ପ୍ରଶାସନର ଅତ୍ୟାଚାର ବିରୋଧରେ ଚମ୍ପୁଆ ବିଧାୟୀକାଙ୍କ ଠାରେ ଲିଖିତ ଅଭିଯୋଗ କଲେ କାନପୁର ବିସ୍ତାପିତ ବୁଡି ଅଂଚଳବାସୀ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ବାସୁଦେବପୁର ଠାରେ ନିର୍ମାଣଧିନ କାନପୁର ବୃହତ ନଦୀବନ୍ଧ ଯୋଜନାରେ ବିସ୍ତାପିତ ହୋଇଥିବା ଅଂଚଳବାସୀ ପ୍ରଶାସନର ଅନ୍ୟାୟ ଅତ୍ୟାଚାର ବିରୋଧରେ ରବିବାର ଚମ୍ପୁଆ ବିଧାୟୀକା ଙ୍କୁ ଲିଖିତ ଭାବେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ରବିବାର ପୂର୍ବାହ୍ନରେ ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ଆଜକୁ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ରାଜ୍ୟ ସରକାରଙ୍କ ପକ୍ଷରୁ ବାସୁଦେବପୁର ଠାରେ ଓଡିଶାର ଦ୍ୱିତୀୟ ବୃହତ ନଦୀବନ୍ଧ ଯୋଜନା ନିର୍ମାଣ ନିଷ୍ପତି ନିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଅଛି । ଯୋଡା ବ୍ଲକ ଅନ୍ତର୍ଗତ ୩ ଟି ଗ୍ରାମପଂଚାୟତ ଯଥା- ଚମକପୁର, କଣ୍ଡରା ଓ ବିରକଳା ର ୧୬ ଗୋଟି ଗ୍ରାମର ଗ୍ରାମବାସୀ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ଥ ହୋଇଛନ୍ତି । ଦୀର୍ଘ ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ବିସ୍ତାପିତ ଅଂଚଳବାସୀ ଙ୍କୁ ଥଇଥାନ କରିପାରିନାହିଁ । ବରଂ ପ୍ରଶାସନ ବଳ ପୂର୍ବକ ବସବାସ କରି ରହୁଥିବା ଲୋକ ମାନଙ୍କର ଘର ଦ୍ୱାର କୁ ଉଚ୍ଛେଦ କରିବାକୁ ଉଦ୍ୟମ ଆରମ୍ଭ କରିଛି । ବାରମ୍ଭାର ବିସ୍ତାପିତ ଅଂଚଳବାସୀ ନିଜର ମୌଳିକ ସୁବିଧା ପାଇଁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ, ସେମାନଙ୍କୁ କୌଣସି ସୁଫଳ ମିଳିପାରି ନାହିଁ । ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀ ଯୁବକ ମାନଙ୍କୁ ଅତିରିକ୍ତ ବିସ୍ତାପିତ ସହାୟତା ରାଶି ପ୍ରଦାନ କରାଯାଇ ନାହିଁ । ପୁନଃର୍ବାସ ସ୍ଥାନରେ ବିସ୍ତାପିତଙ୍କ ପାଇଁ ମଶାଣୀ, ତୁଠପାଟ, ଖେଳ ପଡିଆ, କ୍ଲବ୍ ଘର, ବିଦ୍ୟାଳୟ, ଚିକିତ୍ସାଳୟ, ପାନୀୟ ଜଳର ସୁବିଧା ପ୍ରଭୃତି ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇ ନାହିଁ । ଏପରିକି ବିସ୍ତାପିତ ଅଂଚଳରେ ଆଦିବାସୀଙ୍କ ଧର୍ମ ଓ ସଂସ୍କୃତିକୁ ପଦାଘାତ କରି ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଜାରି କରିଥିବା ଅଭିଯୋଗ ରେ ଉଲ୍ଲେଖ କରାଯାଇଛି । ସମ୍ବିଧାନରେ ଧର୍ମ ସଂସ୍କୃତିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସାମ୍ବିଧାନିକ ବ୍ୟବସ୍ଥା ଥିବା ସତ୍ୱେ ମଧ୍ୟ ପ୍ରଶାସନ ଜୋର୍ ଜବରଦସ୍ତ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଥିବା ଚମକପୁର ଗ୍ରାମପଂଚାୟତର ସରପଂଚ ନରହରି ନାଏକ, ନାଏବ ସରପଂଚ ଯୋଶଦା ନାଏକ, ହରେକୃଷ୍ଣ ପାତ୍ର ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।


