ସ୍କୁଲ ବନ୍ଦ ପ୍ରତିବାଦରେ ଗ୍ରାମବାସୀଙ୍କ ଡ଼ିଇଓ ଅଫିସ ଘେରାଉ

ବୁଗୁଡା,(ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ, ବାଲିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି କଲମ୍ଵ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଶୀପୁର ଗ୍ରାମର ବିଦ୍ୟାଳୟରେ ମିଶ୍ରଣ କରିଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ ଏହାର ପ୍ରତିବାଦରେ ଡିସେମ୍ବର ୧୦ ତାରିଖ ଦିନ ବ୍ରହ୍ମପୁରସ୍ଥ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ (ଡ଼ିଇଓ)ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି। ନିଜ ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ପାଞ୍ଚାୟତ ର ସ୍କୁଲରେ ମିଶ୍ରଣକୁ ଦୃଢ ବିରୋଧ କରିବା ସହ ସଦାଶିବପୁର ଗ୍ରାମର କୋମଳ ମତି ପିଲାମାନେ ଦଶୀପୁର ଗ୍ରାମକୁ ଗଲାବେଳେ ସେମାନଙ୍କ ପ୍ରତି ବହୁତ ବିପଦ ଥିବା ଦର୍ଶାଇ ପିଲାମାନଙ୍କୁ ଦଶୀପୁର ସ୍କୁଲକୁ ପାଠ ପଢିବା ପାଇଁ ଛାଡ଼ିବୁ ନାହିଁ ବୋଲି ଦାବିପତ୍ର ପ୍ରଦାନ କରିଛନ୍ତି। ସଦାଶିବପୁର ଗ୍ରାମରୁ ଦଶୀପୁର ଗ୍ରାମ ରାସ୍ତା କଚା ସହ ନିଛାଟିଆ ଓ ଜଙ୍ଗଲିଆ ହୋଇଥିବା ଯୋଗୁଁ ନୟାଗଡ଼ ଜିଲାର ପରି ଘଟଣାର ପୁନରାବୃତ୍ତି କୁ ଏଡାଇ ଦିଆଯାଇ ପାରିବ ନାହିଁ। ଏଥିସହ ଦୁଇ ଗ୍ରାମ ମଧ୍ୟରେ ଦୁଇଟି ଖୋଲା ବିଦ୍ୟୁତ ଟ୍ରାନ୍ସଫର୍ମର, ଗୋଟିଏ ପୋଖରୀ ଓ ଗୋଟିଏ ଶ୍ମଶାନ ଥିବା ବେଳେ ପିଲାମାନେ ବିପଦର ସମ୍ମୁଖୀନ ହେବା ଯଥେଷ୍ଟ ସମ୍ଭାବନା ରହିଛି। ଏହି ସବୁ ବିଷୟ ନେଇ ପୂର୍ବତନ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ଅବଗତ କରାଇବା ସହ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଶ୍ରୀ କର ଅନୁସନ୍ଧାନ ପାଇଁ ଆଦୌ ନଆସି ମନମୁଖୀ ଭାବେ ବିଦ୍ୟାଳୟରେ ପିଲାମାନଙ୍କ ନାମମୋଦନ ନକରିବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇ କୋମଳ ମତି ପିଲାମାନଙ୍କୁ ବିପଦ ମୁଖକୁ ଠେଲି ଦେବାକୁ ଚେଷ୍ଟା କରିଛନ୍ତି। ଜଣେ ଅଧିକାରୀ ଭାବେ ଅଭିଯୋଗ ର ଅନୁସନ୍ଧାନ କରବା ପରିବର୍ତ୍ତେ ମନମୁଖୀ କାର୍ଯ୍ୟ ଯୋଗୁଁ ଯଦି ନିରୀହ ପିଲାଙ୍କ ଶିକ୍ଷା ଗ୍ରହଣରେ ବାଧା ସୃଷ୍ଟି ହୁଏ ତେବେ ସେଥିପାଇଁ ପୂର୍ବତନ ବିଇଓ ରସାନନ୍ଦ କର ହିଁ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଚଳିତ ଶିକ୍ଷା ବର୍ଷରେ ୨୫ ରୁ ଉର୍ଦ୍ଧ ପିଲା ପଢିବା ପାଇଁ ଅଭିଭାବକମାନେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ରସାନନ୍ଦ କର କର୍ଣ୍ଣପାତ କରି ନାହାଁନ୍ତି। ଏନେଇ ସଦାଶିବପୁର ଗ୍ରାମର ହର ମୋହନ ଖାଡଙ୍ଗା ଓସେପା କାର୍ଯ୍ୟାଳୟ ଅଭିଯୋଗ ପ୍ରକୋଷ୍ଠରେ କେସ ଆଇଡି ସିଏସ ୨୦୨୦୧୧୧୭୦୭ ତାରିଖ ୨୪/୧୧/୨୦୨୦ ପ୍ରକାରେ ଏକ ଅପିଲ କରିଛନ୍ତି। ଏହି ସବୁ ବିଷୟ ନେଇ ଗୁରୁବାର ଦିନ ସଦାଶିବପୁର ଗ୍ରାମବାସୀଙ୍କ ପକ୍ଷରୁ ବ୍ରହ୍ମପୁରସ୍ଥ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ପରେ ଡ଼ିଇଓ ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳଙ୍କୁ ନିଜ ପ୍ରକୋଷ୍ଠକୁ ଡକାଇ ଦାବିପତ୍ର ଗ୍ରହଣ କରିବା ସହ ଜିଲ୍ଲାପାଳଙ୍କୁ ସମସ୍ତ ବିଷୟ ଜଣାଇ ପିଲାମାନଙ୍କ ଭବିଷ୍ୟତ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ