ଗଣପର୍ବ ନୂଆଖାଇ
ନୂଆଖାଇ ଏକ କୃଷିଭିତିକ ପର୍ବ । ଯେଉଁ କୃଷିଭିିିତିକ ଚାଷ ଲବ୍ଧ ଫଳ, ଶସ୍ୟ ଏବଂ ଅନ୍ୟ କିଛି ପ୍ରଥମେ ଅନୁକୂଳ କରାଯାଇ ଦେବଦେବୀଙ୍କୁ ସମର୍ପଣ ପରେ ପରିବାର ସଦସ୍ୟମାନେ ଖାଆନ୍ତି, ତାକୁ ନୂଆଖାଇ କୁହାଯାଏ । ଏମିତିରେ ଧାନ ‘ନୂଆଖାଇ’ ଆମ୍ବ ‘ନୂଆଖାଇ’, ‘ମହୁଲ ନୂଆଖାଇ’ ଏବଂ କେତେ ନୂଆଖିଆ କଥାକୁ ବୁଝାଏ । ତେବେ ସଚରାଚରରେ ନୂଆଖାଇ କହିଲେ ସାଧାରଣତଃ ଭାଦ୍ରବ ମାସରେ ଖିଆ ଯାଉଥିବା ନୂଆଧାନରୁ ଉତ୍ପନ୍ନ ଚାଉଳ ବା ତହିଁରୁ ପ୍ରସ୍ତୁତ ଚୂଡ଼ା, ଅନ୍ନ, ଖିରୀ ବା ପିଠା ଇତ୍ୟାଦିକୁ ନୂଆକରି ଖାଇବା ଅର୍ଥରେ ବୁଝାଯାଏ । ଏ ପ୍ରଥା କେବେଠୁ ଚଳିଆସୁଛି ତାହା ବାସ୍ତବରେ କେହି କହିପାରିବେ ନାହିଁ । ପ୍ରଚଳିତ ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଲପକ୍ଷ ଦ୍ୱାଦଶୀ ଅବସରରେ ଅର୍ଥାତ୍ ସୁନିଆଁ ବା ବାମନ ଜନ୍ମଦିନ ନୂଆଖାଇ ପାଳିତ ହୁଏ ଏବଂ ହେଉଥିଲା ମଧ୍ୟ । ଓଡ଼ିଶା ଉପକୂଳ ଅଂଚଳରେ ଢ଼ିପ ବା ପଠାଜମିରୁ ଲଘୁଧାନ ଏହି ମାସରେ ଅମଳ ହୁଏ । ପଶ୍ଚିମ ଓଡ଼ିଶାରେ ଆଦିବାସୀ ବହୁଳ ଅଂଚଳରେ ଏହି ମାସରେ ପାହାଡି଼ଆ ଜମିରୁ ଧାନ ଫସଲ ଅମଳ ହୁଏ । ଏହି ନୂଆଧାନର ଚୂଡ଼ା ଓ ଚାଉଳକୁ ଆଧାର କରି ଭୋଗରାଗ ପ୍ରସ୍ତୁତ କରାଯାଇ ଦେବତାଙ୍କୁ ସମର୍ପଣ କରାଯାଏ । ପଶ୍ଚିମ ଓଡ଼ିଶାରେ ଏହା ଏକ ପ୍ରସିଦ୍ଧ ଗଣପର୍ବ । ତେବେ ଏହା ଭାଦ୍ରବ ଶୁକ୍ଲ ଦ୍ୱାଦଶୀଦିନ ପାଳିତ ନହୋଇ ଭାଦ୍ରବ ଶୁକ୍ଲ ପଂଚମୀ ଦିନ ପାଳିତ ହୁଏ । ଏହା ମଧ୍ୟ ସବୁ ସ୍ଥାନରେ ସମାନ ନୁହେଁ । କାରଣ ବିଭିନ୍ନ ଜିଲ୍ଲାରେ ସ୍ଥାନୀୟ ଇଷ୍ଟଦେବ ଦେବୀଙ୍କ ନାମରେ ଲଗ୍ନ ସ୍ଥିର କରାଯାଇ ଅଥବା ପୂର୍ବତନ ଶାସକ ତଥା ରାଜା, ଜମିଦାର ବା ଗଉଁତିଆଙ୍କ ଜାତକ ସିଦ୍ଧ ବାହାର କରି ନବାନ୍ନ ଭକ୍ଷଣ ଲଗ୍ନ ନିଶ୍ଚିତ କରାଯାଏ । ଏଥିକୁ ମଧ୍ୟ ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ଦିଆଯାଏ । ଅନେକ ସ୍ଥାନରେ ଏହା ଏକାଧିକ ଦିବସ ଧରିଚାଲେ । କଳାହାଣ୍ଡିରେ ଏହି ପର୍ବ ଭାଦ୍ରବ ଶୁକ୍ଲ ପଂଚମୀ ଠାରୁ ଆରମ୍ଭ ହୋଇ ତିନିଦିନ ଧରି ଚାଲେ । ଏହି ସମୟରେ କଳାହାଣ୍ଡିର ସଂସ୍କୃତି ପରମ୍ପରାରେ ‘ଘୁମୁରା’ ନୃତ୍ୟର ଶୁଭାନୁକୂଳ ହୁଏ । ବଲାଙ୍ଗୀରରେ ରାକ୍ଷୀ ପଂଚମୀ ଦିନ ଅନୁୁକୂଳ ନୂଆଖାଇ ପର୍ବରେ ରାକ୍ଷୀବନ୍ଧନ ଉତ୍ସବ ପାଳନ କରାଯାଏ । ଉପକୂଳ ଅଂଚଳରେ ନୂଆଧାନର ଚୂଡ଼ାଘଷା, ମିଷ୍ଟାନ୍ନ, ପିଠା ଓ ଖିରୀ ଇତ୍ୟାଦି ପ୍ରସ୍ତୁତ ହୋଇ ଇଷ୍ଟ ଦେବାଦେବୀଙ୍କ ସମର୍ପଣ ପୂର୍ବକ ନୂଆଚାଉଳର ଭାତ ଖାଇବା ଆରମ୍ଭ କରାଯାଏ । ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଲ ଦ୍ୱାଦଶୀ ଦିନ ଯଥାବିଧି ନବାନ୍ନ ଭକ୍ଷଣ ଉତ୍ସବ ପାଳିତ ହୁଏ । ଅନ୍ୟ ସ୍ଥାନମାନଙ୍କରେ ସ୍ଥାନୀୟ ମୁଖ୍ୟ ଇଷ୍ଟଦେବୀ ବା ଦେବତାଙ୍କୁ ଏହି ନବାନ୍ନ ସମର୍ପଣ ପରେ ଅନ୍ୟାନ୍ୟ ଦେବଦେବୀଙ୍କୁ ସମର୍ପଣ କରାଯାଇ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ହୁଏ । ସମ୍ବଲପୁରର ସମ୍ବଲେଶ୍ୱରୀ, ଭବାନୀପାଟଣାର ମାଣିକେଶ୍ୱରୀ, ବଲାଙ୍ଗୀରର ପାଟେଣିଶ୍ୱରୀ ଓ ସୋନପୁରର ସୁରେଶ୍ୱରୀ ପ୍ରଭୃତି ପଶ୍ଚିମାଂଚଳର ଏବଂ ପ୍ରସିଦ୍ଧ ଶକ୍ତିପୀଠମାନଙ୍କରେ ‘ନୂଆଖାଇ ବେଳା’ (ଲଗ୍ନ)ର ଉତ୍ସବ ମହା ଯାକଜମକରେ ପାଳିତ ହୁଏ । ନୂଆଖାଇ ପାଇଁ କିଛିଦିନ ପୂର୍ବରୁ ପ୍ରସ୍ତୁତି ଚାଲିଥାଏ । ପୂର୍ବଦିନ ଘରବାଡ଼ି ଓ ବଗିଚା ଇତ୍ୟାଦି ସଫାସୁତୁରା ସହ ଘର ଅଗଣା ଲିପାପୋଛା କରାଯାଏ । ନୂଆଖାଇ ଦିନ ପାହାନ୍ତା ପହରରୁ ଝିଅବୋହୂମାନେ ସ୍ନାନାଦି ନିତ୍ୟକର୍ମ ସାରି ଘରକୁ ପରିଷ୍କାର ପରିଚ୍ଛନ୍ନ କରନ୍ତି । ତାପରେ ନୂଆଧାନ କୁଟି ସେଥିରେ କ୍ଷୀର, ଘିଅ, ମହୁ ଓ କଦଳୀ ଇତ୍ୟାଦି ମିଶାଇ ନୂଆ ଭୋଗ ତିଆରି କରାଯାଏ । ପୂର୍ବରୁ ନୂଆ ହାଣ୍ଡି, ମାଠିଆ, ସରା ଓ ପଲମ ଇତ୍ୟାଦି କିଣି ପବିତ୍ରତା ସହ ସଜାଇ ରଖାଯାଇଥାଏ । ଏଥିରେ ନବାନ୍ନ ପ୍ରସ୍ତୁତି ହୁଏ ଓ ପିଠାପଣା ଇତ୍ୟାଦି ପ୍ରସ୍ତୁତ ହୁଏ । ଏହାପରେ ଇଷ୍ଟ ଦେବାଦେବୀ ଓ ପିତୃପକ୍ଷଙ୍କୁ ସମର୍ପଣ କରାଯାଏ । ଏଥୁଅନ୍ତେ ପ୍ରସ୍ତୁତ ଭୋଗ ବା ନବାନ୍ନ ଇତ୍ୟାଦି ଘର ବା ଗ୍ରାମର ମୁଖିଆଙ୍କ ଦ୍ୱାରା ପରିବେଷଣ କରାଯାଏ । ବ୍ରାହ୍ମଣମାନଙ୍କୁ ଏହି ଦିନ ମଧ୍ୟ ଦାନ ଭୋଜନ କରାଯାଏ ଏବଂ ଆଶ୍ରିତ ବା ହଳିଆମାନଙ୍କୁ ଚାଉଳ ଓ ନୂଆବସ୍ତ୍ର ସାହୁକାର ମାନେ ଦିଅନ୍ତି । ଏହି ଦିନ ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି । ପରିବାରଠାରୁ ଦୂରରେ ରହିଥିବା ଭାଇବଂଧୁ ଓ ପରିଜନ ସମସ୍ତେ ଏହିଦିନ ଘରକୁ ଫେରନ୍ତି ଏବଂ ମିଳିତ ଭାବେ ନବାନ୍ନ ଭୋଜନ କରନ୍ତି । ସାନମାନେ ବଡ଼ଙ୍କୁ ପ୍ରଣାମ ଜଣାନ୍ତି ଓ ବଡ଼ମାନେ ସାନମାନଙ୍କୁ ଆଶୀର୍ବାଦ କରନ୍ତି । ଏହାକୁ କୁହାଯାଏ ‘ନୂଆଁଖାଇ ଜୁହାର’ । ସାଇପଡ଼ିଶା, ଭାଇବଂଧୁ ଓ କୁଟୁମ୍ବ ଭିତରେ ଥିବା ରାଗ, ରୂଷା, ମାନ, ଅଭିମାନ ଓ ମନୋମାଳିନ୍ୟ ବାଦବିବାଦ ତୁଟାଇ ସମସ୍ତେ ଏକାଠି ହୁଅନ୍ତି । ଏହାକୁ କୁହାଯାଏ ‘ନୂଆଖାଇ ଭେଟଭାଟ’ । ଏହିଦିନ ସମସ୍ତେ ଆନନ୍ଦରେ ବିଭୋର ଥାଆନ୍ତି ।ଆଧୁନିକ ସଭ୍ୟତାରେ ଅନେକ ପଶ୍ଚିମାଂଚଳ ଲୋକ ଯେଉଁମାନେ ଏହି ପର୍ବ ସହିତ ସଂପୃକ୍ତ ସେମାନେ ତାଙ୍କ ଅଂଚଳ ବାହାରେ ସହରୀ ସଭ୍ୟତାରେ ଚାକିରି ବା ବସବାସ କରୁଥିଲେ, ଏହି ନୂଆଖାଇ ଅବସରରେ ଦୈବାତ୍ ଯଦି ନିଜ ନିଜ ଘରକୁ ଫେରିପାରନ୍ତି ନାହିଁ ସେମାନେ ସେସବୁ ସ୍ଥାନ ମାନଙ୍କରେ ଏକତ୍ରିକ ହୋଇ ନୂଆଖାଇ ଭେଟ୍ଭାଟ୍ ପାଳନ କରନ୍ତି । ଏକାଠି ଖାଇସାରିଲା ପରେ ଗାଁରେ ଖେଳ କସରତ ଚାଲେ : କୋଉଠି ମେଣ୍ଢା ଲଢ଼େଇ ତ, ଆଉ କୋଉଠି ନାଚଗୀତ ବା ସେମିତି କିଛି । ପିଲାରୁ ବୁଢ଼ାଯାଏଁ ଏଥିରେ ବିଭୋର । ଦିନଟି ଖିଆପିଆ, ଦିଆନିଆ ଓ ଖେଳକୁଦରେ କିପରି କଟିଯାଏ ଜାଣିହୁଏନା । ନୂଆଖାଇ ଗୀତ ଶୁଣାଏ : “ମନୁଷ ଜାଏତ କେ ଏକ କରବାକେଫି ବଛର ଆଏବୁ ଧାଇଁ ଜୀଁ ଜାଣିଥିଲେ ଆଏଲା ବଛର କେ ଭେଟ ହେବା ତୁଇଁ ମୁଇଁ ।” ଅର୍ଥାତ୍ ଜୀଇଁ ରହିଥିବାରୁ ନୂଆଖାଇରେ, ଜୀଇଁଥିଲେ ବା ବଂଚିଥିଲେ ଆସନ୍ତାବର୍ଷକୁ ପୁଣି ନୂଆଖାଇ ଶୁଭେଚ୍ଛା ଜଣାଇବୁ ଏହା ଭଗବାନ କରନ୍ତୁ । ଆଉ ବର୍ଷେ ଭଲରେ କଟିଯାଉ । ପୁଣି ଆସନ୍ତା ବର୍ଷ ନୂଆଖାଇରେ ଭେଟଭାଟ ହେବ । ନୂଆଖାଇ ପର୍ବ ଓଡ଼ିଶାର ଏକ ମହାନ୍ ସାମାଜିକ ଗଣପର୍ବ । ଏହା ଏ ସଂସ୍କୃତିର ଶାନ୍ତି, ମୈତ୍ରୀ, ପ୍ରଗତି ଓ ସଦ୍ଭାବନାର ପ୍ରତୀକ ।
ବିପିନବିହାରୀ ମହାନ୍ତି
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ :
ବିପିନ ବିହାରୀ ପାଠାଗାର, ବିକାଶନଗର, ଜଟଣୀ,ଖୋର୍ଦ୍ଧା,
ମୋ- ୯୯୩୮୩୪୪୧୩୮