ସଂଗଠନର ଦୁର୍ବଳତାକୁ ସୁଧାରିବା ପାଇଁ ବିଧାୟିକାଙ୍କ ବୈଠକ

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରର ବି.ଜେ.ଡି କାର୍ଯ୍ୟାଳୟ ଠାରେ ସଂଗଠନର ଦୁର୍ବଳତାକୁ ସୁଧାରିବା ପାଇଁ ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତ ଏକ ବୈଠକ କରିଛନ୍ତି । ଅପରାହ୍ନ ୨ ଘଟିକା ସମୟରେ ଅନୁଷ୍ଠିତ ଏହି ବୈଠକରେ ଚମ୍ପୁଆ ବିଧାୟୀକା ଅଧ୍ୟକ୍ଷତା କରିଥିବା ବେଳେ ଦଳର ବହୁ କର୍ମୀ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଦଳକୁ କିପରି ମଜବୁତ କରାଯିବ, ତୃଣମୂଳ ସ୍ତରରୁ ଆରମ୍ଭ କରି ସଂଗଠନକୁ ଦୃଢ କରିବା ଦିଗରେ ସମସ୍ତ କର୍ମୀଙ୍କର ସହଯୋଗ ଏକାନ୍ତ ଲୋଡା ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ପତିଆରା, କୁଶ ଆପଟ୍ଟ ଓ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଦଳ ପ୍ରତି ଥିବା ଆନୁଗତ୍ୟକୁ ନେଇ ଏକ ବର୍ଚ୍ଚସ୍ୱର ଲଢେଇ ଚମ୍ପୁଆ ନିର୍ବାଚନ ମଣ୍ଡଳିରେ ଜୋର୍ ଧରିଥିଲା । ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ସହିତ ବହୁ ଜନତା ଦଳ କର୍ମୀ ଏବଂ ବିଜୁ ଜନତା ଦଳ କର୍ମୀ, ସମର୍ଥକ ଥିଲେ ହେଁ ବର୍ତମାନର ବିଧାୟୀକା ମିନାକ୍ଷୀ ମହାନ୍ତ ନିଜର ଆନୁଗତ୍ୟ ମାନଙ୍କୁ ବିଭିନ୍ନ ପଦ ପଦବୀରେ ଅଳଙ୍କୃତ କରିବାରୁ ଦଳୀୟ ସଂଗଠନରେ ବିବାଦ ଦେଖାଦେଇଥିଲା । ପୁରୁଣା ବି.ଜେ.ଡି କର୍ମୀ ମାନେ କୋଣଠେସା ହୋଇଥିବାରୁ ଦଳ ପ୍ରତି ସମର୍ଥନ ରହିଥିଲେ ହେଁ, ନିରବତା ଆଚରଣ କରୁଥିଲେ । ଦଳର କୌଣସି ସଭା ସମିତିକୁ ସେମାନଙ୍କୁ ଡକାଯାଇନଥିବା ଅଭିଯୋଗ ଭୁବନେଶ୍ୱର ଠାରେ ଥିବା ଦଳର ବରିଷ୍ଠ ନେତୃ ବର୍ଗଙ୍କ ଠାରେ ପହଁଚିବା ପରେ ବିବାଦରେ ସୁଧାର ଆଣିବା ପାଇଁ ଓ ଅଭିମାନୀ କର୍ମୀ ମାନଙ୍କୁ ମନାଇବା ପାଇଁ ବିଧାୟୀକା ମିନାକ୍ଷୀ ମହାନ୍ତ, ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ, କୁଶ ଆପଟ୍ଟଙ୍କ ସମେତ ଯୋଡାର ବରିଷ୍ଠ କର୍ମୀ ମାନଙ୍କୁ ଡକାଇଥିଲେ, ମାତ୍ର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଗୋଡ ଭାଙ୍ଗି ପ୍ଲାଷ୍ଟର ହୋଇଥିବାରୁ ସେ ସଭାକୁ ଯାଇପାରିନଥିଲେ । ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଦଳ ପ୍ରତି ତାଙ୍କର ସମ୍ପୁର୍ଣ୍ଣ ସହଯୋଗ ଓ ସମର୍ଥନ ରହିଛି । ଏହି କର୍ମୀ ସମ୍ମିଳନୀରେ ତୃଣ ମୂଳ ସ୍ଥରରୁ ଜନହିତକର କାର୍ଯ୍ୟ ଗୁଡିକୁ କିପରି ଜନସାଧାରଣଙ୍କ ନିକଟରେ ପହଁଚା ଯାଇ ପାରିବ ଏ ନେଇ ବିସ୍ତୃତ ଭାବେ ଆଲୋଚନା ହେବା ସହିତ କର୍ମୀମାନେ ନିଜ ନିଜର ଅଭିଯୋଗ ବିଚାର ଓ ମତାମତ ବୈଠକରେ ଜଣାଇଥିଲେ । କୁଶ ଆପଟ୍ଟ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ତାଙ୍କର ସମସ୍ତ ସମର୍ଥକ ଓ ଦଳୀୟ କର୍ମୀମାନଙ୍କୁ ବିଧାୟୀକାଙ୍କ ଦ୍ୱାରା ଡକାଯାଇଥିବା ସଭା କୁ ସେ ପଠାଇଛନ୍ତି । ହେଲେ ସେ ଥଣ୍ଡା ଜ୍ୱରରେ ପୀଡିତ ଥିବାରୁ ସଭାକୁ ଆସି ପାରିନଥିବା କହିଥିଲେ । କର୍ମୀଙ୍କ ବଳ ବିନା ରାଜନୈତିକ ଦଳ ଦୁର୍ବଳ ହୋଇଯିବ । ଏଣୁ ଏହି ବଳ କୁ ଆଧାର କରି ସମ୍ପୁର୍ଣ୍ଣ ସହଯୋଗ କାମନା କରି ନିର୍ବାଚନ ମଣ୍ଡଳିକୁ ନିର୍ବିବାଦୀୟ ଓ ଶୃଙ୍ଖଳିତ କରିବେ ବୋଲି ବିଧାୟୀକା ମିନାକ୍ଷୀ ମହାନ୍ତ କହିଥିଲେ । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟବସାୟୀ ବିଜୁ ଜନତା ଦଳର ଆଢୁଆଳରେ ରହି ଶକ୍ତି ପ୍ରଦର୍ଶନ କରି ଚୋରା ଖଣିଜ କାରବାର, ଲୋଡିଂ, ଟ୍ରାନ୍ସପର୍ଟିଂ କାମକୁ ହାତେଇ ନେଉଥିବାରୁ ସଭାରେ କିଛି କର୍ମୀ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ । ତେବେ ଏହି ବୈଠକରେ ବି.ଜେ.ଡି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ବି.ଜେ.ଡି ଉପ ସଭାପତି ସଂଜିବ୍ ପଲେଇ, କେନ୍ଦୁଝର ଜିଲ୍ଲା ସଂଖ୍ୟା ଲଘୁ ସେଲ୍‌ର ସଭାପତି ଏମ୍‌ଡି. ନେସାର ହାୟତ୍‌, ଯୋଡା ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ସଞ୍ଜିବ ଆପଟ୍ଟ, ଯୋଡା ନଗର ସଭାପତି ଚତୁର୍ଭୁଜ ପଲେଇ, ପୂର୍ବତନ ଯୁବ ନଗର ସଭାପତି ମାନସ ଦାସ, ପୂର୍ବତନ ଯୋଡା ନଗରପାଳ ରବିନ୍ଦ୍ର କୁମାର ଦାସ, ମଞ୍ଜଳା ପାତ୍ର, ବରିଷ୍ଠ କର୍ମୀ ନିଳମଣୀ ମହାନ୍ତି, ବିନୁ ପଟ୍ଟନାୟକ, ସୁଶାନ୍ତ ବାରିକ, ଶୈଳେନ୍ଦ ଜରା, ମହେନ୍ଦ୍ର ମହାନ୍ତି, ପ୍ରଭୁ ରଂଜନ ଶତପଥୀ, ରବିନାରାୟଣ ଦାସଙ୍କ ସମେତ ବହୁ ସକ୍ରିୟ କର୍ମୀ ବୈଠକରେ ଉପସ୍ଥିତ ଥିଲେ । ତେବେ ପୂର୍ବାହ୍ନରେ ବିଲେଇପଦା ଠାରେ ବିଜୁ ଜନତା ଦଳର ଦଳୀୟ ନୂତନ କାର୍ଯ୍ୟାଳୟ ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏଥିରେ ଯୋଡା ବ୍ଲକ ବି.ଜେ.ଡି ସଭାପତି ଦିଲୀପ ନାଏକ, ଯୋଡା ବ୍ଲକ ଛାତ୍ର ବି.ଜେ.ଡି ସଭାପତି ଯୁଧିଷ୍ଠିର ପଲେଇଙ୍କ ସମେତ ଶତାଧିକ କର୍ମୀ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ