୨୦୨୧-୨୨ ସୁଦ୍ଧା ଦେଶରେ ପ୍ରତିଷ୍ଠା ହେବ ୭୫ ସରକାରୀ ମେଡ଼ିକାଲ କଲେଜ
ସୃଷ୍ଟି ହେବ ୧୫, ୭୦୦ ଏମବିବିଏସ ସିଟ
୨୪,୩୭୫ ଟଙ୍କା ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ
୨୦୨୧-୨୨ ସୁଦ୍ଧା ଦେଶରେ ୭୫ଟି ସରକାରୀ ମେଡ଼ିକାଲ କଲେଜ ଖୋଲାଯିବ । ବର୍ତମାନ ଜାରି ରହିଥିବା କେନ୍ଦ୍ର ପ୍ରାୟୋଜିତ ଯୋଜନାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଜିଲ୍ଲା/ରେଫରାଲ ହସପିଟାଲର ଉନ୍ନତିକରଣ ସହିତ ଏହି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଆଜି ମଞ୍ଜୁରି ଲାଭ କରିଥିବା ଯୋଜନାର କାର୍ଯ୍ୟାନ୍ୱୟନ ଫଳରେ ସ୍ୱାସ୍ଥ୍ୟ ଭିତିଭୂମି ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ଯୋଜନାର କାର୍ଯ୍ୟାନ୍ୱୟନ ଲାଗି ପଂଚଦଶ ଅର୍ଥ ଆୟୋଗଙ୍କ ଅବଧି କାଳ ଅର୍ଥାତ ୨୦୨୧-୨୨ ମଧ୍ୟରେ ୨୪,୩୭୫ ଟଙ୍କା ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ବର୍ତମାନ ରହିଥିବା ଜିଲ୍ଲା/ରେଫରାଲ ଡାକ୍ତରଖାନା ସହିତ ମେଡ଼ିକାଲ କଲେଜଗୁଡ଼ିକ ଖୋଲାଯିବା ଫଳରେ ଡାକ୍ତର ଓ ପ୍ରଶିକ୍ଷିତ ଚିକିତ୍ସା ପେସାଦାର ସୃଷ୍ଟି ତଥା ସରକାରୀ କ୍ଷେତ୍ରରେ ଚିକିତ୍ସା ସୁବିଧା ବୃଦ୍ଧି ପାଇବା ସହିତ ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ ଭିତିଭୂମିର ଉପଯୋଗ କରାଯାଇ ଦେଶରେ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସମ୍ଭବ ହୋଇପାରିବ । ଯେଉଁ ଅଂଚଳରେ ମେଡ଼ିକାଲ କଲେଜ ନାହିଁ ସେଠାରେ ଥିବା ୨୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ଡାକ୍ତରଖାନାରେ ନୂଆ ମେଡ଼ିକାଲ କଲେଜ ଖୋଲାଯିବ । ଆକାଂକ୍ଷୀ ଜିଲ୍ଲା ଏବଂ ୩୦୦ ଶଯ୍ୟା ଥିବା ଜିଲ୍ଲା ଡାକ୍ତରଖାନାକୁ ଅଗ୍ରାଧିକାର ଦିଆଯିବ । ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ଯୋଜନା ଫଳରେ ଦେଶରେ ୧୫,୭୦୦ ଏମବିବିଏସ ସିଟ ସୃଷ୍ଟି ହୋଇପାରିବ । ଦେଶରେ ସ୍ୱାସ୍ଥ୍ୟ ଭିତିଭୂମି ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇ ପୂର୍ବରୁ କେନ୍ଦ୍ରୀୟ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୫୮ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୪ଟି ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁର କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ମଞ୍ଜୁରିପ୍ରାପ୍ତ ମେଡ଼ିକାଲ କଲେଜ ମଧ୍ୟରୁ ୩୯ଟି ମେଡ଼ିକାଲ କଲେଜ ବର୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇସାରିଛି । ୨୦୨୦-୨୧ ସୁଦ୍ଧା ଅବଶିଷ୍ଟ ୧୯ଟି କାର୍ଯ୍ୟକ୍ଷମ ହେବ ।


