ନିଖିଳ ଓଡିଶା ଅଣ ନିଯୁକ୍ତି ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଙ୍ଘ ପକ୍ଷରୁ ପୁନଃନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ନିଖିଳ ଓଡିଶା ଅଣ ନିଯୁକ୍ତି ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଙ୍ଘ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଗୋଷ୍ଠି ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋଭିଡ ସ୍ୱାବ କଲେକସନ ନିମନ୍ତେ କୋଭିଡ-୧୯ ସମୟରେ ୭୬ଜଣ ଏ.ଏନ.ଏମ.ଙ୍କୁ ମଲଟି ପରପୋଜ ହେଲଥ ୱାର୍କରସ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । କୋଭିଡ ସମୟରେ ଘରକୁ ଘର ବୁଲି ସର୍ଭେ କରିବା, ଟ୍ରେସିଂ କରିବା, ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ସାଧାରଣ ଜନତାଙ୍କୁ କୋଭିଡ ସମ୍ପର୍କରେ ସଚେତନ କରିବା କାର୍ଯ୍ୟ ସେମାନେ ଜିଲ୍ଲାର ବିଭିନ୍ନ ଅଚଂଳରେ କରୁଥିଲେ । ସେମାନେ ଜରୁରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ କୋଭିଡ ସମୟରେ ଅତ୍ୟନ୍ତ ନିଷ୍ଠାପର ଓ ସମର୍ପିତ ଭାବରେ ନିଜ ନିଜର ଦାୟୀତ୍ୱ ସମ୍ପାଦନ କରୁଥିଲେ । କିନ୍ତୁ ଏବେ ପ୍ରଶାସନ ସେମାନଙ୍କୁ ଗତ ଡିସେମ୍ବରମାସ ୩୧ତାରିଖରୁ ଚାକିରୀରୁ ବିଦା କରିଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ଯାହା ଦ୍ୱାରା ସେମାନେ ସେମାନଙ୍କର ଜୀବିକା ହରାଇବା ସହ ପରିବାର ଚଳେଇବା ପାଇଁ ସେମାନଙ୍କ ପକ୍ଷେ ବହୁ ଅସୁବିଧା ଓ ସମସ୍ୟା ସୃଷ୍ଟି କରିବ । ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ମଲଟି ପରପୋଜ ହେଲଥ ୱାର୍କରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । କୋଭିଡ – ୧୯ ସମୟରେ ଦକ୍ଷତାର ସହିତ ଲୋକମାନଙ୍କୁ ଜରୁରୀ ସେବା ଯୋଗାଇଦେଇଥିବା ଏହି ଏମ.ପି.ଏଚ.ଡବ୍ଲୁ.(ଏଫ) ମାନଙ୍କୁ କୋଭିଡ-୧୯ ଯୋଦ୍ଧା ପ୍ରମାଣପତ୍ର ସହିତ ୯ମାସ ଧରି କାର୍ଯ୍ୟ କରିଥିବା ପ୍ରମାଣପତ୍ର ସେମାନଙ୍କୁ ଯୋଗାଇଦେବା, ଖାଲିଥିବା ପଦରେ ସେମାନଙ୍କୁ ରେଗୁଲାର ନିଯୁକ୍ତି ପ୍ରଦାନ କରାଯିବା, ରାଜ୍ୟର ବିଭିନ୍ନ ପଂଚାୟତ,ପୈାରସଂସ୍ଥା ପ୍ରଭୃତିରେ ଥିବା ସବ ସେଂଟର, ୱେଲନେସ ସେଂଟର ଗୁଡିକରେ ସେମାନଙ୍କୁ ଏନ.ଏଚ.ଏମ. ନିୟମ ଅନୁଯାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବାକୁ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଶିଳ୍ପାରାଣୀ ଖଟୁଆ, ସାଧାରଣ ସମ୍ପାଦିକା ସଂଯୁକ୍ତା ସାହୁ, ରାଜ୍ୟ ସଙ୍ଘର ସଭାପତି ବିଷ୍ଣୁପ୍ରିୟା ଖଣ୍ଡେଇସିଂ, ଅନୁପମା ରାଉତରାୟ, ସୁଶ୍ରୀ ସାମନ୍ତରାୟ, ପୁଜାରାଣି ବେହେରା, ତପସ୍ୱିନୀ ମଲ୍ଲିକ, କଲ୍ୟାଣୀ ରାଉତ, କାଦମ୍ବିନୀ ପ୍ରଧାନ, ଗାୟତ୍ରି ବରାଳ, ଶ୍ରୀମତୀ ମଲ୍ଲିକ, ସଂଗୀତା ମଲ୍ଲିକ, ରୁବିତା ତରେଇ, ସାଗରିକା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ