ନାଉଗାଁ ୧୦୧ ଫେଲ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ସରକାରଙ୍କ ପକ୍ଷରୁ ଆପତ୍କାଳିନ ସେବା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ନମ୍ବର ଜାରୀ କରାଯାଇଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁରେ ଖୋଲା ଯାଇଥିବା ଅଗ୍ନିଶମ ସେବା କେନ୍ଦ୍ରରେ ଏହି ସେବା କାର୍ଯ୍ୟକାରୀ ହେଉନାହିଁ । ଜନସାଧାରଣମାନଙ୍କର ଅଗ୍ନିକାଣ୍ଡ ଘଟିଲେ ନାଉଗାଁ ଅଗ୍ନିଶମ ସେବା କେନ୍ଦ୍ରକୁ ୧୦୧ ନମ୍ବରରେ ଡାଏଲ କଲେ ଜଗତସିଂହପୁରରେ ଲାଗୁଛି । ଫଳରେ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସେବା ଯୋଗାଇବାରେ ବିଳମ୍ବ ଘଟୁଛି । ସାରାଦେଶରେ ଆପତ୍କାଳୀନ ସେବା ଯୋଗାଇବା ଉର୍ଦ୍ଦେଶ୍ୟରେ ସ୍ୱତନ୍ତ୍ର ନମ୍ବର ଭାବେ ସ୍ଥାନୀୟ ଥାନା ପାଇଁ ୧୦୦ ନମ୍ବର, ସ୍ଥାନୀୟ ଅଗି୍ନଶମ ସେବା କେନ୍ଦ୍ର ପାଇଁ ୧୦୧ ଓ ମେଡିକାଲର ଆମ୍ବୁଲାନ୍ସ ପାଇଁ ୧୦୨ ନମ୍ବର କରାଯାଇଛି । ଏହି ନମ୍ବର ଡାଏଲ କରିବା ମାତ୍ରେ ପ୍ରଶାସନ ପକ୍ଷରୁ ଆପତ୍କାଳିନ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ । କିନ୍ତୁ ନାଉଗାଁରେ ଅଗ୍ନିଶମ ସେବା କେନ୍ଦ୍ର ରହିଥିବା ବେଳେ ୧୦୧ ନମ୍ବର ଡାଏଲ କଲେ ଜଗତସିଂହପୁର ଲାଗୁଛି । ସୂଚନା ମୁତାବକ ନାଉଗାଁ ବ୍ଳକରେ ଅଗ୍ନିଶମ ସେବା କେନ୍ଦ୍ର ନଥିବା ବଳେ ଜଗତସିଂହପୁର କେନ୍ଦ୍ରରୁ ଦମକଳ ଗାଡି ଆସି ସେବା ଯୋଗାଇ ଦେଉଥିଲା । କିନ୍ତୁ ଏହି ସେବା ଜନସାଧାରଣଙ୍କ ନିକଟରେ ବିଳମ୍ବ ପହିଁଚି ବାରୁ ସରକାରଙ୍କ ପକ୍ଷରୁ ନାଉଗାଁ ବ୍ଳକରେ ୨୦୧୩ ନଭେମ୍ବର ମାସରେ ଅଗ୍ନିଶମ ସେବା କେନ୍ଦ୍ର ଖୋଲା ହୋଇଥିଲା । ଏହି କେନ୍ଦ୍ର ଅସ୍ଥାୟୀ ଭାବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟକରି ଆସୁଥିଲା । କେନ୍ଦ୍ରର ନିଜସ୍ୱ ଗୃହ ନାଉଗାଁ-ଶିଖର ରାସ୍ତାର ଡାଣ୍ଡୁଆ ଠାରେ ନିର୍ମାଣ ସରିବା ପରେ ୨୦୧୬ ଡିସେମ୍ବର ମାସରେ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।ଏପରିକି ଏହି କେନ୍ଦ୍ର ସମ୍ମୁଖରେ ଜନସାଧାରଣଙ୍କ ଅବଗତ ନିମନ୍ତେ ୧୦୧ ନମ୍ବର ମଧ୍ୟ ଦର୍ଶାଯାଇଛି । ଯାହାଫଳରେ ନାଉଗାଁବାସୀ ଅଗ୍ନିକାଣ୍ଡ ଭୟରୁ ଆଶ୍ୱସ୍ତି ପାଇଗଲେ ଭାବି ନେଇଥିଲେ । କିନ୍ତୁ ଏହି ସେବା ପାଇବା ପାଇଁ ୧୦୧ନମ୍ବର ଡାଏଲ କଲାବେଳକୁ ନାଉଗାଁ କେନ୍ଦ୍ରକୁ ଲାଗିବା ପରିବର୍ତେ ଜଗତସିଂହପୁର ଲାଗୁଛି । ଜଗତସିଂହପୁର କାର୍ଯାଳୟ ପକ୍ଷରୁ ନାଉଗାଁ କାର୍ଯ୍ୟାଳୟରେ ବ୍ୟବୃହତ ମୋବାଇଲି ନମ୍ବରକୁ ଦିଆଯାଉଛି । କିନ୍ତୁ ଉକ୍ତ ନମ୍ବରକୁ ଡାଏଲ କରାଗଲେ ମଧ୍ୟ ନେଟୱାର୍କର ଅସୁବିଧା ହେତୁ ଅଧିକାଂଶ ସମୟ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ଯଦି ନାଉଗାଁ ଅଂଚଳରେ ବଡଧରଣର ଅଗ୍ନିକାଣ୍ଡ ଘଟେ ଅଗ୍ନିଶମ ସେବା କେନ୍ଦ୍ରକୁ ଯୋଗାଯୋଗ ସମ୍ଭବ ନହୁଏ ଏଥିପାଇଁ କିଏ ଦାୟୀ ରହିବେ ବୋଲି ବୁଦ୍ଧିଜୀବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ନାଉଗାଁ ଅଂଚଳ ପାଇଁ ଅଗ୍ନିଶମ ସେବା କେନ୍ଦ୍ର ଖୋଲା ଯିବା ପରେ କ’ଣ ପାଇଁ ୧୦୧ ନମ୍ବର ଉପଲବ୍ଧ କରାଯାଇନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।\n


