ଅନାଥ ପିଲାଙ୍କ ଖର୍ଚ୍ଚ ଉଠାଇବା ପାଇଁ ପ୍ରତିଦିନ ପାଇଖାନା ସଫା କରୁଥିବା ବ୍ୟକ୍ତି
ପ୍ରତ୍ୟେକ ମଣିଷ ପାଇଁ “ଚ୍ୟାରିଟି’ ବା “ଦାନ’ ଅର୍ଥ ଭିନ୍ନ । କିନ୍ତୁ ଲୋକନାଥନ୍ଙ୍କ ପାଇଁ ଦାନର ଅର୍ଥ ଥିଲା ବେଶ୍ ସରଳ । ଆଉ ସେଇଟା ହେଉଛି, କିଛି ଭଲ କାମ କରିବାର ଏ ହେଉଛି ଏକ ମାଧ୍ୟମ । ନହେଲେ ଜଣେ ଅସହାୟ ଓ ଗରିବକୁ ସାହାଯ୍ୟ କରିବାର ଏକ ଛୋଟ ପ୍ରୟାସ । ଯେଉଁଥିରୁ ସେ କେବେ ବି ନିଜକୁ ବଞ୍ଚିତ ରଖିବାକୁ ଚାହୁଁନଥିଲେ । ତେଣୁ ଦାନ କରିବା ପାଇଁ ପ୍ରତିଦିନ ଅନ୍ୟର ପାଇଖାନା ସଫା କରନ୍ତି ଲୋକନାଥନ୍ । ଆଉ ସେଥିରୁ ଯାହା ଯେତିକି ମିଳେ ସେସବୁ ସେ ଅନାଥ ଆଶ୍ରମର ପିଲାମାନଙ୍କ ପାଇଁ ଖର୍ଚ୍ଚ ପାଇଁ ଦେଇଦିଅନ୍ତି । ତାମିଲନାଡୁ କୋଏମ୍ବାଟୁରର କନ୍ନମ୍ପଲାୟମରେ ରୁହନ୍ତି ଲୋକନାଥନ୍ । ବୃତ୍ତିରେ ସେ ଜଣେ ଝଳେଇ ମିସ୍ତ୍ରୀ । ବାପା ବି ଝଳେଇ ମିସ୍ତ୍ରୀ କାମ କରୁଥିଲେ । ପିଲାଦିନେ ଲୋକନାଥନ୍ଙ୍କୁ ପାଠପଢ଼ିବାର ଭାରି ଇଚ୍ଛା ଥିଲା । କିନ୍ତୁ ଆର୍ଥିକ ଅଭାବ ତାଙ୍କୁ ସ୍କୁଲ୍ ଯିବା ବାଟରେ ପ୍ରତିବନ୍ଧକ ସାଜିଲା । ୧୨ ବର୍ଷ ବୟସରେ ସେ ସ୍କୁଲ୍ ତ ଯାଇପାରିଲେନି କିନ୍ତୁ ପହଞ୍ଚିଯାଇଥିଲେ ଗୋଟେ ପେପର ମିଲ୍ରେ । ସେଠାରେ ସେ ଝଳେଇ ମିସ୍ତ୍ରୀ ଭାବେ କାମ ଆରମ୍ଭ କଲେ । ପ୍ରଥମେ ପ୍ରଥମେ ଲୋକନାଥନ୍ ଆଦୌ ପେପର୍ ମିଲ୍କୁ ଯାଇ କାମ କରିବାକୁ ଚାହୁଁ ନଥିଲେ । ସେ ସ୍କୁଲ୍ ଯିବାକୁ ଚାହୁଁଥିଲେ । କିନ୍ତୁ ଘର ଲୋକ ତାଙ୍କୁ ଟଙ୍କା ରୋଜଗାର କରିବାକୁ ବାଧ୍ୟ କରୁଥିଲେ । କାରଣ ସେତେବେଳେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା । ଲୋକନାଥନ୍ଙ୍କ କହିବା ଅନୁଯାୟୀ, ଖୁବ୍ ବମ୍ ବୟସରେ ତାଙ୍କ ପାଠ ପଢ଼ିବାର ସ୍ୱପ୍ନଟି ଭାଙ୍ଗି ଯାଇଥିଲା । ସ୍ୱପ୍ନ ଭାଙ୍ଗିବାର କଷ୍ଟ କ’ଣ ସେ ଜାଣନ୍ତି । ତେଣୁ ସେ ଚାହାନ୍ତିନି କୌଣସି ପିଲା ପାଠପଢ଼ିବାରୁ କେବେ ବଞ୍ଚିତ ରହୁ । ତେଣୁ ତାଙ୍କ ଦ୍ୱାରା ଯାହା ଯେତିକି ସମ୍ଭବ ସେ ଅନାଥ ପିଲାଙ୍କୁ ପଢ଼େଇବା ପାଇଁ ଆର୍ଥିକ ସହଯୋଗ କରିବେ । ଏବେ ଲୋକନାଥନ୍ଙ୍କ ବୟସ ୫୨ ବର୍ଷ । ଗତ ୧୭ ବର୍ଷ ହେବ ସେ ପାଇଖାନା ସଫା କରୁଛନ୍ତି । ପେପର ମିଲ୍ କାମ ସରିବା ପରେ ସବୁଦିନ ଲୋକନାଥନ କୋଏମ୍ବାଟୁରର ବିଭିନ୍ନ ପ୍ରାଇଭେଟ୍ କମ୍ପାନୀ ବୁଲି ପାଇଖାନା ସଫା କରନ୍ତି । ତାଙ୍କ କହିବା ଅନୁଯାୟୀ, ଲୋକମାନଙ୍କୁ ପାଇଖାନା ସଫା କରିବାକୁ ଲାଜ ଲାଗେ । ତେଣୁ ସେମାନେ ଏହି କାମ କରିବାକୁ ଚାହାନ୍ତି ନାହିଁ । ପାଇଖାନା ସଫା କରୁଥିବା ଲୋକମାନଙ୍କୁ ମଧ୍ୟ କିଛି ଲୋକ ନୀଚ ଦୃଷ୍ଟିରେ ଦେଖନ୍ତି । କିନ୍ତୁ ମତେ ଏହି କାମ କରିବାକୁ ଲାଜ ଲାଗେନି । ମୁଁ ବିନା ସର୍ତ୍ତରେ ପାଇଖାନା ସଫା କରେ । ଲୋକନାଥନ୍ ୨୦୦୨ରେ ପାଇଖାନା ସଫା କାର୍ଯ୍ୟ ଆରମ୍ଭ କରିଥିଲେ । ଗୋଟେ ଘଣ୍ଟା ପାଇଖାନା ସଫା କରିବା ପାଇଁ ସେ ୫୦ ଟଙ୍କା ନିଅନ୍ତି । ପାଇଖାନା ସଫା କରି ସେ ମାସକୁ ୨ ହଜାରରୁ ଅଧିକ ଟଙ୍କା ରୋଜଗାର କରିନିଅନ୍ତି । ଆଉ ସେହି ଟଙ୍କାରେ ସେ ବହି ଏବଂ ଡ୍ରେସ୍ କିଣି ଅନାଥ ଆଶ୍ରମରେ ବାଣ୍ଟନ୍ତି । ଏଥିସହ ପ୍ରତିବର୍ଷ ସେ ସରକାରୀ ଅନାଥ ଆଶ୍ରମକୁ ୧୦,୦୦୦ ଟଙ୍କା ଦେଉଛନ୍ତି । ତାଙ୍କର ଏହି ପ୍ରୟାସ ଦ୍ୱାରା ଅନାଥ ଆଶ୍ରମର ପାଖାପାଖି ୧୬୦୦ ପିଲାଙ୍କୁ ପ୍ରାରମ୍ଭିକ ଶିକ୍ଷା ପ୍ରାପ୍ତ ହେଉଛି । କିନ୍ତୁ ଲୋକନାଥନ୍ଙ୍କ ପରିବାର ଲୋକେ ତାଙ୍କର ଏହି କାର୍ଯ୍ୟକୁ ଦେଖି ଏତେଟା ଖୁସି ନାହାନ୍ତି । ଲୋକନାଥନ୍ କୁହନ୍ତି- ମୁଁ ପାଇଖାନା ସଫା କରୁଛି ଜାଣିବା ପରେ ମୋ ପରିବାର ଲୋକେ ଏବଂ ସାଙ୍ଗସାଥୀମାନେ ମତେ ଅନେକ ବାରଣ କଲେ । କିଛି ସାଙ୍ଗ ମୋ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଇଛନ୍ତି । ତଥାପି ମୁଁ ମୋ କାମ ବନ୍ଦ କରିନାହିଁ । ମତେ ଏହି କାମ କରିବାକୁ ଲାଜ ଲାଗେନି । ବରଂ ଖୁସି ଲାଗେ । କମ୍ ପରିଶ୍ରମ, କମ ସମୟ ମଧ୍ୟରେ ମୁଁ ଏଥିରୁ ଅଥିକ ଟଙ୍କା ରୋଜଗାର କରିପାରୁଛି । ଭବିଷ୍ୟତରେ ଲୋକନାଥନ୍ ତାମିଲନାଡୁର ଅନାଥ ପିଲାମାନଙ୍କ ପାଇଁ ଗୋଟେ ଚ୍ୟାରିଟେବଲ୍ ଏଜୁକେସନାଲ୍ ଟ୍ରଷ୍ଟ ଗଢ଼ିବାକୁ ଚାହାନ୍ତି ।


