କରୋନା ପାଇଁ ହଜିଗଲା ମାନବିକତା ପୁଅର ଶବକୁ ନେବା ପାଇଁ ମନା କଲା ବାପା
ନାଉଗାଁ, (ଓ୍ବାଇଏନ୍ଏସ୍):କରୋନା ପାଇଁ ହଜିଯାଇଛି ମାନବିକତା । ୩୦ବର୍ଷ ପୁଅର ମୃତ ଦେହ ଚିକିତ୍ସାଳୟରେ ପଡି ରହିଥିବା ବେଳେ ମୃତ ଦେହକୁ ନେବା ପାଇଁ ବାପା ଲିଖିତ ଭାବେ ମନା କରିଦେଇଛନ୍ତି । ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳରେ । ଉକ୍ତ ବ୍ଳକ ଅନ୍ତର୍ଗତ ବାଂଶ ପଂଚାୟତରେ ଜୈନିକ ଯୁବକଙ୍କୁ ଏକ ସପ୍ତାହ ହେବ ଜ୍ୱର ହୋଇଥିଲା । ଜ୍ୱର ଭଲ ହେବା ପାଇଁ ଯୁବକ ଜଣକ କ୍ୱାକଙ୍କ ନିକଟରୁ ଔଷଧ କିଣି ଖାଉଥିଲେ । ହେଲେ ଦେହ ସୁସ୍ଥ ନ ହେବାରୁ କିଛି ଦିନ ତଳେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ଡାକ୍ତର ତାଙ୍କୁ କୋଭିଡ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଉକ୍ତ ଯୁବକ ଜଣକ କୋଭିଡ ପରୀକ୍ଷା ନ କରି ଘରେ ରହିଥିଲେ । ସୋମବାର ତାଙ୍କ ଦେହ ଗୁରୁତର ହେବାରୁ ପରିବାରଙ୍କ ପକ୍ଷରୁ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯୁବକ ଜଣକ କରୋନା ଆକ୍ରାନ୍ତରେ ମୃତ ହୋଇଥାଇପାରନ୍ତି ଭାବି ସାଙ୍ଗରେ ଆସିଥିବା ତାଙ୍କ ବାପା, ମା ଓ ଜଣେ ପଡୋଶୀ ସନ୍ଦେହରେ କୋଭିଡ ପରୀକ୍ଷା କରାଇଥିଲେ । ସରକାରୀ ଭାବେ କୋଭିଡ ପରୀକ୍ଷା ରିପୋର୍ଟ ଆସି ନଥିବା ବେଳେ ଉକ୍ତ ଯୁବକଙ୍କର ବାପା କରୋନା ସଂକ୍ରମିତ ଥିବା ସୂଚନା ପାଇଁ ପୁଅର ଶବକୁ ନ ନେବା ପାଇଁ ପଂଚାୟତର ସରପଂଚଙ୍କ ହାତରେ ଲିଖିତ ଭାବେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିିତ୍ସାଧିକାରୀଙ୍କୁ ଜଣାଇଛନ୍ତି । ଏହା ସହିତ ପୁଅର ଶବକୁ ପ୍ରଶାସନ ଦ୍ୱାରା ଶବ ସତ୍କାର କରିବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟରେ ଉକ୍ତ ଯୁବକଙ୍କର ମୃତ ଦେହ ସ୍ୱାସ୍ଥ୍ୟ କେନ୍ଦ୍ରର ବେଡ୍ରେ ଦିନ ୧୨ଟା ଠାରୁ ପଡି ରହିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ନାଉଗାଁ ଥାନାଙ୍କୁ ଉକ୍ତ ଯୁବକଙ୍କର ମୃତ ଦେହକୁ ଜବତ କରିବାକୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଥିବା ଜଣାଯାଇଛି । ଶେଷରେ ପୋଲିସ ପ୍ରଶାସନ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ପଠାଯିବାକୁ ସ୍ଥିର କରାଯାଇଥିବା ବେଳେ ରାତି ଯୋଗୁ ମଙ୍ଗଳବାର ପଠାଯିବ ବୋଲି ଆଇଆଇସି ଭାରତ ବେହେରା ପ୍ରକାଶ କରିଛନ୍ତି । ରିପୋର୍ଟ ପ୍ରସ୍ତୁତ ହେଲା ବେଳକୁ ଯୁବକଙ୍କର ମୃତ ଦେହ ସ୍ୱାସ୍ଥ୍ୟ କେନ୍ଦ୍ର ବେଡରେ ପଡି ରହିଥିବା ଜଣାଯାଇଛି ।