ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ ନିର୍ଦେଶକ୍ରମେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ କେନ୍ଦ୍ରାପଡା ପଂଚାୟତ ସମିତି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଅମ୍ରୁତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରି ଆମ ସରକାର ମହିଳା ସଶକ୍ତିକରଣ ପାଇଁ ବହୁ ଆଇନ ପ୍ରଣୟନ କରିଛନ୍ତି । ଆମେମାନେ ଅଧିକ ପାଠପଢି ମଧ୍ୟ ସମାଜରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ବିରୋଧ କରୁନାହାନ୍ତି । ଆମକୁ ଏଥିପ୍ରତି ଅଧିକ ସଚେତନ ହୋଇ ଆଗକୁ ବଢିବା ସହ ସମାଜରୁ ମହିଳାଙ୍କ ପ୍ରତି ହେଉଥିବା ଏଭଳି ଅନ୍ୟାୟ ଅତ୍ୟାଚାରର ମୂଳତ୍ପାଟନ ପାଇଁ କାର୍ଯ୍ୟକରିବାକୁ ପଡିବ ଓ ମହିଳାମାନେ ଆତ୍ମ ନିର୍ଭରଶୀଳ ହେବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ ବାଳିକାମାନଙ୍କ ପ୍ରତି ଥିବା ମାଗଣା ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିଶୁ ମଙ୍ଗଳ ସମିତି ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର ଅତିଥି ଭାବରେ ଯୋଗଦେଇ କମ ବୟସର ଝିଅମାନେ ଭୁଲ ବାଟରେ ଯାଇ ଲାଞ୍ଛନାର ଶୀକାର କରାଇ କମ ବୟସରେ ମାତୃତ୍ୱ ହାସଲ କରି ସମାଜର ମୂଖ୍ୟ ସ୍ରୋତରୁ ଦୂରେଇଯାଇ ନିଜର ଜୀବନକୁ ଅଭିଶାପ ବୋଲି ଭାବୁଛନ୍ତି । ସେଥିପାଇଁ କମ ବୟସରେ ବିବାହ ପ୍ରଥାକୁ ବନ୍ଦ କରିବା ପାଇଁ ସଚେତନତା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ଜିଲ୍ଲା ମିଶନଶକ୍ତି ସଂଯୋଜକ କୈଳାସ ଚନ୍ଦ୍ର ସେନାପତି ଯୋଗଦେଇ ସରକାର ମହିଳାମାନଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ୩ଜଣ କିଶୋରୀ ବାଳିକା କିଶୋରୀ ବୟସରେ କଣ କରିବା ଉଚିତ ଓ ଅନୁଚିତ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରତି ବ୍ଲକର ଜଣେ ଅଙ୍ଗନୱାଡିକର୍ମି, ଜିଲ୍ଲାର ୨ଟି ଶିଶୁଯତ୍ନ ଅନୁଷ୍ଠାନର ୨ଜଣ କୃତି ବାଳିକାଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଡିପିଓ, କ୍ଷେତ୍ରପରିଦର୍ଶିକା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତା, ଅଙ୍ଗନୱାଡିକର୍ମୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ