ଗଣମାଧ୍ୟମ ଉପରେ ନଗ୍ନ ଆକ୍ରମଣ କରି ରାଜ୍ୟ ସରକାର ସାମ୍ବିଧାନିକ ମର୍ଯ୍ୟାଦାର ହନନ କରୁଛନ୍ତି : ନବର୍ନିମାଣ କୃଷକ ସଂଗଠନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଗଣମାଧ୍ୟମ ଉପରେ ନଗ୍ନ ଆକ୍ରମଣ କରି ସରକାର ସାମ୍ବିଧାନିକ ମର୍ଯ୍ୟାଦାର ହନନ କରିଛନ୍ତି । ସଂସଦୀୟ ଗଣତନ୍ତ୍ରର ନ୍ୟାୟପାଳିକା, ବ୍ୟବସ୍ଥାପକ ସଭା, ଅମଲାତନ୍ତ୍ର, ଚତୁର୍ଥସ୍ତମ୍ଭ ସମସ୍ତେ ସମସ୍ତଙ୍କର ସୀମାରେ ରହିବା କଥା । ହେଲେ ଦେଶରେ ଓ ରାଜ୍ୟରେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭର କଣ୍ଠରୋଧ କରାଯାଉଛି । ଉଦ୍ଦେଶ୍ୟମୂଳକ ଭାବେ କେତେକ ଗଣମାଧ୍ୟମକୁ ସରକାର ଟାର୍ଗେଟ କରୁଛନ୍ତି ଆଉ ଏହା ଭିତରେ ରାଜନୈତିକ ପ୍ରତିଶୋଧ ଭାବନା ରହୁଛି । ଆମ ରାଜ୍ୟର ‘ଓ’ଟିଭି କର୍ମଚାରୀ ଓ ଉପରିସ୍ଥ ଅଫିସରମାନଙ୍କୁ ଯେଉଁଭଳି ଭାବରେ ଗିରଫ କରାଗଲା ଏହା ସେଥିରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି । ଯିଏ ଅପରାଧ କରିଛି ସେ ଦଣ୍ଡପାଉ, ମାତ୍ର ଦଣ୍ଡ ଦିଆଗଲା ବେଳେ ଦଣ୍ଡପ୍ରଦାନକାରୀ ଶାଳୀନତା ଓ ନିଜ ପଦପର୍ଯ୍ୟାଦା ଭୁଲିଯାଉଛନ୍ତି । ଗାଁଗଣ୍ଡାରେ ଜମିବାଡ଼ି କେସ୍ରେ କାକୁତି ମିନତି କଲେ ପୋଲିସ୍ ସିଭିଲ୍ ମ୍ୟାଟର କହି ଏଡ଼ାଇଯାଉଛି ଅଥଚ ସାରୁଅ ଜମି କେଳେଙ୍କାରୀରେ ନିଜ କ୍ଷମତା ନଥାଇ ଯେଭଳି ସେ ଘଟଣାରେ ନାକ ପୁରାଇଲା ତାହା ହିଁ ସରକାରଙ୍କ ପକ୍ଷପାତିତା ଓ ରାଜନୈତିକ ଆକ୍ରୋଶକୁ ସୁଚାଉଛି ବୋଲି ଲୋୟର ପିଏମ୍ଜିରେ ଆୟୋଜିତ ପ୍ରତିବାଦ ସଭାରେ ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି । କଂସ, ରାବଣ, ହିଟଲର, ନେପୋଲିୟମ କୌଣସି କ୍ଷମତାନ୍ଧ ଶକ୍ତିଙ୍କ ଅହଙ୍କାର ରହିନାହିଁ କି ରହିବ ନାହିଁ । ଓଡ଼ିଶା ସରକାରଙ୍କ ଅହଙ୍କାର ମଧ୍ୟ ଦିନେ ଚୁର୍ଣ୍ଣ ହେବ । ସରକାରଙ୍କ ଏଇ ବିଲକ୍ଷଣତା ପାଇଁ ଢେର ମହଙ୍ଗା ପଡ଼ିବ ବୋଲି କହିଛନ୍ତି । ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସରକାରଙ୍କୁ ଶାଣିତ ସମାଲୋଚନା କରି କହିଥିଲେ ଯେ ୮୦ ଦଶକରେ ଜାନକୀ ପଟ୍ଟନାୟକ ସରକାର ଯେମିତି ‘ସମାଜ’ ଉପରେ ଦାଉ ସାଧୁଥିଲେ ଏବେ ବିଜେଡ଼ି ସେହି ସମାନ ଢଙ୍ଗରେ ‘ଓ’ଟିଭି ଉପରେ ରାଜନୈତିକ ଆକ୍ରୋଶ ରଖି ଦାଉ ସାଧୁଛନ୍ତି । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ଏହା ଆଦୌ ଶୁଭ ଲକ୍ଷଣ ନୁହେଁ ଓ ଏହା ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । କେବଳ ଓଟିଭିକୁ ନୁହେଁ ଗଣମାଧ୍ୟମ ଉପରେ ରାଷ୍ଟ୍ରଶକ୍ତିର ନଗ୍ନ ଆକ୍ରମଣକୁ କେବେବି ତିଳେମାତ୍ରେ ବରଦାସ୍ତ କରାଯାଇ ପାରିବ ନାହିଁ । ରାଜ୍ୟ ସହସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ କହିଲେ ଯେ, ଓଟିଭି ଏବେ ଲୋକଙ୍କ ଟିଭି ହୋଇସାରିଲାଣି । ସରକାରଙ୍କ ଏହି ପଦକ୍ଷେପ ବିରୋଧରେ ସବୁ ଜିଲ୍ଳାରେ ଲୋକ ଆବଶ୍ୟକ କଲେ ରାସ୍ତାକୁ ଓହ୍ଲାଇବେ । ସହ ସଂଯୋଜକ ନିମାଇଁ ରାୟ ଓ ଯୁବ ସଂଗଠନ ମନୱାର ଅଲ୍ଲୀ କଡିଥିଲେ ଯେ, ବିନାଶ କାଳେ ବିପରୀତ ବୁଦ୍ଧି ଯାହା ଏବେ ସରକାରଙ୍କ ନିଷ୍ପତ୍ତି ସେଭଳି ।
ଆଜିର ଶାନ୍ତିପ୍ରିୟ ପ୍ରତିବାଦରେ ବିଭିନ୍ନ ଜିଲ୍ଲାର ଚାଷୀ ଓ ମହିଳା ଛାତ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ଡଃ କୁଳମଣି, ବରିଷ୍ଠ ନେତା ସୁରେନ୍ଦ୍ର ନାଥ ମହାରଣା, ଗାନ୍ଧିବାଦୀ କର୍ମୀ ରାଜନାରାୟଣ ଜେନା, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦ୍ର ମାନସିିଂ, ଗୋବିନ୍ଦ ମହାପାତ୍ର, ଜଗତସିଂହପୁର ସଂଯୋଜକ ଦୁର୍ଗାଚରଣ ସ୍ୱାଇଁ, ଅକ୍ରୁର ପଲାଇ, ଦୁର୍ଗାପ୍ରସାଦ ଦାଶ, ବିିଚିତ୍ର ପଣ୍ଡା, ମଧୁମିତା ସାମଲ, ରଣଜିତ ପଟ୍ଟନାୟକ, ସନ୍ତୋଷ ପାତ୍ର, ରଞ୍ଜନ ପଟେଲ, ଅଶ୍ୱିନୀ ଜେନା, କାହ୍ନୁ ବେହେରା, ରଣଜିତ ଦଳବେହେରା, ସୁବ୍ରତ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ ।


