କର୍ପୋରେଟ୍‌କୁ ବ୍ୟାଙ୍କ ଅନୁମତି ଅଗ୍ନିପରୀକ୍ଷା, ଅଣ ପାରମ୍ପରିକ ପଦକ୍ଷେପ ନେବାରେ ଧୁରନ୍ଧର ଶକ୍ତିକାନ୍ତ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ନିଜର ତୃତୀୟ ବର୍ଷ କାର୍ଯ୍ୟକାଳ ଆରମ୍ଭ କରିଥିବା ବେଳେ ତାଙ୍କ ସାମ୍ନାରେ ଅନେକ ଆହ୍ବାନ ରହିଛି। ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ କମିଟି କର୍ପୋରେଟ୍‌ ସଂସ୍ଥାକୁ ବ୍ୟାଙ୍କ ଖୋଲିବାର ଅନୁମତି ଦେବାକୁ ସୁପାରିସ କରିଛି। ଯଦିଓ ଏହା ରିଜର୍ଭ ବ୍ୟାଙ୍କର ମତ ନୁ‌ହେଁ ବୋଲି ଶକ୍ତିକାନ୍ତ କହିସାରିଛନ୍ତି, ତେବେ ଆଗାମୀ ଦିନରେ ଏହା ବାସ୍ତବ ରୂପ ନେବ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ। ସରକାର ସବୁବେଳେ ପୁଞ୍ଜିପତିଙ୍କୁ ସୁହାଇବା ଭଳି ନୀତି ଆଣୁଛନ୍ତି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ସେଭଳି ଏକ ସମୟରେ ଏହି ପ୍ରସଙ୍ଗ ଶକ୍ତିକାନ୍ତଙ୍କ ପାଇଁ ଏକ ବଡ଼ ଅଗ୍ନିପରୀକ୍ଷା ସଦୃଶ। ସେହିପରି କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସଜାଡ଼ିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ପାଖରେ ଥିବା ପ୍ରାୟ ସବୁ ଅସ୍ତ୍ର ବ୍ୟବହାର କରିସାରିଛି। କିନ୍ତୁ ନିୟମିତ ବ୍ୟବଧାନରେ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ଗ୍ରହଣ କରି ଜନତା ଏବଂ ବଜାରକୁ ଚମକାଇବାର ଦକ୍ଷତା ରଖୁଥିବା ଶକ୍ତିକାନ୍ତଙ୍କ ଅସ୍ତ୍ରାଗାରରେ ଆଉ କ’ଣ ଅସ୍ତ୍ର ରହିଛି ତାହା ଆଗାମୀ ଦିନରେ ଜଣାପଡ଼ିବ।ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ଭିତରେ ଶକ୍ତିକାନ୍ତ ଅନେକ ସଫଳତା ହାସଲ କରିଥିଲେ। ଅଣ ପାରମ୍ପରିକ ପଦକ୍ଷେପ ଗ୍ରହଣ କରିବାରେ ସେ ଧୁରନ୍ଧର। ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରାୟ କେହି ଧ୍ୟାନ ଦିଅନ୍ତି ନାହିଁ ଶକ୍ତିକାନ୍ତ ତାହା ସଫଳତାର ସହ ଗ୍ରହଣ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ସରକାରଙ୍କୁ ଐତିହାସିକ ପାଣ୍ଠି ହସ୍ତାନ୍ତର କରିବା ଠାରୁ ଆରମ୍ଭ କରି ନନ୍-ପରଫରମିଂ ଆସେଟ୍‌ (ଏନ୍‌ପିଏ) ଜାଲରେ ଛନ୍ଦି ହୋଇପଡ଼ିଥିବା ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କର କଠୋର ବ୍ୟବସ୍ଥାରୁ ବାହାର କରିବାରେ ସେ ସଫଳ ହୋଇଥିଲେ। ୨୦୧୯ ଫେବ୍ରୁଆରି ପରଠାରୁ ସେ ରେପୋ ହାରରେ ୧.୩୫% ହ୍ରାସ କରି ଚର୍ଚ୍ଚିତ ହୋଇଥିଲେ। ଏହି ପଦରେ ଯୋଗ ଦେବା ବେଳେ ସରକାର ଏବଂ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିଶ୍ବାସର ଯେଉଁ ଅଭାବ ସୃଷ୍ଟି ଦେଖାଦେଇଥିଲା ତାହାକୁ ସେ ଦୂର କରିପାରିଥିଲେ।ସମସ୍ତ ଅଂଶୀଦାର ଯଥା ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି), ଏମ୍ଏସ୍‌ଏମ୍ଇ, ଶିଳ୍ପ ସଂଘ, ବିଦେଶୀ ନିବେଶକ, କ୍ରେଡିଟ୍ ରେଟିଂ ଏଜେନ୍ସି ଓ ମନି ମାର୍କେଟ୍‌ର ଡିଲରମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବାକୁ ଶକ୍ତିକାନ୍ତ ପ୍ରୟାସ କରୁଥିଲେ। ଶକ୍ତିକାନ୍ତଙ୍କ ଉଦ୍ୟମ ଯୋଗୁଁ ୨୦୧୯ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ୧,୭୬,୦୫୧ କୋଟି ଟଙ୍କାର ପାଣ୍ଠି ହସ୍ତାନ୍ତର କରାଯାଇଥିଲା। ତାଙ୍କ ପ୍ରୟାସ ଯୋଗୁଁ ରିଜର୍ଭ ବ୍ୟାଙ୍କର କଠୋର ପ୍ରମ୍ପଟ୍‌ କରେକ୍ଟିଭ୍ ଆକ୍ସନ (ପିସିଏ) ଫ୍ରେମ୍‌ୱର୍କରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ଓରିଏଣ୍ଟାଲ୍‌ ବ୍ୟାଙ୍କ ସଫଳତାର ସହ ବାହାରି ପାରିଥିଲେ। ରିଜର୍ଭ ବ୍ୟାଙ୍କ ହ୍ରାସ କରୁଥିବା ସୁଧର ଲାଭ ଯେଭଳି ଗ୍ରାହକଙ୍କ ନିକଟରେ ପହଞ୍ଚି ତାହା ନିଶ୍ଚିତ କରିବା ଲାଗି ସେ ଋଣ ସୁଧ ସହ ରେପୋ ହାରକୁ ଯୋଡ଼ିବା ଲାଗି ବ୍ୟାଙ୍କଗୁଡ଼ିକୁ ମନାଇବାରେ ସଫଳ ହୋଇଥିଲେ। ଡିଜିଟାଲ୍ ପେମେଣ୍ଟ୍‌କୁ ସୁଦୃଢ଼ କରିବା ଲାଗି ୨୦୨୦ ଜାନୁଆରିରୁ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ସ ଫଣ୍ଡ୍‌ ଟ୍ରାନ୍ସଫର୍‌ (ଏନ୍‌ଇଏଫ୍‌ଟି)କୁ ୨୪ ଘଣ୍ଟା ଉପଲବ୍ଧ କରାଯାଇଥିଲା। ଚଳିତ ମାସ ୧୪ରୁ ରିଅଲ ଟାଇମ୍ ଗ୍ରସ୍‌ ସେଟଲ୍‌ମେଣ୍ଟ୍‌ (ଆର୍‌ଟିଜିଏସ୍‌)କୁ ୨୪ ଘଣ୍ଟା ଉପଲବ୍ଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ