ଆନ୍ଧ୍ର ସରକାର ମଦ ବନ୍ଦ କଲେ, ଓଡ଼ିଶା ବନ୍ଦ କରିବେ କେବେ?
ଭୁବନେଶ୍ୱର, : ଆନ୍ଧ୍ର ସରକାର ରାଜ୍ୟର ୩୫୦୦ ସରକାରୀ ମଦ ଦୋକାନକୁ ଅକ୍ଟୋବର ୧ ତାରିଖ ଠାରୁ ହାତକୁ ନେବା ପାଇଁ ଘୋଷଣା କରିଛନ୍ତି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ନାରାୟଣ ସ୍ୱାମୀ କହିଛନ୍ତି ଯେ, ଆନ୍ଧ୍ର ସରକାର ସେପ୍ଟେମ୍ବର ୧ ତାରିଖରୁ ୪୭୫ଟି ମଦ ଦୋକାନକୁ ହାତକୁ ନେଇଥିଲେ । ଅକ୍ଟୋବର ୧ ତାରିଖରୁ ୩୫୦୦ ମଦ ଦୋକାନକୁ ହାତକୁ ନେବେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜଗନ ମୋହନ ରେଡ୍ଡିଙ୍କ ସଂକଳ୍ପକୁ ସମ୍ମାନ ଜଣାଇ ପର୍ଯ୍ୟାୟକ୍ରମେ ମଦ ଦୋକାନକୁ ଉଚ୍ଛେଦ କରାଯିବ ବୋଲି ମାନ୍ୟବର ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନାରାୟଣ ସ୍ୱାମୀ ଘୋଷଣା କରିଛନ୍ତି । ଆନ୍ଧ୍ର ସରକାରଙ୍କ ଏହି ଘୋଷଣା ରାଜ୍ୟରେ ମହିଳା ନିର୍ଯ୍ୟାତନା ଓ ଦୁର୍ଘଟଣା କମାଇବାରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ ଆଶାପ୍ରକାଶ କରାଯାଇଛି । ଆନ୍ଧ୍ର ସରକାରଙ୍କର ଏହି ଘୋଷଣାକୁ ଅନୁସରଣ କରି ଓଡ଼ିଶା ସରକାର ରାଜ୍ୟରେ ପର୍ଯ୍ୟାୟକ୍ରମେ ମଦ ଦୋକାନ ଉଚ୍ଛେଦ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ଶ୍ରୀ ରବି ବେହେରା ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି ଯେ, ମହିଳା ସଶକ୍ତିକରଣ ପାଇଁ ଉଦ୍ୟମ କରୁଥିବା ଓଡ଼ିଶା ସରକାର ମହିଳାମାନଙ୍କ ହିତ ଦୃଷ୍ଟିରୁ ରାଜ୍ୟରୁ ମଦ ସମ୍ପୂର୍ଣ୍ଣ ନିଷେଧ କରନ୍ତୁ । ଆସନ୍ତା ଅକ୍ଟୋବର ୨ ତାରିଖରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ସମ୍ମାନ ଜଣାଇ ଓଡ଼ିଶାକୁ ଏକ ‘ମଦମୁକ୍ତ ରାଜ୍ୟ’ ଭାବରେ ଘୋଷଣା କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି