ଅଲଣାହାଟ-କୁଣ୍ଡେଶ୍ୱର ରାସ୍ତା ମରାମତି କାହା ସ୍ୱାର୍ଥରେ ମରାମତି ନାଁରେ ବର୍ଷକୁ ଆତ୍ମସାତ ହେଉଛି ଲକ୍ଷାଧିକ ଟଙ୍କା
ନାଉଗାଁ, (ଓ୍ବାଇଏନ୍ଏସ୍):ପୂର୍ତ ବିଭାଗର ଜଗତସିଂହପୁର ବିଭାଜନ ଅଧିନ ନାଉଗାଁ ବ୍ଳକସ୍ଥିତ ଅଲଣାହାଟ ଠାରୁ କୁଣ୍ଡେଶ୍ୱର ପର୍ଯ୍ୟନ୍ତ ୪ କିମି ରାସ୍ତା ରହିଛି । ଏହି ରାସ୍ତାର ମରାମତି ଓ ସଂପ୍ରସାରଣ ପାଇଁ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ରାସ୍ତା ମରାମତି ହେବାର ବର୍ଷକ ଭିତରେ ରାସ୍ତା ପୂର୍ବ ଅବସ୍ଥା ପରି ହେଉଥିବା ଦେଖାଯାଇଛି । ସୂଚନା ମୁତାବକ ଏହି ରାସ୍ତାଟି ନାଉଗାଁ ବ୍ଳକ ସହିତ ବାଲିକୁଦା ବ୍ଳକର ବିଭିନ୍ନ ପଂଚାୟତକୁ ସଂଯୋଗ କରୁଛି । ଏପରିକି ଏହି ରାସ୍ତା ଦେଇ ବାଲିକୁଦାରୁ ବହୁ ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ଅଲଣାହାଟ, ମୁଣ୍ଡାଳୋ ବଜାର, ନାଉଗାଁର ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ଉପରେ ଦୁଇଟି ବ୍ଲକର ଜନସାଧାରଣ ନିର୍ଭର କରୁଥିବା ବେଳେ ରାସ୍ତାଟି ପୂର୍ତ ବିଭାଗ ଅଧିନ ରହିଛି । ଏହି ରାସ୍ତାର ଗୁରୁତ୍ୱ ଥିବାରୁ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇ କିଛି ଅଂଶ କଂକ୍ରିଟ କରାଯାଇଥିବା ବେଳେ ଆଉ କିଛି ଅଂଶ ପିଚୁ ରାସ୍ତା କରାଯାଇଛି । ଏପରିକି ବିଭାଗ ପକ୍ଷରୁ ରାସ୍ତାର ଉନ୍ନତିକରଣ ପାଇଁ ବର୍ଷକ ତଳେ ଲକ୍ଷାଧିକ ଟଙ୍କା ମଂଜୁର କରାଯାଇ ରାସ୍ତାର ଉଭୟ ପାଶ୍ୱର୍କୁ ସଂପ୍ରସାରଣ କରାଯାଇଛି । ହେଲେ ଉକ୍ତ ରାସ୍ତାର ସଂପ୍ରସାରଣ ଅଂଶ ବର୍ଷକ ଭିତରେ ଦବିବା ସହିତ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ସେହିପରି ପିଚୁ ରାସ୍ତାକୁ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯାଇଥିଲେ ମଧ୍ୟ ରାସ୍ତାରୁ ପିଚୁ ଉଠି ଯାଇଥିବା ଦେଖିବାକୁ ମିଳୁଛି । ଫଳରେ ଏହି ରାସ୍ତାରେ ଜନସାଧାରଣମାନେ ଯାତାୟତ କରିବାରେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟରେ ଏହି ରାସ୍ତାର ମରାମତି ଓ ସଂପ୍ରସାରଣ କାହା ସ୍ୱାର୍ଥ ପାଇଁ କରାଯାଉଛି ବୋଲି ସ୍ଥାନୀୟ ଅଂଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


