ଅଜଣା ଗାଡି ଧକ୍କାରେ ଫାର୍ମାସିଷ୍ଟ ଗୁରୁତର; କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର
ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ବ୍ଳକ୍ ର ବୋରି, କୁମୁଣ୍ଡି, ବିଞ୍ଝଗିରୀ, ଗୋପନଗର ଆଦି ଅଞ୍ଚଳରେ ବୁଲି ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝୁଥିବା ଧରାକୋଟ ଗ୍ରାମର ସୁଜିତ୍ କୁମାର ହୋତା ନାମକ ଜଣେ ଫାର୍ମାସିଷ୍ଟ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି I ସୂଚନା ପ୍ରକାରେ ଗତ କାଲି ସନ୍ଧ୍ୟାବେଳେ ଶ୍ରୀ ହୋତା ନିଜ ଟିଭିଏସ୍ ଏକ୍ସେଲ ଗାଡ଼ିରେ ଜାହାଡା ଗ୍ରାମର ଜିଲୁ ପାଢୀଙ୍କ ସହ ଆସ୍କାରୁ ଔଷଧ ଧରି ନିଜ ଗ୍ରାମକୁ ଫେରୁଥିବା ସମୟରେ ଧରାକୋଟ ବ୍ଳକ୍ ଭଣ୍ଡାରିବସା ଓ ମୁଣ୍ଡମରେଇ ଗ୍ରାମ ମଝିରେ ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେବା ଫଳରେ ଉଭୟେ ମୋଟରସାଇକେଲ୍ ରୁ ଛିଟିକି ପଡ଼ିଥିଲେ I ସ୍ଥାନୀୟ କିଛି ଲୋକ ଉଭୟକୁ ଉଦ୍ଧାର କରି ମୁଣ୍ଡମରେଇ ମେଡିକାଲରେ ଭର୍ତ୍ତି କରିଥିଲେ I ସେଠାରେ ଜିଲୁକୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ସୁଜିତ୍ ଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି I ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କଥା ବିଶେଷ ସୂତ୍ରରୁ ସୂଚନା ମିଳିଛି I ସୁଜିତଙ୍କ ଦୁର୍ଘଟଣା ଖବର ଶୁଣି ସେ ଚିକିତ୍ସା ଯୋଗାଉଥିବା ଗ୍ରାମ ଗୁଡିକର ଜନ ସାଧାରଣ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ଯ କାମନା କରିଛନ୍ତି I


