ସମବାୟ କର୍ମଚାରୀଙ୍କୁ ଚାନ୍ଦା ମାଗିବା ଅଭିଯୋଗ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନାଆମୀ ସେବା ସମବାୟ ସମିତିରେ କମ୍ପ୍ୟୁଟର କର୍ମଚାରୀ ଭାବେ କାର୍ଯ୍ୟରତ ସୁଶାନ୍ତ କୁମାର ନାୟକଙ୍କୁ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଗତ ବୁଧବାର ଦିନ ସୁଶାନ୍ତ ଅଫିସରେ କାର୍ଯ୍ୟ କରୁଥିବାବେଳେ କିଛି ଦୁର୍ବୁତ୍ତ ସେଠାରେ ପହଞ୍ଚି ତାଙ୍କୁ ଚାନ୍ଦା ମାଗିଥିଲେ । ସେ ଏହାକୁ ବିରୋଧ କରି ଚାନ୍ଦା ଦେବାକୁ ବନ୍ଦ କରିବାରୁ ସେମାନେ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ଧାନକିଣାରେ ବହୁତ ଟଙ୍କା ରୋଜଗାର କରୁଛ ବୋଲି କହି ଜବରଦସ୍ତ ଚାନ୍ଦା ପାଇଁ ମାରଧର କରିଥିଲେ । ଏହା ସହିତ ତାଙ୍କ ପକେଟରୁ ଜବରଦସ୍ତ ୫ହଜାର ଟଙ୍କା ମଧ୍ୟ ଛଡାଇ ନେଇଥିଲେ । ଏନେଇ ସୁଶାନ୍ତ ପୋଲିସ ନିକଟରେ ରଞ୍ଜନ ସାହୁ, ସନିଆ ସାହୁଙ୍କ ସମେତ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଛନ୍ତି । ଘଟଣାର ପ୍ରତ୍ୟକ୍ଷ ସାକ୍ଷୀ ରହିଥିବାବେଳେ ପୋଲିସର ନିରପେକ୍ଷ ତଦନ୍ତକୁ ଆଶା କରି ଆକ୍ରମଣରେ ଶିକାର ହୋଇଥିବା କର୍ମଚାରୀ ନ୍ୟାୟ ଅପେକ୍ଷାରେ ରହିଛନ୍ତି । ଖବର ଲେଖାହେବା ଯାଏଁ ଥାନା ପକ୍ଷରୁ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି ।


