ଘରୋଇ କଳିରୁ ଆତ୍ମହତ୍ୟା ଉଦ୍ୟମ, ଥାନା ପକ୍ଷରୁ ତଦନ୍ତ ଜାରି ;ଶାଶୁ,ଶ୍ୱଶୁର ଥାନାରେ ଅଟକ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତ ଦାନ୍ତୁଆଳ(ଚମ୍ପେଶ୍ୱର) ଗ୍ରାମର ଜୈନିକ ମହିଳା ଘରୋଇ କଳିକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ଶାଶୁଘର କିମ୍ବା ମହିଳାଙ୍କ ବାପ ଘର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇନାହିଁ । ମହିଳା ଜଣଙ୍କ ପୋଡି ହେବା ପରେ ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମହିଳାଙ୍କ ଶ୍ୱଶୁର ଓ ଶାଶୁଙ୍କୁ ଥାନାରେ ଅଟକ ରଖାଯାଇଛି । ଥାନା ପକ୍ଷରୁ ପ୍ରାଥମିକ ତଦନ୍ତ ଅନୁସାରେ ମିଳିଥିବା ସୂଚନାନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ଗାଡି କିଣାକୁ ନେଇ ପ୍ରଶାନ୍ତ ଭୋଇ(ମିଥୁନ) ଓ ତାଙ୍କ ପତ୍ନୀ ସ୍ୱପ୍ନା ଭୋଇଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହି ପାଟି ତୁଣ୍ଡରେ ଉତକ୍ଷିପ୍ତ ହୋଇ ସ୍ୱାପ୍ନା ଦେହରେ କିରୋସିନ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ । ନିଆଁ ଜଳିବା ପରେ ଚିତ୍କାର ଶୁଣି ପଡୋଶୀମାନେ ତାଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବା ବେଳେ ନାଉଗାଁ ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ଆଇଆଇସି ଭରତ କୁମାର ବେହେରା, ଏସଆଇ ପ୍ରତାପ ଚନ୍ଦ୍ର ଦାସ, ଏଏସଆଇ ଅଶୋକ ମହାନ୍ତି ଆଦି ଘଟଣାସ୍ଥଳରେ ତଦନ୍ତ କରିଚାବା ବେଳେ ଥାନାଧିକାରୀ ବେହେରା ଆକ୍ରାନ୍ତ ମହିଳାଙ୍କ ବୟାନ ପାଇଁ କଟକ ବଡ ଡାକ୍ତରଖାନା ଯାଇଥିବା ଜଣାଯାଇଛି । ଗତ ଦେଢ ବର୍ଷ ତଳେ ପ୍ରଶାନ୍ତ ସ୍ୱପ୍ନାକୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କ ଶ୍ୱଶୁର ଘର ବାଲେଶ୍ୱର ଜିଲ୍ଲାରେ ବୋଲି ଜଣାଯାଇଛି । ନିଆଁରେ ସ୍ୱପ୍ନାଙ୍କର ଶରୀରର ୬୦ଭାଗ ଅଂଶ ପୋଡି ଯାଇଥିବା ବେଳେ ତାଙ୍କର ଏକ ୩ ମାସର ଶିଶୁ କନ୍ୟା ରହିଛି । ତଦନ୍ତ ଓ ବୟାନ ରେକର୍ଡ ପରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ବେହେରା ପ୍ରକାଶ କରିଛନ୍ତି ।


