ଆଜି ମୋଦୀ-ଜିନପିଙ୍ଗ ଭେଟ
ମମଲ୍ଲାପୁରମ୍:ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଆସନ୍ତାକାଲିଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂଜିନପିଙ୍ଗ ମଧ୍ୟରେ ଦ୍ୱିତୀୟ ଶିଖର ସମ୍ମିଳନୀ ହେବ । ତାମିଲନାଡ଼ୁର ମମଲ୍ଲାପୁରମରେ ହେବାକୁ ଥିବା ଏହି ଅନୌପଚାରିକ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପ୍ରାଚୀନ ଉପକୂଳ ସହର ମମଲ୍ଲାପୁରମ୍ ଏବେ ଏକ ଦୁର୍ଗରେ ପରିଣତ ହୋଇଛି । ସୁରକ୍ଷା କଡ଼ାକଡ଼ି କରାଯିବା ସହ ସହରର ସୌନ୍ଦର୍ଯ୍ୟକରଣ ଦିଗରେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ହୋଇଛି । ୫,୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ତାମିଲନାଡ଼ୁର ବିଭିନ୍ନ ଜିଲ୍ଲାର ପୁଲିସ ଅଧିକାରୀଙ୍କୁ ମମଲ୍ଲାପୁରମରେ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ଦୁଇ ରାଷ୍ଟ୍ରନେତାଙ୍କ ସୁରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ ଫାଣ୍ଡି ପ୍ରତିଷ୍ଠା କରାଯାଇଛି । କେବଳ ମମଲ୍ଲାପୁରମ୍ ନୁହେଁ ଚେନ୍ନାଇ ବିମାନବନ୍ଦରକୁ ମଧ୍ୟ ସୁସଜ୍ଜିତ କରାଯାଇଛି । ବିମାନବନ୍ଦରକୁ ପାରମ୍ପରିକ ଢଙ୍ଗରେ କଦଳୀ ପତ୍ର, ଫୁଲ ଏବଂ ଫଳରେ ସଜାଯାଇଛି । ମୋଦୀ, ଜିନପିଙ୍ଗ ସ୍ୱାଗତ କରିବାପାଇଁ ଚେନ୍ନାଇ ବିମାନବନ୍ଦରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବିମାନବନ୍ଦରରେ ମଧ୍ୟ ଦେବୀ ମିନାକ୍ଷୀଙ୍କର ଏକ ୮ଫୁଟର ପ୍ରସ୍ତର ମୂର୍ତ୍ତି ଅସ୍ଥାୟୀ ଭାବେ ସ୍ଥାପନ କରାଯାଇଛି । ପ୍ରାୟ ୨୦୦୦ରୁ ଅଧିକ ସ୍କୁଲ୍ ଛାତ୍ରଛାତ୍ରୀ ଜିନପିଙ୍ଗ ମାସ୍କ ପିନ୍ଧି ତାଙ୍କୁ ସ୍ୱାଗତ କରିବେ । ଆସନ୍ତାକାଲି ଅପରାହ୍ନ ୪ଟାରେ ଜିନପିଙ୍ଗ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବାପରେ ତାଙ୍କୁ ତାମିଲନାଡ଼ୁ ରାଜ୍ୟପାଳ ବନୱରିଲାଲ୍ ପୁରୋହିତ, ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଏବଂ ଅନ୍ୟ ପ୍ରମୁଖ ନେତାମାନେ ସ୍ୱାଗତ କରି ପାଛୋଟି ନେବେ । କଶ୍ମୀର ପ୍ରସଙ୍ଗରେ ଚୀନ୍ ପାକିସ୍ତାନର ନୀତିକୁ ଦୃଢ଼ ସମର୍ଥନ କରୁଥିବାରୁ କଂଗ୍ରେସ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିଛି । ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ସିଧାସଳଖ ପାକିସ୍ତାନ ସମର୍ଥନରେ ବୟାନ ଦେଇଥିବାରୁ ଭାରତ ଏହାକୁ କାହିଁକି ଜୋରଦାର ବିରୋଧ କରୁନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଚୀନ୍ ରାଷ୍ଟ୍ରପତି “ଆମେ କଶ୍ମୀର ଉପରେ ଦୃଷ୍ଟି ରଖିଛୁ ଏବଂ ପାକିସ୍ତାନର ସ୍ୱାର୍ଥର ସୁରକ୍ଷା କରିବୁ ବୋଲି କହିଥିବାରୁ ଏହାର ଜବାବ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି “ଆମେ ହଂକଂ ଏବଂ ଦକ୍ଷିଣ ଚୀନ୍ ସାଗର ଉପରେ ଦୃଷ୍ଟି ରଖିଛୁ ‘ ବୋଲି କହୁନାହାନ୍ତି ବୋଲି କଂଗ୍ରେସ କହିଛି । ଚୀନ୍ ରାଷ୍ଟ୍ରପତି ଆସନ୍ତାକାଲି ଭାରତ ଗସ୍ତରେ ଆସିବା ପୂର୍ବରୁ କଂଗ୍ରେସ ଏଭଳି ପ୍ରତିକ୍ରିୟା ଦେଇଛି । କଶ୍ମୀର ସମସ୍ୟା ଭାରତର ଆଭ୍ୟନ୍ତରୀଣ ମାମଲା । ଚୀନ୍ ଏଥିରେ ବାରମ୍ବାର ହସ୍ତକ୍ଷେପ କରିବା ସତ୍ତେ୍ୱ ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଚୁପ୍ ରହୁଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ମନିଷ୍ ତିୱାରୀ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଚୀନ୍ ଗସ୍ତରେ ଯାଇଥିବା ବେଳେ ଚୀନ୍ ରାଷ୍ଟ୍ରପତି ପାକିସ୍ତାନକୁ ସାନ୍ତ୍ୱନା ଦେବାକୁ ଯାଇ କଶ୍ମୀର ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଥିଲେ । ଭାରତ ହଂକଂ ଏବଂ ଦକ୍ଷିଣ ଚୀନ୍ ସାଗର ମାମଲା ଉଠାଇବା ଉଚିତ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏ ଦିଗରେ ତତ୍ପରତାର ସହ କାର୍ଯ୍ୟ କରବାକୁ ତିୱାରୀ କହିଛନ୍ତି ।