ଉନ୍ମୋଚିତ ହେଲା ନ୍ୟାସନାଲ ଓଭରସିଜ୍‌ ଓ ଟ୍ରାଇବାଲ ଫେଲୋସିପ୍‌ ପୋର୍ଟାଲ

ନୂଆଦିଲ୍ଲୀ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଏଥିସହିତ ଆଦିବାସୀଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ପୋର୍ଟାଲ ‘ସ୍ୱାସ୍ଥ୍ୟ’ ଏବଂ ଏ ସଂକ୍ରାନ୍ତ ଇ-ନିଉଜ ଲେଟର ‘ଅଲେଖ’ ଏକ ନ୍ୟାସନାଲ ଓଭରସିଜ୍‌ ଏବଂ ଟ୍ରାଇବଲ ଫେଲୋସିପ୍‌ ପୋର୍ଟାଲ ମଧ୍ୟ ଉନ୍ମୋଚିତ ହୋଇଛି । ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରମତୀ ରେଣୁକା ସିଂହ ସରୁତା, କ୍ୟାବିନେଟ ସେକ୍ରେଟେରିଏଟର ସମନ୍ୱୟ ସଚିବ ଭି.ପି ଜୟ, ମନ୍ତ୍ରଣାଳୟର ସଚିବ ଦୀପକ ଖଣ୍ଡେକର, ଯୁଗ୍ମ ସଚିବ ନବଲଜିତ୍‌ କପୁର ପ୍ରମୁଖ ଉପସ୍ଥିତ ଥିଲେ । କପୁର ମନ୍ତ୍ରଣାଳୟର ଡ୍ୟାସ୍‌ବୋର୍ଡ ଏବଂ ୧୧ଟି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀ. ଅର୍ଜୁନ ମୁଣ୍ଡା ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ଇ-ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଭାରତର ଆଦିବାସୀ ସଂପ୍ରଦାୟର ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସଂକ୍ରାନ୍ତ ଏହି ପୋର୍ଟାଲ ଦେଶରେ ଏହି ଧରଣର ପ୍ରଥମ । ଦେଶର ବିଭିନ୍ନ ଅଞ୍ଚଳରୁ ଆଦିବାସୀମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସଂକ୍ରାନ୍ତ ସଂଗୃହୀତ ତଥ୍ୟ ଏହି ପୋର୍ଟାଲରେ ଉପଲବ୍‌ଧ । ଏହା ସହିତ ମଧ୍ୟ ଅଭିନବ ବ୍ୟବହାର ଓ ଚଳଣି, ଗବେଷଣା ସଂକ୍ରାନ୍ତ ତଥ୍ୟ, ବିଭିନ୍ନ ପ୍ରସଙ୍ଗର ଅନୁଧ୍ୟାନ ଏବଂ ଉପଲବ୍‌ଧି ଆଦି ଏହି ପୋର୍ଟାଲରେ ଯୋଗାଇଦେବାର ବ୍ୟବସ୍ଥା ରହିଛି । ନଲେଜ ମ୍ୟାନେଜମେଣ୍ଟ ପାଇଁ ଆଦିବାସୀ ମନ୍ତ୍ରଣାଳୟ ପିରାମଲ ସ୍ୱାସ୍ଥ୍ୟକୁ ଏ କ୍ଷେତ୍ରରେ ଉତ୍କର୍ଷ କ୍ଷେତ୍ର ଓ ସହଯୋଗୀଭାବେ ମନୋନୀତ କରିଛି । ଏହି ସଂସ୍ଥା ନିରନ୍ତର ଆଦିବାସୀ ମନ୍ତ୍ରଣାଳୟ ସହିତ ସଂଯୁକ୍ତ ହୋଇ ବିଭିନ୍ନ ପ୍ରକାର ତଥ୍ୟ ଲୋକଙ୍କୁ ଯୋଗାଇଦେବ । ଏହି ପୋର୍ଟାଲ http://swasthya.tribal.gov.inରେ ଉପଲବ୍‌ଧ । ଏହି ଅବସରରେ ମୁଣ୍ଡା କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଉଛନ୍ତି । ଯଦିଓ ଇତିମଧ୍ୟରେ ସ୍ୱାସ୍ଥ୍ୟସେବାର ମାନ ବଢିଛି, ତଥାପି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି । ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଏହି ବ୍ୟବଧାନ ଦୂର କରିବାକୁ ଚେଷ୍ଟା ଚାଲିଛି । ଏହି ସ୍ୱାସ୍ଥ୍ୟ ପୋର୍ଟାଲ ଉନ୍ମୋଚିତ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ ଆଦିବାସୀ ସଂପ୍ରଦାୟଙ୍କୁ ସେବା ଯୋଗାଇବାରେ ସହାୟକ ହେବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଭାରତ ଲକ୍ଷ୍ୟ ପୂରଣ କରିବାରେ ଏହା ସହାୟକ ହୋଇପାରିବା ଘେନି ସେ ଆଶା ପ୍ରକାଶ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଫେସ୍‌ବୁକ୍‌ ସହ ଅଂଶୀଦାରୀରେ ଏକ ‘ଗୋଲ୍‌’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଏହାର ଅର୍ଥ- ଗୋଇଂ ଅନ୍‌ଲାଇନ ଆଜ୍‌ ଲିର୍ଡସ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରେ 5 ହଜାର ଆଦିବାସୀ ଯୁବକ ଯୁବତୀଙ୍କୁ ମେଣ୍ଟର୍‌ଭାବେ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ସେମାନେ ଗ୍ରାମସ୍ତରରେ ନିଜ ସଂପ୍ରଦାୟ ପାଇଁ ଡିଜିଟାଲ ଯୁବନେତାଭାବେ କାର୍ଯ୍ୟ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମନ୍ତ୍ରଣାଳୟ କଠୋର ପରିଶ୍ରମ କରୁଛି । ଏହି ଯୋଜନା ଆଦିବାସୀ ସମୁଦାୟକୁ ସବଳ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଏହି ମେଣ୍ଟର୍‌ମାନେ ଆଦିବାସୀମାନଙ୍କ ଦକ୍ଷତା ବିକାଶ, ସେମାନଙ୍କ ସମସ୍ୟା ଚିହ୍ନଟ ଓ ତାହାର ସମାଧାନ ଏବଂ ସେମାନଙ୍କ ଜ୍ଞାନବୁଦ୍ଧିରେ ସହାୟକ ହୋଇ ସାମାଜିକ, ଆର୍ଥିକ ବିକାଶରେ ନେତୃତ୍ୱ ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ‘ଗୋଲ୍‌’ କାର୍ଯ୍ୟକ୍ରମ ପ୍ରତି ସଂପୃକ୍ତ ସବୁ ବର୍ଗର ବିପୁଳ ସାହାଯ୍ୟ ସହଯୋଗ ରହିଛି । ଏଥିରେ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି । ଆସନ୍ତା ସେପ୍ଟେମ୍ବର ୫ତାରିଖରେ ଗୁରୁ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହେବ । ଡିବିଟି ପୋର୍ଟାଲ ସଂପର୍କରେ ଉଲ୍ଲେଖ କରି ମୁଣ୍ଡା କହିଛନ୍ତି ଯେ ସୂଚନା ପ୍ରଯୁକ୍ତି ମାଧ୍ୟମରେ ସ୍କଲରସିପ୍‌ ସ୍କିମ୍‌ କାର୍ଯ୍ୟକାରୀ କରି ଆଦିବାସୀମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅବଦାନ ପାଇଁ ନିକଟରେ 66ତମ ସ୍କଚ୍‌ ଗୋଲ୍ଡ ଆୱାର୍ଡ ପାଇଛି । ଆଦିବାସୀ ସମୁଦାୟକୁ ସାମାଜିକ ମୁଖ୍ୟ ଧାରାରେ ସାମିଲ କରିବା ସହିତ ବିଭିନ୍ନ ସରକାରୀ ଯୋଜନାର ଲାଭ ଡିବିଟି ବ୍ୟବସ୍ଥାରେ ଯୋଗାଇ ଦେବାକୁ ଉଦ୍ୟମ ଚାଲିଛି । ଏଥିପାଇଁ ଯେଉଁ ପୋର୍ଟାଲ ଖୋଲାଯାଇଛି ତାହା ଇ-ପ୍ରଶାସନର ଅଂଶବିଶେଷ । ଏହାଦ୍ୱାରା ସେବା ପ୍ରଦାନ କ୍ଷେତ୍ରରେ ଆଦିବାସୀମାନେ ଆଉ ପଛରେ ପଡିବେ ନାହିଁ ଏବଂ ଏହି ବର୍ଗର ପିଲାମାନେ ଉପଯୁକ୍ତ ସମୟରେ ସରକାରୀ ବୃତ୍ତି ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିବେ । ସେହିଭଳି ଜାତୀୟ ଫଲୋସିପ୍‌ ଓ ଦରିଆପାରି ଫେଲୋସିପ୍‌ ପାଇଁ ସରକାର ଯେଉଁସବୁ ସୁବିଧା ସୁଯୋଗ ଯୋଗାଉଛନ୍ତି ତାହା ଏହି ପୋର୍ଟାଲରେ ଉପଲବ୍‌ଧ ହେବ । ଏହି ଦୁଇ ପୋର୍ଟାଲ ଆଦିବାସୀଙ୍କୁ ସଶକ୍ତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଆଦିବାସୀ ମନ୍ତ୍ରଣାଳୟର ଡ୍ୟାସବୋର୍ଡର ପ୍ରଦର୍ଶନ ସଂପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏହା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଏବଂ ଆଦିବାସୀଙ୍କ ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ । ଏହା ମାଧ୍ୟମରେ ଶାସନ ବ୍ୟବସ୍ଥାରେ ଦକ୍ଷତା ବୃଦ୍ଧି ପାଇବ ଓ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ପରିଲକ୍ଷିତ ହେବ । ଏଥିରେ ଆଦିବାସୀ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ 37ଟି ମନ୍ତ୍ରଣାଳୟ ଯେଉଁ ଅର୍ଥ ଯୋଗାଉଛନ୍ତି ସେ ସଂପର୍କରେ ମଧ୍ୟ ତଥ୍ୟ ମିଳିପାରିବ । ନୀତି ଆୟୋଗଙ୍କ ନିଷ୍ପତ୍ତିକ୍ରମେ ଆଦିବାସୀଙ୍କ ବିକାଶ ପାଇଁ ଏସବୁ ଅର୍ଥ ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଉଛି । ‘ସେଡା’ ପକ୍ଷରୁ ଏହି ଡ୍ୟାସ୍‌ବୋର୍ଡ ବିକଶିତ କରାଯାଇଛି ଏବଂ ଏହା ନ୍ୟାସନାଲ ଇନଫର୍‌ମେଟିକ ସହ ସଂଯୁକ୍ତ । ଏହା http://dashboard.tribal.gov.in ରେ ଉପଲ୍‌ବଧ । ମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂହ ସରୁତା ଏହି ଅବସରରେ ତ୍ରୈମାସିକ ଇ-ନିଉଜ ଲେଟର ‘ଅଲେଖ’କୁ ଉନ୍ମୋଚନ କରିଥିଲେ । ସେ କହିଥିଲେ ଯେ ଆଦିବାସୀଙ୍କ ସ୍ୱାସ୍ଥ୍ୟ ଓ ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ଯେଉଁ ବ୍ୟକ୍ତିବିଶେଷ ଓ ସଂଗଠନମାନେ ନିରନ୍ତର ଉଦ୍ୟମ କରୁଛନ୍ତି ସେମାନଙ୍କ ନିକଟରେ ସେ ବିଶେଷ ଋଣୀ । କରୋନା ମହାମାରୀ ସମୟରେ ଯେଉଁମାନେ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ସେ ସାଧୁବାଦ ଜଣାଇଛନ୍ତି । ଏହି ନିଉଜ ଲେଟର ଆଦିବାସୀଙ୍କ କଲ୍ୟାଣକଳ୍ପେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିବା ସହିତ ପରସ୍ପରର ସଫଳତା ଓ ବିଫଳତାରୁ ଶିଖିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ‘ଗୋଲ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀଙ୍କୁ ଡିଜିଟାଲ ସାକ୍ଷର କରିବା ପାଇଁ ଯେଉଁ ଉଦ୍ୟମ ହେଉଛି ସେଥିରେ ସେ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଏହାଦ୍ୱାରା ଆଦିବାସୀ ଯୁବତୀମାନେ ବିଶେଷ ଉପକୃତ ହେବେ ଏବଂ ସମଗ୍ର ଆଦିବାସୀ ସମାଜ ଲାଭବାନ ହୋଇ ନିଜର ସାମାଜିକ ଓ ଆର୍ଥିକ ବିକାଶରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିବେ । କ୍ୟାବିନେଟ ସେକ୍ରେଟେରିଏଟର ସମନ୍ୱୟ ସଚିବ ଭିପି ଜୟ ଏହି ଅବସରରେ ଜାତୀୟ ଦରିଆପାରି ଓ ଜାତୀୟ ଫେଲୋସିପ୍‌ ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଏହା ମାଧ୍ୟମରେ ୨୦୨୦ ଆର୍ଥିକ ବର୍ଷ ପାଇଁ ଅନ୍‌ଲାଇନ ଆବେଦନପତ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି । ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସବୁ ବୃତ୍ତିକୁ ଏକୀକୃତ କରାଯାଇ ଏକ ଚମତ୍କାର ଡାଟାବେସ୍‌ ପ୍ରସ୍ତୁତ କରାଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ଏହା ଫଳରେ ଏହି ବୃତ୍ତି ପ୍ରଦାନରେ ଆଉ କୌଣସି ତ୍ରୁଟିବିଚ୍ୟୁତି ରହିବା ନାହିଁ ବୋଲି ସେ କହିଛନ୍ତି । ଏହି ଅବସରରେ ପିରାମଲ ଫାଉଣ୍ଡେସନର ସିଇଓ ପରଶନିଶ୍‌, ପିରାମଲ ସ୍ୱାସ୍ଥ୍ୟର ପବ୍ଳିକ୍‌ ହେଲ୍‌ଥ ଇନୋଭେସନ ବିଭାଗ ଉପସଭାପତି ଶୈଳେନ୍ଦ୍ର ହେଗେଡ ଏବଂ ଫେସ୍‌ବୁକ୍‌ର ରଜତ ଅରୋରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ