ହିମେଶଙ୍କ ପରେ ଉଦିତ୍ ନାରାୟଣଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଲେ ରାନୁ ମଣ୍ଡଳ
ପଶ୍ଚିମବଙ୍ଗର ରାଣାଘାଟରେ ଥିବା ରେଳ ଷ୍ଟେସନରେ ଗୀତ ଗାଉଥିଲେ ରାନୁ ମଣ୍ଡଳ । ସଫ୍ଟୱେୟାର ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ତାଙ୍କର ଭିଡିଓ ବନାଇ ସୋସିଆଲ ମିଡିଆରେ ଛାଡ଼ିବା ପରେ ରାତାରାତି ରାନୁ ବନିଥିଲେ ଇଣ୍ଟରନେଟ୍ ସେନ୍ସେସନ୍ । ରାନୁଙ୍କ କଣ୍ଠସ୍ୱରରେ ପ୍ରଭାବିତ ହୋଇ ବଲିଉଡର ଲୋକପ୍ର୍ୟି ସଂଗୀତ ନିର୍ଦ୍ଦେଶକ ହିମେଶ ରେସମିଆ ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ।
ହିମେଶଙ୍କ ଫିଲ୍ମରେ “ତେରି ମେରି କାହାନୀ’ ଗୀତଟି ଗାଇବା ପରେ ତାଙ୍କ ପାଖକୁ ବିଭିନ୍ନ ମ୍ୟୁଜିକ୍ ଷ୍ଟୁଡିଓରୁ ଅଫର ଆସିବାରେ ଲାଗିଥିଲା । ଏବେ ହିମେଶଙ୍କ ପରେ ରାନୁ ବଲିଉଡର ପ୍ରଖାତ କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କ ସହ ଗାଇବାର ସୁଯୋଗ ପାଇଥିବା ଜଣାପଡ଼ିଛି । ନୂଆ ଗୀତ “କେହ ରହି ହୈ ନଜ୍ଦିକିଆଁ’ ଖୁବ୍ ଶୀଘ୍ର ବଜାରକୁ ଆସିବାକୁ ଯାଉଥିବା ବେଳେ ଏହି ଗୀତଟିକୁ ସାଥୀରେ ଗାଇଛନ୍ତି ରାନୁ ମଣ୍ଡଳ ଓ ଉଦିତ୍ ନାରାୟଣ । ଏହି ଦୁହିଁଙ୍କ ବ୍ୟତୀତ ହିମେଶ ରେସମିଆ ଓ କଣ୍ଠଶିଳ୍ପୀ ପାୟଲ ଦେବ ମଧ୍ୟ କଣ୍ଠଦାନ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ଗୀତଟି ହିମେଶଙ୍କ ଫିଲ୍ମ “ହାପି ହାର୍ଡି ଅର୍ ହୀର’ ଫିଲ୍ମର ବୋଲି ଜଣାପଡ଼ିଛି । ଏହି ଗୀତଟିର ରେକର୍ଡିଂ ସମୟର ଭିଡିଓ ହିମେଶ ନିଜ ଇନ୍ଷ୍ଟାରେ ଛାଡ଼ିବା ପରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।


