ଘାଟି ରାସ୍ତାରେ ନାହିଁ ସତର୍କ ସୂଚନା ବଢି ଚାଲିଛି ଦୁର୍ଘଟଣା
ପାରଳାଖେମୁଣ୍ଡି,୧୬ା୦୯(ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗ ନଳାଘାଟ ରାସ୍ତାରେ ସତର୍କ ସୂଚନା ନ ଥିବା ଯୋଗୁଁ ଦୁର୍ଘଟଣା ବାରମ୍ବାର ବଢିଚାଲିଛି । ଏହି ଘାଟି ରାସ୍ତାର ବିଭିନ୍ନ ବୁଲାଣିରେ ଚାଳକଙ୍କୁ ସତର୍କ କରିବା ପାଇଁ ସୁଚନା ଫଳକ ରହିବାର ନିୟମ ଥିଲେ ମଧ୍ୟ ଏହି ରାସ୍ତାରେ ସେପରି କୌଣସି ସତର୍କ ସୁଚନା ଫଳକ ନାହିଁ । ଏହି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ ନଂ ଓଡି ୦୨ଜେଡ୍ ୪୪୭୧ ବ୍ରହ୍ମପୁର ପଟୁ ଥେରୁବାଲି ଯାଉଥିବା ବେଳେ ବୁଲାଣିରେ ଭରସାମ୍ୟ ହରାଇ ଓଲଟି ପଡିଥିଲା । ସେହିପରି ଏକ କାର ନଂ ଓଡି ୦୫ ଏ ୱାଇ ୯୯୬୧ ବ୍ରହ୍ମପୁର ପଟୁ ମୁନିଗୁଡା ଯାଉଥିବା ବେଳେ ବୁଲାଣି ରାସ୍ତା ଜାଣି ନ ପାରି ଓଲଟି ପଡିଥିଲା । ସୌଭାଗ୍ୟ ବଶତ ଉଭୟ ଦୁର୍ଘଟଣାରେ କେହି ଗୁରୁତର ଆହାତ ହୋଇ ନାହାଁନ୍ତି । ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ଗାଡିଗୁଡିକୁ ଉଠାଇବା ପାଇଁ ଚେଷ୍ଟା ଯାରି ରଖିଥିବା ଏବଂ ଏକ ମାମଲା ରୁଜୁ ହୋଇଥିବା ଅଡବା ଥାନାଧିକାରୀ ତପନ କୁମାର ପତି କହିଛନ୍ତି ।


