ଯୋଡା ଅଂଚଳରେ ଚୋରା ପରିବହନ କାରବାର
ଯୋଡ଼ା ,(ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ଥାନା ଅଂଚଳରେ ପିଲେଟ ପରିବହନ ରେ ଚୋରାକାରବାର ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିବା ସୂତ୍ରରୁ ଖବର ହସ୍ତଗତ ହୋଇଛି । ସୂତ୍ରରୁ ଜଣାପଡିଛି ଯେ, ଶିଳ୍ପ ସଂସ୍ଥାରୁ ପିଲେଟ ପରିବହନ ହୋଇ ରେଳ ସାଇଡିଂ ନିକଟରେ ପରିବହନକାରୀ ସଂସ୍ଥା ପକ୍ଷରୁ ଗଛିତ ରଖାଯାଉଛି ଏବଂ ପରେ ରେଳ ସାଇଡିଂରେ ରେଳର୍ୟାକ୍ ଲାଗିବା ସମୟରେ ଉକ୍ତ ସ୍ଥାନରୁ ପରିବହନ କରି ରେଳର୍ୟାକ୍ ଲୋଡ କରାଯାଇଥାଏ । ଗଛିତ ସ୍ଥାନରୁ ରେଳ ସାଇଡିଂକୁ ବିନା ଓଜନରେ ପିଲେଟ ପରିବହନ କରାଯାଉଥିବାରୁ ଏହାର ଫାଇଦା ଉଠାଇ କିଛି ଅସାଧୁ ଚୋରା ପରିବହନ ବ୍ୟବସାୟୀମାନେ ଟ୍ରିପ ଟ୍ରିପ୍ ପିଲେଟକୁ ଅନ୍ୟତ୍ର ସ୍ଥାନାନ୍ତର କରି ଗଛିତ ରଖିବା ପରେ ବଡ ବଡ ଟ୍ରକରେ ବାହାର ରାଜ୍ୟକୁ ଚୋରାଚାଲାଣ କରାଯାଉଥିବା ଖବର ନଜରକୁ ଆସିଛି । ଚଳିତ ବର୍ଷ ଅତି ଚଂଚକତାର ସହିତ ଉପରେ ଟ୍ରକ ଉପରେ ମାଙ୍ଗାନିଜ ଖଣିଜକୁ ଲଦି ଭିତରେ ମୂଲ୍ୟବାନ ପିଲେଟ ଗୋଲି ପଥର ଚୋରା ଚାଲାଣ କରାଯାଉଥିବା ବେଳେ ବାମେବାରୀ ପୋଲିସ ଏହାକୁ ଧରିଥିଲା । ଗତ ତା ୨୨/୧୨/୨୦୧୮ ରିଖରେ ଯୋଡା ଥାନା ଅନ୍ତର୍ଗତ ଖୁନ୍ଟପାଣି ସୁରୁଗୁତୁରିଆ ଅଂଚଳର ଥିବା ଏକ ଜଙ୍ଗଲ ଭିତରେ ଚୋରା ପିଲେଟ ଡିପୋ ଥିବା ପୋଲିସର ନଜରକୁ ଆସିଥିଲା । ଯୋଡା ପୋଲିସ ଏହାର ଅନୁସନ୍ଧାନ ଜାରି ରଖିଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଉକ୍ତ ପିଲେଟ ଚୋରିର ପର୍ଦ୍ଦାଫାସ ପୋଲିସ କରିପାରିନାହିଁ । ଯାହା ଫଳରେ ପିଲେଟ ଚୋରମାନେ ଏହି କାରବାର ନିର୍ବିଘ୍ନ ଭାବେ କରୁଛନ୍ତି । ସୂତ୍ରରୁ ଜଣାପଡିଛି ଯେ, ଏହି ପିଲେଟ ଚୋରା କାରବାରରେ ଅଜସ୍ର ଟଙ୍କା କମାଉଥିବାରୁ ପିଲେଟ ପରିବହନ କାର୍ଯ୍ୟ କୁ କଳେ ବଳେ କୌଶଳେ ହାତେଇବା ପାଇଁ ସଂଘର୍ଷ ଚାଲିଛି । ଯାହାର ଫଳ ସ୍ୱରୂପ ଶୁକ୍ରବାର ପିଲେଟ ପରିବହନ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ଦୁଇ ପକ୍ଷ ଯୋଡା ପୋଲିସରେ ଅଭିଯୋଗ କରିଛନ୍ତି , ତେବେ ପୋଲିସ ଏହାର ଉଚିତ ତଦନ୍ତ କଲେ ପିଲେଟ ଚୋରା କାରବାରର ତଥ୍ୟ ଉନ୍ମୋଚନ ହୋଇପାରିବ । ଗତ କିଛିଦିନ ହେବ ଯୋଡା ଖଣି ମଣ୍ଡଳରେ ଆଇରନ୍ ମାଙ୍ଗାନିଜ ଚୋରାକାରବାର ସହିତ ପିଲେଟ ଚୋରାକାରବାର ଏକ କୁଟୀର ଶିଳ୍ପରେ ପରିଣତ ହେଲାଣି । ରାଜ୍ୟ ଖଣି ଏନଫୋର୍ସମେନ୍ଟ ସ୍କ୍ୱାର୍ଡ, ଜିଲାସ୍ତରୀୟ ଟ୍ୟାସ୍କ ଫୋର୍ସ ଓ ଜିଲା ପୋଲିସ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଚୋରାକାରବାରୀଙ୍କର ଉତ୍ସାହ ବଢିଯାଉଛି । ଆଗାମି ଦିନରେ ପରିବହନ , ରେଳ ଲୋଡିଂ ଇତ୍ୟାଦି କାର୍ଯ୍ୟକୁ ନେଇ ଯୋଡ।। ଉପତ୍ୟାକାରେ ଆହୁରି ସଂଘର୍ଷ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଯୋଡା ବିକାଶ ପରିଷଦର ସଭାପତି ନିଂରଜନ ବହିଦାର ।