ଇନ୍ଦୋର କ୍ରମାଗତ ଚତୁର୍ଥ ଥର ପାଇଁ ଦେଶର ସବୁଠୁ ପରିଚ୍ଛନ୍ନ ସହର ବିବେଚିତ

ନୂଆ ଦିଲ୍ଲୀ:କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର (ସ୍ୱାଧୀନ ଦାୟିତ୍ୱ) ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ସ୍ୱଚ୍ଛ ସର୍ଭେକ୍ଷଣ କାର୍ଯ୍ୟକ୍ରମ ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ମିଳିଥିବା ଲାଭକୁ ଆଗେଇ ନେବାରେ ଆମକୁ ସାହାଯ୍ୟ କରିବ । ଏହା ମଧ୍ୟ ଆମ ସହରଗୁଡିକୁ ସଂପୂର୍ଣ୍ଣ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ଏକ ପୂର୍ଣ୍ଣାଙ୍ଗ ରାସ୍ତା ଦେଖାଇବ । ଆମ ସହରଗୁଡିକର ଉପଲବ୍ଧି ଦର୍ଶାଉଛି ଯେ ଆମେ କେବଳ ସ୍ୱଚ୍ଛ ବା ପରିଷ୍କାର ନୁହେଁ, ଏକ ସୁସ୍ଥ, ସଶକ୍ତ, ସଂପନ୍ନ ଓ ଆତ୍ମନିର୍ଭର ନୂଆ ଭାରତ ଗଠନ ଦିଗରେ ଉପଯୁକ୍ତ ମାର୍ଗରେ ଗତି କରୁଛୁ । ତାଙ୍କ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପଞ୍ଚମ ସ୍ୱଚ୍ଛ ସର୍ଭେକ୍ଷଣ ବାର୍ଷିକ ପୁରସ୍କାର ଘୋଷଣା (୨୦୨୦ ଅବସର)ରେ ସେ କହିଛନ୍ତି ଯେ କରୋନା ଯୋଗୁଁ ଏଥରର ସ୍ୱଚ୍ଛ ମହୋତ୍ସବ ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ ହୋଇଛି । ଏହି ଅବସରରେ ସେ ଦେଶର ପ୍ରମୁଖ ସହରଗୁଡିକୁ ସ୍ୱଚ୍ଛତା ପୁରସ୍କାର ପ୍ରଦାନ କରିଛନ୍ତି ।
ପଞ୍ଚମ ସ୍ୱଚ୍ଛ ସର୍ଭେକ୍ଷଣରେ ଦେଶର ସବୁଠୁ ପରିସ୍କାର ସହରଭାବେ କ୍ରମାଗତ ଚତୁର୍ଥ ଥର ପାଇଁ ଇନ୍ଦୋର ପୁରସ୍କୃତ ହୋଇଛି । ଏଭଳି ସମ୍ମାନଜନକ ମର୍ଯ୍ୟଦା ପାଇବାରେ ଇନ୍ଦୋର ପ୍ରଥମ ସହର । ଦ୍ୱିତୀୟ ପରିଚ୍ଛନ୍ନ ସହରଭାବେ ସୁରତ ଏବଂ ତୃତୀୟ ପରିଚ୍ଛନ୍ନ ସହରଭାବେ ନବୀ ମୁମ୍ବାଇକୁ ପୁରସ୍କୃତ କରାଯାଇଛି । ଏହି ଦୁଇ ସହର ଏକଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ପୁରସ୍କାର ହାସଲ କରିଛନ୍ତି । ଏକ ଶହରୁ ଅଧିକ ଅର୍ବାନ ଲୋକାଲ ବଡି ବର୍ଗରେ ଛତିଶଗଡ ଦେଶର ମର୍ଯ୍ୟଦାଜନକ ସବୁଠୁ ପରିଚ୍ଛନ୍ନ ରାଜ୍ୟଭାବେ ପୁରସ୍କୃତ ହୋଇଥିବା ବେଳେ ୧୦୦ରୁ କମ୍ ୟୁଏଲ୍‌ବି ବର୍ଗରେ ଝାଡଖଣ୍ଡ ଦେଶର ସବୁଠୁ ସ୍ୱଚ୍ଛ ରାଜ୍ୟଭାବେ ପୁରସ୍କୃତ ହୋଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୁରୀ ଅତିରିକ୍ତ ୧୧୭ଟି ପୁରସ୍କାର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ର, ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ, ପ୍ରିନ୍ସପାଲ ସଚିବ, ମୁନିସିପାଲ କମିଶନର, ସ୍ୱଚ୍ଛତା କର୍ମୀ ଅନ୍‌ଲାଇନ ବ୍ୟବସ୍ଥାରେ ଯୋଗଦେଇଥିଲେ । ମନ୍ତ୍ରୀ କିଛି ବଛା ବଛା ଘରୋଇ ଶୌଚାଳୟର ହିତାଧିକାରୀ, ସଫେଇ କର୍ମୀ, ଅଣଆନୁଷ୍ଠାନିକ ଆବର୍ଜନା ଗୋଟାଳି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହିତ କଥାବାର୍ତ୍ତା କରିଥିଲେ ।
ଏହି ଅବସରରେ ବିଜେତାମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପୁରୀ କହିଛନ୍ତି ଯେ ୫ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତର ସ୍ୱପ୍ନ ଦେଖିଥିଲେ । ଆଜି ଆମେ ସହରାଞ୍ଚଳ ଭାରତର ସ୍ୱଚ୍ଛତା ଉପଲବ୍‌ଧି ଦେଖିଲେ ଉଭୟ ଗର୍ବିତ ଓ କୃତାର୍ଥ ମନେ କରୁଛୁ । ନାଗରିକମାନେ ବହୁ ସଂଖ୍ୟାରେ ଆଗେଇ ଆସି ସହଯୋଗ ଯୋଗାଇ ଏହି କାର‌୍ୟ୍ୟକ୍ରମକୁ ସଫଳ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଏହି କାର‌୍ୟ୍ୟକ୍ରମ ଜନସ୍ୱାସ୍ଥ୍ୟ, ଜୀବିକା, ଜୀବନଧାରଣର ମାନ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜନତାଙ୍କ ବିଚାର ଓ ବ୍ୟବହାରରେ ଯେଉଁ ଗଭୀର ରେଖାପାତ କରିଛି ତାହା ସବୁଠାରୁ ଅଧିକ ଉଲ୍ଲେଖଯୋଗ୍ୟ । ସହରାଞ୍ଚଳକୁ ନିରନ୍ତର ଆବର୍ଜନା ମୁକ୍ତ ରଖିବା ସହିତ ଉତ୍ପତ୍ତିସ୍ଥଳରୁ ଆବର୍ଜନାକୁ ଅଲଗା କରି ସ୍ୱଚ୍ଛ ପରିବେଶ ପାଇଁ ପ୍ରଯତ୍ନ ଜାରି ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ବର୍ଜନ କରିବା ସହିତ ସଫେଇ କର୍ମଚାରୀଙ୍କୁ ସମ୍ମାନ ଦେଖାଇ ସେମାନଙ୍କ କାର୍ଯ୍ୟକୁ ମର୍ଯ୍ୟଦା ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ବିଶ୍ୱର ସର୍ବବୃହତ୍ ସହରାଞ୍ଚଳ ପରିମଳ ସର୍ଭେ ସଂପର୍କରେ ସେ କହିଛନ୍ତି ଯେ ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ ୨୦୧୪ରେ ଆରମ୍ଭ ହୋଇଥିଲା । ଏହାର ଲକ୍ଷ୍ୟ ଥିଲା ସହରୀ ଭାରତକୁ ଶତପ୍ରତିଶତ ବାହ୍ୟ ମଳତ୍ୟାଗ ମୁକ୍ତ ଏବଂ କଠିନ ବର୍ଜ୍ୟକୁ ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରିବା । ସେତେବେଳେ ସହରାଞ୍ଚଳରେ ଉଭୟ କଠିନ ବର୍ଜ୍ୟ ପରିଚାଳନା ଏବଂ ବାହାରେ ମଳତ୍ୟାଗ ବନ୍ଦ କରିବା ବିଚାର ବିଶେଷ ପ୍ରଭାବଶାଳୀ ନ ଥିଲା । ମାତ୍ର ୧୮ ଶତାଂଶ କଠିନ ବର୍ଜ୍ୟକୁ ପ୍ରକ୍ରିୟାକୃତ କରାଯାଉଥିଲା । ପ୍ରଧାନମନ୍ତ୍ରୀ ଯେତେବେଳେ ସ୍ୱଚ୍ଛ ଭାରତର ସ୍ୱପ୍ନ ଦେଖିଲେ ସେତେବେଳେ ଏହି ଦୁଇଟି ବିଚାର ଗୁରୁତ୍ୱ ପାଇଲା । ବାହାରେ ମଳତ୍ୟାଗ ବନ୍ଦ କରିବା ସହିତ କଠିନ ବର୍ଜ୍ୟ ପରିଚାଳନା ପାଇଁ ନୂଆ ଯୋଜନା ଓ ଜ୍ଞାନକୌଶଳ ଉପରେ ଧ୍ୟାନ ଦିଆଗଲା । ଏହି ୫ ବର୍ଷ ମଧ୍ୟରେ ରାଜ୍ୟଗୁଡିକ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି ସ୍ୱଚ୍ଛତା କ୍ଷେତ୍ରରେ ନୂଆ ଉପଲବ୍‌ଧିମାନ ହାସଲ କରିଛନ୍ତି । ସହରଗୁଡିକୁ କିପରି ନିରବଚ୍ଛିନ୍ନଭାବେ ସ୍ୱଚ୍ଛ ରଖାଯାଇପାରିବ ସେଥିପାଇଁ ନିୟମିତ ସର୍ଭେ ଏବଂ କାର‌୍ୟ୍ୟାନୁଷ୍ଠାନମାନ ହାତକୁ ନିଆଯାଇ ସଫଳତା ମିଳିଛି । ଅଧିକାଂଶ ସହର ସ୍ୱଚ୍ଛତା କ୍ଷେତ୍ରରେ ଧାର୍ଯ୍ୟ ମାନଦଣ୍ଡକୁ ପୂରଣ କରି ନିଜକୁ ସ୍ୱଚ୍ଛ ଓ ପରିଷ୍କାର କରିପାରିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଗତ ୬ବର୍ଷ ମଧ୍ୟରେ ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନର ପ୍ରଗତିକୁ ଦେଖି ପରବର୍ତ୍ତୀ ପର‌୍ୟ୍ୟାୟ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । କଠିନ ବର୍ଜ୍ୟ ଓ ମଳକୁ ନିରାପଦ ସ୍ଥାନରେ ଏକାଠି କରି ଏହାର ନିରାପଦ ପରିବହନ ଏବଂ ବିଘଟନ କାର୍ଯ୍ୟ ସଂପାଦନ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଘରୁ ବାହାରୁଥିବା ମଳକୁ ସେପ୍‌ଟେଜ ଟ୍ୟାଙ୍କକୁ ଛାଡିବାର ବ୍ୟବସ୍ଥା ଏବଂ ଶୌଚାଳୟ ପାଣି ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହୃତ ପରିତ୍ୟକ୍ତ ପାଣିକୁ ଏଣେତେଣେ ଯିବାକୁ ନଦେଇ ଉଦ୍ଦିଷ୍ଟ ସ୍ୱରେଜରେ ଛାଡିବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ପରିତ୍ୟକ୍ତ ଜଳର ବିଶୋଧନ ଓ ପୁନଃ ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ସଫେଇ କର୍ମଚାରୀମାନେ ଏହି କ୍ରାନ୍ତିରେ ଆଗଧାଡିରେ ରହିଥିବାରୁ ସେମାନଙ୍କ ନିରାପତ୍ତା ଓ ସ୍ୱାସ୍ଥ୍ୟ ଉପରେ ଅଗ୍ରାଧିକା ପ୍ରଦା କରାଯାଉଛି । ସୁରକ୍ଷା ଉପକରଣ ସହିତ ଆଧୁନିକ ଯନ୍ତ୍ରପାତି ସେମାନଙ୍କୁ ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟୟରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ର କହିଛନ୍ତି ଯେ ୨୦୧୬ରେ ଜାନୁୟାରୀରେ ମାତ୍ର ୭୩ଟି ସହରରେ ପ୍ରଥମକରି ସ୍ୱଚ୍ଛ ସର୍ଭେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୭ ଜାନୁୟାରୀ-ଫେବୃୟାରୀରେ ୪୩୪ ସହରରେ ଏହା କରାଯାଇ ସହରଗୁଡିକର ସ୍ୱଚ୍ଛ ରେଙ୍କିଙ୍ଗ ନିର୍ଦ୍ଧାରିତ ହୋଇଥିଲା । ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ରେ ହୋଇଥିବା ସ୍ୱଚ୍ଛ ସର୍ଭେକ୍ଷଣ ବିଶ୍ୱର ସର୍ବବୃହତ୍ ଥିଲା । ଏଥିରେ ୪୨୦୩ ସହରକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ୨୦୧୯ରେ ଏହି ସହର ସଂଖ୍ୟା ୪୨୩୭କୁ ବୃଦ୍ଧି ପାଇଥିଲା ଏବଂ ଏହା ଡିଜିଟାଲ ବ୍ୟବସ୍ଥାରେ ଖୁବ୍ କମ୍ ଦିନରେ ସଂପନ୍ନ ହୋଇଥିଲା । ୨୦୨୦ରେ ଏହି ପ୍ରକ୍ରିୟାକୁ ଜାରି ରଖାଯାଇ ଦେଶର ୪୨୪୨ ସହର, ୬୧ କ୍ୟାଣ୍ଟନମେଣ୍ଟ ବୋର୍ଡ ଏବଂ ୯୭ଟି ଗଙ୍ଗା ଟାଉନରେ ସ୍ୱଚ୍ଛ ସର୍ଭେକ୍ଷଣ ସଂପନ୍ନ କରାଯାଇଛି । ଏଥିରେ ଅଭୂତପୂର୍ବ ଭାବେ ୧.୮୭ କୋଟି ନାଗରିକଙ୍କୁ ସଂପୃକ୍ତ କରାଯାଇଛି । ଏକଦା କେବଳ ଏକ ପର୍ଯ୍ୟବେକ୍ଷଣକାରୀ ବ୍ୟବସ୍ଥାଭାବେ ଆରମ୍ଭ ହୋଇଥିବା ସ୍ୱଚ୍ଛ ସର୍ଭେକ୍ଷଣ କାର୍ଯ୍ୟକ୍ରମ ଏବେ ଏକ ବୃହତ୍ ଉତ୍‌ପ୍ରେରକ ଭାବେ କାର‌୍ୟ୍ୟ କରୁଛି । ଏହାଫଳରେ ସ୍ୱଚ୍ଛତାକୁ ଆନୁଷ୍ଠାନିକ କରିବା ପାଇଁ ଏହା ସହାୟକ ହୋଇଛି । ସେ କହିଥିଲେ ଯେ ଚଳିତବର୍ଷ ସର୍ଭେ ଦଳ ୫୮ ହଜାର ଆବାସିକ ଓ ୨୦ ହଜାର ବ୍ୟାବସାୟିକ ଅଞ୍ଚଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଥିଲେ । ମାତ୍ର ୨୮ ଦିନ ମଧ୍ୟରେ ୬୪ ହଜାର ୱାର୍ଡରେ ଏହି କାର୍ଯ୍ୟ ସଂପନ୍ନ ହୋଇଥିଲା ।
୨୦୨୦ ସ୍ୱଚ୍ଛ ସର୍ଭେକ୍ଷଣର ମୁଖ୍ୟାଂଶ
ଚା ୧.୮୭ କୋଟି ନାଗରିକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି ।
ଚା ୧.୭ କୋଟି ଲୋକ ଏଥିପାଇଁ ସ୍ୱଚ୍ଛତା ଆପ୍‌ରେ ପଞ୍ଜୀକୃତ ହୋଇଛନ୍ତି ।
ଚା ୧୧ କୋଟିରୁ ଅଧିକ ଇମ୍ପ୍ରେସନ ସୋସିଆଲ ମିଡିଆରେ ମିଳିଛି ।
ଚା ୫.୫ ଲକ୍ଷରୁ ଅଧିକ ସଫେଇ କର୍ମୀଙ୍କୁ ସାମାଜିକ କଲ୍ୟାଣ କାର‌୍ୟ୍ୟକ୍ରମରେ ସାମିଲ କରାଯାଇଛି ।
ଚା ୪ ଲକ୍ଷରୁ ଅଧିକ ଠିକା କର୍ମଚାରୀ ଅର୍ବାନ ଲୋକାଲ ବଡିଦ୍ୱାରା ନିଯୁକ୍ତି ପାଇଛନ୍ତି ।
ଚା ଦେଶର ୨୧ହଜାର ବିପଜ୍ଜନକ କଚରା ପଏଣ୍ଟକୁ ଚିହ୍ନଟ କରାଯାଇ ସେ ସବୁର ଉନ୍ନୟନ କାର୍ଯ୍ୟ କରାଯାଇଛି ।
୨୦୧୪ରୁ ଆରମ୍ଭ ହୋଇଥିବା ସହରାଞ୍ଚଳ ମିଶନ ଉଭୟ ପରିଚ୍ଛନ୍ନତା ଓ କଠିନ ବର୍ଜ୍ୟ ପରିଚାଳନାରେ ଉଲ୍ଲେଖନୀୟ ପ୍ରଗତି ଆଣିଛି । ୪୩୨୪ ଅର୍ବାନ ଲୋକାଲ ବଡି ଓଡିଏଫ୍ ଘୋଷିତ ହୋଇଥିବାବେଳେ ୧୩୧୯ ସହର ଓଡିଏଫ+ ଏବଂ ୪୮୯ ସହର ଓଡିଏଫ୍‌++ ମାନ୍ୟତା ପାଇଛନ୍ତି । ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ଅନୁସାରେ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୬୬ଲକ୍ଷ ଘରୋଇ ଶୌଚାଳୟ, ୬ଲକ୍ଷରୁ ଅଧିକ ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯାଇଛି । ଏହା ମିଶନର ଧାର୍ଯ୍ୟଲକ୍ଷ୍ୟଠାରୁ ଅଧିକ । ଗୁଗ୍‌ଲ ମ୍ୟାପରେ ୨୯୦୦ରୁ ଅଧିକ ସହରର ୫୯,୯୦୦ରୁ ଅଧିକ ଶୌଚାଳୟ ସ୍ଥାନ ପାଇଛି । ଦେଶର ୯୬ ପ୍ରତିଶତ ୱାର୍ଡରେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରାଯାଉଛି । ସଂଗୃହୀତ ହେଉଥିବା ଆବର୍ଜନାରୁ ୬୬ ଶତାଂଶକୁ ବିଶୋଧିତ କରାଯାଉଛି । ଏହି ହାର ୨୦୧୪ ତୁଳନାରେ ୪ଗୁଣ ଅଧିକ । ଇନ୍ଦୋର, ଅମ୍ବିକାପୁର, ନବୀ ମୁମ୍ବାଇ, ସୁରତ, ରାଜକୋଟ ଓ ମହୀଶୂର ଏହି ୬ଟି ସହର ଆବର୍ଜନା ମୁକ୍ତ ପାଇଁ ପାଞ୍ଚ ତାରକା ବିଶିଷ୍ଟ ସହରର ମାନ୍ୟତା ପାଇଛି । ଏହାଛଡା ୮୬ଟି ସହରକୁ ୩ତାରକା ଏବଂ ୬୪ଟି ସହରକୁ ଏକ ତାରକା ମାନ୍ୟତା ମିଳିଛି । ଆବର୍ଜନାମୁକ୍ତ ସହର ଭାବେ ଏହି ମାନ୍ୟତା ପ୍ରଦାନ କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ୨୦୨୦ ସ୍ୱଚ୍ଛ ସର୍ଭେକ୍ଷଣ ରିପୋର୍ଟ ଏବଂ ସ୍ୱଚ୍ଛ ସର୍ଭେକ୍ଷଣ ଇନୋଭେସନ ଓ ବେଷ୍ଟ ପ୍ରାକ୍ଟିସ୍‌, ସ୍ୱଚ୍ଛ ସର୍ଭେକ୍ଷଣ ସୋସିଆଲ ମିଡିଆ ରିପୋର୍ଟ ଏବଂ ଗଙ୍ଗା ଟାଉନ ଆକଳନ ରିପୋର୍ଟ ଆଦି ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନରେ ସହଯୋଗ କରୁଥିବା ଅଂଶୀଦାର ୟୁଏସ୍‌ଏଡ୍‌/ଇଣ୍ଡିଆ ବିଲ୍ ଓ ମିଲିଣ୍ଡା ଗେଟ୍ ଫାଉଣ୍ଡେସନ, ମାଇକ୍ରୋସଫ୍‌ଟ ଇଣ୍ଡିଆ, ଗୁଗ୍‌ଲୁ ଏବଂ ଜନାଗ୍ରହ ଆଦି ସଂସ୍ଥାକୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।
ଗତ ମାସରେ ମନ୍ତ୍ରଣାଳୟ ପକ୍ଷରୁ ସର୍ଭେର ଷଷ୍ଠ ସଂସ୍କରଣ ଆରମ୍ଭ ହୋଇଥିଲା । ଏହା ୨୦୨୧ ବର୍ଷ ପାଇଁ ଏହା ଉଦ୍ଦିଷ୍ଟ । ୨୦୨୧ ସର୍ଭେକ୍ଷଣରେ ବର୍ଜ୍ୟଜଳର ବିଶୋଧନ ତଥା ପୁନଃ ବ୍ୟବହାର, ମଳ ପରିଚାଳନା ତଥା ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିଭଳି ୨୦୨୧ ସର୍ଭେକ୍ଷଣରେ ପ୍ରେରକ ଦୌର ନାମରେ ଏକ ନୂଆ ସମ୍ମାନ ସୃଷ୍ଟି କରାଯାଇଛି । ଏଥିରେ ଅତିରିକ୍ତଭାବେ ୫ଟି ଉପବର୍ଗ ରହିଛି । ସେଗୁଡିକ ହେଲା- ଦିବ୍ୟ ବା ପ୍ଲାଟିନମ୍‌, ଅନୁପମ ବା ସ୍ୱର୍ଣ୍ଣ, ଉଜ୍ଜ୍ୱଳ ବା ସିଲଭର, ଉଦିତ ବା ବ୍ରୋଞ୍ଜ, ଆରୋହୀ ବା ଆସ୍ପାୟାରିଂ । ଏବେ ଯେଉଁ ଜନସଂଖ୍ୟା ବର୍ଗ ରହିଛି ତାହା ସହିତ ଏସବୁ ବର୍ଗ ରହିବ । ମୋଟ ୬ଟି ବର୍ଗରେ ସ୍ୱଚ୍ଛ ସହରଗୁଡିକୁ ବଛାଯିବ ।
ସ୍ୱଚ୍ଛ ଭାରତ ମିଶନରେ ଡିଜିଟାଲ ଜ୍ଞାନକୌଶଳର ପ୍ରୟୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏଥିସହିତ ସମନ୍ୱିତ ଏମ୍‌ଆଇଏସ୍ ପୋର୍ଟାଲ ପ୍ରସ୍ତୁତ କରାଯାଇ ଗୋଟିଏ ପ୍ଲାଟଫର୍ମରେ ବିଭିନ୍ନ ରାଜ୍ୟର ଉପଲବ୍‌ଧି ଓ ଅଭିଜ୍ଞତାକୁ ସ୍ଥାନିତ କରାଯାଉଛି । ସ୍ୱଚ୍ଛ ଭାରତ ମିଶନକୁ ଡିଜିଟାଲ ଇଣ୍ଡିଆ କାର‌୍ୟ୍ୟକ୍ରମ ସହିତ ସଂଯୁକ୍ତ କରାଯାଇଛି ।
ସହରଗୁଡିକର ରେଙ୍କିଙ୍ଗ ଦେଖିବା ପାଇଁ ଲଗ୍‌ଅନ କରନ୍ତୁ:
https://swachhsurvekshan2020.org/Rankings.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ