ପାଣି ଟାଙ୍କି ସ୍ଥାପନ ନେଇ ଗ୍ରାମସଭା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ କୈଳାସ ଚନ୍ଦ୍ର ପଲେଇ ଓ ମୁକ୍ତକାନ୍ତ ରାଉତଙ୍କ ସଭାପତିତ୍ୱରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ତିଆ ଓ ରୁପୁଡି ଗ୍ରାମର ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ । ଉକ୍ତ ଗ୍ରାମକୁ ଗ୍ରାମ୍ୟ ଜଳ ଯୋଗାଣ ଯୋଜନାରେ ଏକ ପାଣି ଟାଙ୍କି ଆସିଥିବାରୁ ତାହାକୁ ଖାତା ନଂ-୪୪୨, ପ୍ଲଟ ନଂ-୨୦୪୫ ସ୍ଥାନରେ ନିର୍ମାଣ ପାଇଁ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ହୋଇଥିଲା । ଗଣିଜାଙ୍ଗ ପଞ୍ଚାୟତର ମଧ୍ୟମସ୍ଥଳ କନ୍ତିଆ ଗ୍ରାମ ହୋଇଥିବାରୁ ଏହି ସ୍ଥାନରେ ପାଣି ଟାଙ୍କି ନିର୍ମାଣ ହେଲେ କନ୍ତିଆ, ଇଛାପୁର, ରୁପୁଡି, ତୁଣ୍ଡା ସମେତ ଆଖପାଖ ଗ୍ରାମର ଶତାଧିକ ପରିବାର ପାଇପ ଯୋଗେ ପାନୀୟ ଜଳ ପାଇପାରିବେ ବୋଲି ଉପସ୍ଥିତ ଲୋକେ ମତବ୍ୟକ୍ତ କରିଥିଲେ । ଏସଂପର୍କରେ ଜିଲ୍ଲାପାଳ, ତହସିଲଦାର, ବିଡିଓ, ସରପଞ୍ଚଙ୍କୁ ଲିଖିତ ଅବଗତ କରାଇବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଠକରେ ଭରତ ଚନ୍ଦ୍ର ଜେନା, ଗୟାଧର ଘଡାଇ, ପିତାମ୍ବର ପଣ୍ଡା, ଚକ୍ରଧର ନାୟକ, ଅନନ୍ତ ନାୟକ, ହରିହର ନାୟକ, ପିତାମ୍ବର ନାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।