ପାଚେରି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ;କାମ ବନ୍ଦ କଲା ଠିକାସଂସ୍ଥା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ଓଟିଡ଼ିସି ପକ୍ଷରୁ ୭୦ ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିବା ପାଚେରିକୁ  ବିରୋଧ କରି ଗ୍ରାମବାସୀ ମାନେ ଏକଜୁଟ୍ ହୋଇଛନ୍ତି। ପ୍ରକାଶଯେ,ଦାରିଙ୍ଗବାଡ଼ି ସ୍ଥିତ ଟୁରିଷ୍ଟ କମ୍ପ୍ଲେକ୍ସ  ଗତ ୨୦୦୩ ମସିହାରେ ଆରମ୍ଭ ହୋଇଥିଲେ ମଧ୍ୟ ୨୦୧୦ ମସିହାରେ ସେଠାରେ ତାଲାପଡ଼ିଯାଇଥିଲା। ସେହି ସମୟରେ ଅଞ୍ଚଳବାସୀଙ୍କ ସହିତ ଆଲୋଚନା  ପରେ ଏହା ନିର୍ମାଣ ହୋଇଥିଲା। ତେବେ ପୂର୍ବ ନିଷ୍ପତ୍ତି ପ୍ରକାରେ ଟୁରିଷ୍ଟ କମ୍ପ୍ଲେକ୍ସ ସମ୍ମୁଖରେ ଥିବା ଏକ ରାସ୍ତାରେ କାହିଁ କେତେବର୍ଷ ପୂର୍ବରୁ ଅଞ୍ଚଳବାସୀ ଉକ୍ତ ରାସ୍ତାଦେଇ ବଣ , ପାହାଡ଼ ଓ ବିଲକୁ ଯିବାଆସିବା କରୁଛନ୍ତି। ସେହିଭଳି ରାସ୍ତା ମୁଣ୍ଡରେ ଅଛି ଗାଁ ମଶାଣି। ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ଓଟିଡ଼ିସି ପକ୍ଷରୁ ୭୦ ଲକ୍ଷଟଙ୍କା ବ୍ୟୟରେ ପାଚେରି ନିର୍ମାଣ କରିବା ପାଇଁ ୯ ଏକରଜାଗାରେ ଅନୁମତି ଦିଆଯାଇଥିବା ବେଳେ ସେହି ଜାଗରେ ମଝିରେ ଉକ୍ତ ରାସ୍ତା ରହିଛି। ବର୍ତ୍ତମାନ ପାଚେରି କାମ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଏନେଇ ଲିଖିତ ଭାବେ ଦାରିଙ୍ଗବାଡ଼ି ତହସିଲଦାର ଙ୍କୁ  ମଧ୍ୟ ଗତ ୮ ତାରିଖରେ ଗ୍ରାମବାସୀ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ। ତେବେ ନିର୍ମାଣ କାମ ଆଗକୁ ଆଗକୁ ଯାଉଥିବା ଯୋଗୁଁ ଏହାକୁ ବିରୋଧ କରିି ରାସ୍ତା ଉପରେ ନିର୍ଭର କରୁଥିବା ୭ ଗୋଟି ଗ୍ରାମ ସାରିଙ୍ଗିରିପି , ସାମରିବାଡ଼ି , ବବାଡ଼ି , ରାପଡ଼ାବା , ଡି.ବାଡ଼ିପଦର ,ଶ୍ରୀର୍ପଙ୍କା , ରୁକନବାଡ଼ି ଆଦି ଅଞ୍ଚଳର ମହିଳା ଓ ପରୁଷ ମାନେ ଏକଜୁଟ୍ ହୋଇ ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ସହିତ ନାଲି ପତକା ମାରି ବିରୋଧ କରିଛନ୍ତି। ଯେ ପର୍ଯ୍ୟନ୍ତ ରାସ୍ତାର ସମାଧାନ ହୋଇନାହିଁ ସେ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବା ପାଇଁ ଦାବି କରିଛନ୍ତି ଗ୍ରାମ୍ୟ କମିଟି ସଭାପତି କାର୍ଜି ପ୍ରଧାନ , ଉପସଭାପତି ନରେଶ ପ୍ରଧାନ , ପ୍ରଶାନ୍ତ ପ୍ରଧାନ ,ଜସେପ୍ ପ୍ରଧାନ, ମର୍ଶା ପ୍ରଧାନ , ରାଧାନାଥ ପ୍ରଧାନ , ପୁରେନ୍ଦ୍ର ପ୍ରଧାନ , ମଶା ପ୍ରଧାନ ଓ ଅନ୍ୟମାନେ। ଏନେଇ ଲିଖିତ ଭାବେ କନ୍ଧମାଳ ଜିଲାପାଳ , ଉପଜିଲାପାଳ , ବି.ଡ଼ି.ଓ ଏବଂ ଥାନା ଅଧିକାରୀଙ୍କ ନିକଟକୁ  ରେଜିଷ୍ଟ୍ରି ଦ୍ୱାରା ଅଭିଯୋଗ ଦାଖଲ କରିଥିବାର ପ୍ରକାଶ କରିଛନ୍ତି। ବର୍ଷ ବର୍ଷ ଧରି ଯେଉଁ ରାସ୍ତା ଉପରେ ଏହି ୭ଟି ଗ୍ରାମବାସୀ ନିର୍ଭର କରିଛନ୍ତି ତାହା ଉପରେ ପାଚେରି ନିର୍ମାଣ କରାଗଲେ ବାଧ୍ୟ ହୋଇ ଅଞ୍ଚଳବାସୀ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ମଧ୍ୟ ଚେତାବନି ଦେଇଛନ୍ତି। ଆଦିବାସୀଙ୍କ ପୂର୍ବପୁରୁଷ ରାସ୍ତାକୁ ନଛାଡ଼ିବା ପାଇଁ ଆଜି ସେହି ଜାଗରେ ବିରୋଧ କରି ନାଲି ପତକା ଉଡ଼ାଇଛନ୍ତି। ପାଚେରୀ  ନିର୍ମାଣକୁ ଗ୍ରାମବାସୀ ବିରୋଧ କରିବାରୁ ଠିକାସଂସ୍ଥା କାମକୁ ବନ୍ଦ କରିଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ