ଭାରତ-ଫିନ୍‌ଲ୍ୟାଣ୍ଡ ଭୂତତ୍ତ୍ୱ ଓ ଖଣିଜ ସମ୍ପଦ ବୁଝାମଣା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆ ଦିଲ୍ଲୀ:ଖଣି, ଭୂତତ୍ତ୍ୱ ଓ ଖଣିଜ ସମ୍ପଦର ଉତ୍ତୋଳନ ଓ ବିକାଶ ପାଇଁ ମିଳିତଭାବେ କାର‌୍ୟ୍ୟ କରିବାକୁ ଭାରତ ଏବଂ ଫିନ୍‌ଲ୍ୟାଣ୍ଡ ରାଜି ହୋଇଛନ୍ତି । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ତାହାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଆଜି ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ସବୁଜ ସଂକେତ ପ୍ରଦାନ କରାଯାଇଛି । ଏହି ବୁଝାମଣାପତ୍ରରେ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଜିଏସ୍‌ଆଇ), ଖଣି ମନ୍ତ୍ରଣାଳୟ ଏବଂ ଫିନ୍‌ଲ୍ୟାଣ୍ଡର ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏବଂ ସେଠାକାର ନିଯୁକ୍ତି ଓ ଅର୍ଥନୀତି ମନ୍ତ୍ରଣାଳୟ ସ୍ୱାକ୍ଷର କରିବେ ।
ଏହି ବୁଝାମଣା ପରେ ଫିନ୍‌ଲ୍ୟାଣ୍ଡ ସହଯୋଗରେ ଭାରତରେ ଅତ୍ୟାଧୁନିକ ଭୂତାତ୍ତ୍ୱିକ ସର୍ଭେ, ଖଣିଜ ସଂପଦର ଆକଳନ, ୩/୪ଡି ମଡେଲିଂ ଏବଂ ସେସ୍‌ମିକ୍ ଆଦି ବିଭିନ୍ନ କ୍ଷେତ୍ରରେ କାର‌୍ୟ୍ୟ କରାଯିବ । ଏହି ବୁଝାମଣା ଅନୁସାରେ ଦୁଇଦେଶ ମଧ୍ୟ ଖଣିଜ ସମ୍ବଳର ମିଳିତ ଉପଯୋଗ ପାଇଁ ସୁଯୋଗ ପାଇବେ । ଏହାଛଡା ଆର୍ଥିକ, ସାମାଜିକ ଓ ପରିବେଶଗତ ଉନ୍ନତି ପାଇଁ ଦୁଇଦେଶ ମିଳିତଭାବେ କାମ କରିବେ ।ଜିଏସ୍‌ଆଇ ଭାରତ ସରକାରଙ୍କ ଏକ ପୁରାତନ ଓ ବେଶ୍ ଦକ୍ଷ ସଂସ୍ଥା । ଏହା ଖଣିଜ ସଂପଦର ଆକଳନ, ଠାବ ଏବଂ ଅନ୍ୟାନ୍ୟ କାର‌୍ୟ୍ୟ କରୁଛି । ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ମଧ୍ୟ ବ୍ୟବହାର କରାଯାଉଛି । ନିଜର କାର‌୍ୟ୍ୟ ପରିସରକୁ ବଢାଇବା ଏବଂ ଅଧିକ ଦକ୍ଷ କରିବା ପାଇଁ ଜିଏସ୍‌ଆଇ ଫିନ୍‌ଲ୍ୟାଣ୍ଡ ସହ ମିଳିମିଶି କାମ କରିବାକୁ ଆଗ୍ରହୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ