‘ଅଗଷ୍ଟ କ୍ରାନ୍ତି’ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଭାରତ ସ୍ୱାଧୀନତା ସଂଗ୍ରାମ ଐତିହାସିକ, ଚିରସ୍ମରଣୀୟ ଅଗଷ୍ଟ କ୍ରାନ୍ତି ଦିବସର ୭୭ତମ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ କେନ୍ଦ୍ର, ନୂଆଦିଲ୍ଲୀ, ଓଡ଼ିଶା ଶାଖା ଆନୁକୂଲ୍ୟରେ “ଗଣତନ୍ତ୍ର ସୁରକ୍ଷା” ଅଭିଯାନ ସଭା ଓ କାର୍ଯ୍ୟକ୍ରମକୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ଅନୁଷ୍ଠାନର ଜାତୀୟ ସଭାପତି ଶ୍ରୀ ବ୍ରଜକିଶୋର ତ୍ରିପାଠୀ ଉଦ୍ଘାଟନ କରିଥିଲେ ଓ ବିଶିଷ୍ଟ ସମାଜବାଦୀ ନେତା ଶ୍ରୀ ପଞ୍ଚାନନ ସେନାପତି ସଭାରେ ସଭାପତିତ୍ୱ କରିଥିଲେ । ଅଗଷ୍ଟ କ୍ରାନ୍ତି ସମୟରେ ଯୁବକମାନଙ୍କ ମଧ୍ୟରେ ଥିବା ଉନ୍ମାଦନା ଓ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ଦେଶ ସ୍ୱାଧୀନ କରିବାର ସଂକଳ୍ପ ଓ ତ୍ୟାଗକୁ ବକ୍ତାମାନେ ସ୍ମରଣ କରିଥିଲେ । ସଭାରେ ବକ୍ତାମାନେ ଗତ ଅଗଷ୍ଟ କ୍ରାନ୍ତିର ଓ ସ୍ୱାଧୀନତା ସଂଗ୍ରାମର ବିଶ୍ୱାସକୁ ଧୂଳିସାତ କରି ପରବର୍ତ୍ତୀ ସମୟର କୁଶାସନ ପାଇଁ ଦେଶରେ ଆଜି ଭ୍ରଷ୍ଟା•ର, ଦୁର୍ନୀତି, ଆର୍ଥିକ ବୈଷମ୍ୟ, ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି ଚରମ ଅବସ୍ଥାରେ ଏବଂ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିବା ତଥା ପୋଲିସ୍ ଦ୍ୱାରା ଚାଷୀ, ଛାତ୍ର, ସାମ୍ବାଦିକଙ୍କ ସମେତ ଜମି, ଖଣି, ଜଳ ଓ ଜଙ୍ଗଲ ସତ୍ତ୍ୱ ଓ ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ସାଧାରଣ ଜନତା ଅତ୍ୟଚାରିତ ହେଉଥିବା, ରାଜନୈତିକ ଦଳମାନଙ୍କର ଆଭ୍ୟନ୍ତରୀଣ ଗଣତନ୍ତ୍ର ବିଲୁପ୍ତ ହେଉଥିବା, ସଂସଦୀୟ ଗଣତନ୍ତ୍ର ଜନସାଧାରଣଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ତଥା ବ୍ୟବସ୍ଥାପକ ମାନଙ୍କର ନୈତିକ ଅଧୋପତ୍ତନ ବିଷୟରେ ବକ୍ତବ୍ୟ ମାଧ୍ୟମରେ ଉଦ୍ବେଗ ପ୍ରକାଶ କରି ଜୟପ୍ରକାଶଙ୍କ “ସମ୍ପୂର୍ଣ୍ଣ କ୍ରାନ୍ତି” ହାସଲ ପାଇଁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗରେ ଗଣତନ୍ତ୍ରର ସୁରକ୍ଷା ପାଇଁ ତୃତୀୟ ସ୍ୱାଧୀନତା ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ ।


