ତେଜସ୍‌ ଏକ୍ସପ୍ରେସ୍‌ରେ ଯାତ୍ରୀ ହେଉନାହାନ୍ତି, ଚଳାଚଳ ବନ୍ଦ କଲା ଆଇଆରସିଟିସି

ନୂଆଦିଲ୍ଲୀ: ଘରୋଇ ସଂସ୍ଥା ଜରିଆରେ ଯାତ୍ରୀବାହୀ ଟ୍ରେନ୍ ଚଲାଇବା ଲାଗି ରେଳବାଇ ବଡ଼ ଧରଣର ଯୋଜନା ରଖିଛି। ମାତ୍ର ଦେଶର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିବା ଲାଗି ଆଇଆରସିଟିସି ନିଷ୍ପତ୍ତି ନେଇଥିବାରୁ ଏହି ଯୋଜନାକୁ ଶକ୍ତ ଧକ୍କା ଲାଗିଛି। ଲକ୍ଷ୍ନୌ-ଦିଲ୍ଲୀ ଓ ମୁମ୍ବାଇ-ଅହମ୍ମଦାବାଦ ରୁଟ୍‌ରେ ଆଇଆର୍‌ସିଟିସିର ଦୁଇଟି ତେଜସ୍‌ ଏକ୍ସପ୍ରେସ୍‌ ଚାଲୁଥିଲା। ଏହି ଦୁଇ ଟ୍ରେନ୍‌ର ଚଳାଚଳ ବନ୍ଦ କରିବାକୁ କଂପାନି ନି‌ଷ୍ପତ୍ତି ନେଇଛି। ଯାତ୍ରୀ ହେଉନଥିବାର କଂପାନି ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । କରୋନା ମହାମାରୀ ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯିବା ପୂର୍ବରୁ ଗତ ମାର୍ଚ୍ଚ ୧୯ରୁ ଏହି ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଥିଲା। ଦୀର୍ଘଦିନ ବନ୍ଦ ରହିବା ପରେ ପୁଣି ଥରେ ଗତ ଅକ୍ଟୋବର ୧୭ରୁ ଏହାର ଚଳାଚଳ ଆରମ୍ଭ ହୋଇଥିଲା। ଚଳିତ ମାସ ୧୭ରେ ଆଇଆର୍‌ସିଟିସି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୨୩ ଓ ୨୪ ତାରିଖରେ ଦୁଇ ତେଜସ୍‌ ଏକ୍ସପ୍ରେସ୍‌ର ଚଳାଚଳ ବନ୍ଦ ହେବ। କାରୋନା ମହାମାରୀର ଭୟ ରହିଥିବାରୁ ଏହି ଦୁଇ ଟ୍ରେନ୍‌ରେ ଯାତ୍ରୀ ହେଉନାହାନ୍ତି। ଭବିଷ୍ୟତରେ ଯାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ପୁଣି ଥରେ ଏହି ଦୁଇ ଟ୍ରେନ୍‌ ଚଲାଇବା ଉପରେ କଂପାନି କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିବେ। ଘରୋଇ ସଂସ୍ଥା ଜରିଆରେ ଯାତ୍ରୀବାହୀ ଟ୍ରେନ୍ ଚଲାଇବା ଲାଗି ରେଳବାଇ ମହତ୍ବାକଂକ୍ଷୀ ଯୋଜନା ରଖିଛି। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ଯେଉଁଥିରେ ଅନେକ କଂପାନି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ଟି ସଂସ୍ଥାକୁ ରେଳବାଇ ସର୍ଟଲିଷ୍ଟ କରିଥିବା ଜଣାପଡ଼ିଛି। ଏହି ପ୍ରକଳ୍ପ ଜରିଆରେ ରେଳବାଇ ୩୦ ହଜାର କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ