ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନରେ ନିୟୋଜିତ ହେବାକୁ ଥିବା ପୋଲିଂ କର୍ମଚାରୀଙ୍କ ତାଲିମ ନିମନ୍ତେ ପ୍ରସ୍ତୁତି
ବାଲେଶ୍ୱର, (ଓ୍ବାଇଏନ୍ଏସ୍):ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ନିମନ୍ତେ ଗତ କାଲି (ଅକ୍ଟୋବର ୯ ତାରିଖ) ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇ ଥିବା ବେଳେ ପୂର୍ବାହ୍ନ ୧୧ଘଟିକାରୁ ଅପରାହ୍ନ ୩ଘଟିକା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ । ପ୍ରଥମ ଦିନରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବା ସୂଚନା ମିଳିଛି । ଇତି ମଧ୍ୟରେ ଉପନିର୍ବାଚନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ପ୍ରସ୍ତୁତି ଜାରି ରହିଛି । ଗତ କାଲି ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପୋଲିଂ କର୍ମଚାରୀମାନଙ୍କ ଚୟନ କାର୍ଯ୍ୟ ସମାପନ ହୋଇଛି । ରେଣ୍ଡୋମାଇଜେସନ ପଦ୍ଧତିରେ ବିଭିନ୍ନ ବୁଥ୍ ପାଇଁ ୧୫୦ ପ୍ରତିଶତ ହିସାବରେ ପୋଲିଂ କର୍ମଚାରୀମାନଙ୍କୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ବଛାଯାଇଛି । ସେମାନଙ୍କୁ ତାଲିମ ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି । ପୋଲିଂ କର୍ମଚାରୀଙ୍କ ତାଲିମ ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅକ୍ଟୋବର ୧୯ ଓ ୨୦ ତାରିଖରେ ଅନୁଷ୍ଠିତ ହେବ । ସ୍ଥାନୀୟ ଜିଲ୍ଲା ସ୍କୁଲର ୧୬ଟି କକ୍ଷରେ ଏହି ତାଲିମ୍ କାର୍ଯ୍ୟ ଅନୁଷ୍ଠିତ ହେବ । କୋଭିଡ ନିୟମର ଅନୁପାଳନ ପୂର୍ବକ ସମସ୍ତଙ୍କୁ ତାଲିମ ଦେବା ବ୍ୟବସ୍ଥା କରାଯାଇଛି । ଜିଲ୍ଲା୍ସ୍ତରୀୟ ମାଷ୍ଟର ଟ୍ରେନର ଏବଂ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ମାଷ୍ଟର ଟ୍ରେନରମାନେ ସେକ୍ଟର ଅଫିସରମାନଙ୍କ ସହାୟତାରେ ଏହି ତାଲିମ ପ୍ରଦାନ କରିବେ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କେବଳ ପ୍ରିଜାଇଡିଂ ଅଫିସର ଓ ଫାଷ୍ଟ ପୋଲିଂ ଅଫିସରଙ୍କୁ ତାଲିମ ଦିଆଯିବାକୁ ଥିବା ବେଳେ ତୃତୀୟ ପର୍ଯ୍ୟାୟରେ ସମସ୍ତ ପୋଲିଂ କର୍ମଚାରୀଙ୍କୁ ଏହି ତାଲିମ ପ୍ରଦାନ କରାଯିବ । ନିଯୁକ୍ତି ପତ୍ର ପାଇଥିବା ସମସ୍ତ ପୋଲିଂ କର୍ମଚାରୀମାନଙ୍କ ପାଇଁ ଏହି ତାଲିମ ବାଧ୍ୟତାମୂଳକ କରାଯାଇଛି । ଯିଏ ଏହି ତାଲିମରେ ଭାଗ ନେବ ନାହିଁ ବା ଅନୁପସ୍ଥିତ ରହିବ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ଏଥି ସହିତ ଚଳିତ ଉପ-ନିର୍ବାଚନରେ ନିର୍ଦ୍ଦିଷ୍ଟ କିଛି ବର୍ଗର ଭୋଟରଙ୍କୁ ପୋଷ୍ଟାଲ ବାଲଟ୍ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ଗତକାଲି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ୫ଦିନ ଧରି ଚାଲିବ । କୋଭିଡ-୧୯ ନିମନ୍ତେ ସତର୍କତା ଅବଲମ୍ବନ ପୂର୍ବକ ତିନୋଟି ବର୍ଗର ମତଦାତାମାନଙ୍କୁ ପୋଷ୍ଟାଲ ବାଲଟ୍ ଜରିଆରେ ମତଦାନ କରିବା ପାଇଁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି । ସେମାନେ ହେଲେ
୧.ବରିଷ୍ଠ ନାଗରିକ ଭୋଟର (୮୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ) ଯାହାଙ୍କ ନାମ ମତଦାତା ସୂଚୀରେ ଚିହ୍ନିତ ହୋଇଥିବ ।
୨.ଦିବ୍ୟାଙ୍ଗ ଭୋଟର ଯାହାଙ୍କ ନାମ ମତଦାତା ସୂଚୀରେ ଚିହ୍ନିତ ହୋଇଥିବ ।
୩.କୋଭିଡ୍-୧୯ରେ ଆକ୍ରାନ୍ତ ବା କୋଭିଡ ସନ୍ଦିଗ୍ଧ ଭୋଟର ପାଇଁ(ଡାକ୍ତରଖାନା ବା ଗୃହ ସଙ୍ଗରୋଧରେ ଥିଲେ ବି ଉପରୋକ୍ତ ତିନି ଶ୍ରେଣୀର ମତଦାତାମାନଙ୍କୁ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିବା ପାଇଁ ଫର୍ମ-୧୨ଘ(୧୨ଊ) ରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଆବେଦନ କରିବାକୁ ପଡିବ । ଏହି ଫର୍ମ ବୁଥସ୍ତରୀୟ ଅଧିକାରୀ(ବି.ଏଲ.ଓ)ମାନେ ମତଦାତାଙ୍କ ନିକଟକୁ ନେଇ ଯିବେ । ଏ ସମ୍ବନ୍ଧୀୟ କୌଣସି ସୂଚନା ପାଇଁ ମତଦାତାମାନେ ବୁଥସ୍ତରୀୟ ଅଧିକାରୀ(ବି.ଏଲ.ଓ)ମାନଙ୍କୁ ଯୋଗାଯୋଗ କରିପାରିବେ । ଏଥି ସହିତ ସେମାନେ କଂଟ୍ରୋଲ ରୁମ ନମ୍ବର – ୦୬୭୮୨-୨୬୨୨୭୮ ଅଥବା ନିଶୁଳ୍କ ନମ୍ବର ୧୯୫୦ରେ ମଧ୍ୟ ଯୋଗାଯୋଗ କରିପାରିବେ । ଏ ସମ୍ପର୍କୀତ ଅଧିକ ସୂଚନା ଆବଶ୍ୟକ ଥିଲେ ଜିଲ୍ଲାର ପୋଷ୍ଟାଲ ବାଲଟ୍ ନୋଡାଲ ଅଧିକାରୀ ଶ୍ରୀ ହରିଶ ଚନ୍ଦ୍ର ଜେନା, ଉପଜିଲ୍ଲାପାଳ, ନୀଳଗିରି ( ମୋ. ନମ୍ବର-୯୪୩୭୧୭୪୫୧୩)ଙ୍କୁ ମଧ୍ୟ ଯୋଗାଯୋଗ କରିପାରିବେ । ଏଠାରେ ସୂଚନାଯୋଗ୍ୟ ଯେ ଭୋଟ ଗଣନା ସମୟରେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିଥିବା ମତଦାତାଙ୍କ ଭୋଟ ସର୍ବପ୍ରଥମେ ଗଣାଯାଇଥାଏ । ତେବେ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିବା ବାଧ୍ୟତାମୂଳକ ନୁହେଁ ଏବଂ ଏହା ଏକ ଇଚ୍ଛାଧୀନ ସୁବିଧା । ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଦତ ଏହି ସୁବିଧାର ସଦୁପଯୋଗ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁରୋଧ କରିଛନ୍ତି ।