯୁକ୍ତିର ସୁଯୋଗ ଆଦି ବିକାଶ କାର୍ଯ୍ୟ କାହିଁକି ହେଲା ନାହିଁ? ଏହି ରାଜ୍ୟ ଦେଶର ଅନ୍ୟ ରାଜ୍ୟ ଭଳି ବିକଶିତ କାହିଁକି ହୋଇପାରିଲା ନାହିଁ? ରାଜନୈତିକ ସ୍ୱାର୍ଥ ପାଇଁ ଯୁବକମାନଙ୍କୁ ଉପଯୋଗ କରାଯାଉଛି । ରାଜ୍ୟର କେବଳ ତିନୋଟି ପରିବାର ଏହି ପାଣ୍ଠିରୁ ବ୍ୟକ୍ତିଗତ ଲାଭ ପାଉଛନ୍ତି । ଲିଙ୍ଗ, ଜାତି, ବର୍ଣ୍ଣ ଏବଂ ମୂଳ ବାସିନ୍ଦା ଆଧାରରେ ଧାରା ୩୭୦ର ବ୍ୟବସ୍ଥାକୁ ଗୃହ ମନ୍ତ୍ରୀ ଭେଦଭାବପୂର୍ଣ୍ଣ ବୋଲି କହିଥିଲେ । ବିଲକୁ ବିରୋଧ କରୁଥିବା ସଦସ୍ୟମାନଙ୍କୁ କହିଥିଲେ ଯେ ହୋହଲ୍ଲା କରିବା ବଦଳରେ ୩୭୦ ଦେଶର କେତେ କ୍ଷତି କରିଛି ତା’ ଉପରେ ଆଲୋଚନା କରାଯିବା ଆବଶ୍ୟକ । ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରାଯିବା ପରେ ଜାମ୍ମୁ-କାଶ୍ମୀରରେ ଘରୋଇ ନିବେଶର ମାର୍ଗ ଖୋଲିବ । ଫଳରେ ବିକାଶ ସମ୍ଭାବନା ବୃଦ୍ଧି ପାଇବ । ନିବେଶରୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ରାଜ୍ୟର ସାମାଜିକ-ଆର୍ଥିକ ମୌଳିକ ଭିତିଭୂମିରେ ସୁଧାର ଆସିବ । ସେ କହିଥିଲେ ଯେ ଶିଳ୍ପ ବିକାଶ ଲାଗି ଘରୋଇ ବ୍ୟକ୍ତିବିଶେଷ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ନିବେଶ କରିବେ । ଫଳରେ ସ୍ଥାନୀୟ ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ହାସଲ କରିବ । ସେ କହିଥିଲେ ଯେ ଆଜି ଐତିହାସିକ ଭୁଲ ସୁଧାରିବାର ଦିନ । ଅମିତ ଶାହ କହିଥିଲେ ଯେ ଏ ସଦନରେ ଭାରତର ଏକତା ଏବଂ ଅଖଣ୍ଡତା ଲାଗି ଏଥି ପୂର୍ବରୁ ଅନେକ ଐତିହାସିକ ମୁହୂର୍ତ ଆସିଛି ଏବଂ ଅନେକ ଥର ସଦନ ନିଜର ପ୍ରତିବଦ୍ଧତା ସାବ୍ୟସ୍ତ କରିସାରିଛି । ପୁଣିଥରେ ଆଜି ଅନୁରୋଧ ଯେ ଏହି ବିଲ ଉପରେ ଐତିହାସିକ ନିଷ୍ପତି ଲାଗି ସମସ୍ତ ସଦସ୍ୟ ଏକଜୁଟ ହୁଅନ୍ତୁ ।


