ଇକୋ-ଫ୍ରେଣ୍ଡଲି ରଙ୍ଗରେ ଭିଜିଲେ ସାରା ପରିବାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରଙ୍ଗ, ପ୍ରେମ ଓ ଭାଇଚାାରାର ପର୍ବ ହୋଲିକୁ ସାରା ପରିବାରର ସଦସ୍ୟମାନେ ଏକାଠି ହୋଇ ଏକ ନିଆରା ଢଙ୍ଗରେ ପାଳନ କରି ସମଗ୍ର ରାଜ୍ୟରେ ପ୍ରଥମ ଉଦାହରଣ ସୃଷ୍ଟି କରିଛନ୍ତି । ସ୍ମାର୍ଟ ନଗରୀ ଭୁବନେଶ୍ୱରର ବରବାରିସ୍ଥିତ ଅର୍ଚ୍ଚିତା ରେସିଡେନ୍ସିର ବାସିନ୍ଦା ସାହୁ ପରିବାର ମହାମାରୀ କରୋନା ଯୋଗୁ ପରିବାରର କେହି ସଦସ୍ୟ ବାହାରକୁ ନଯାଇ ନିଜ ଘରେ ଏହାକୁ ନିରାଡମ୍ବର, ସ୍ୱତନ୍ତ୍ର ଓ ସୁନ୍ଦରଭାବେ ପାଳନ କରି ଏହାର ମଜା ଉଠାଇଥିଲେ । ଉତ୍ସବରେ ଦେଖିବାକୁ ମିଳିଥିଲା କିଏ କାହା ପାଦରେ ଅଳତା ଲଗାଇ ଦେଉଥାଏ ତ, ଆଉ କିଏ ହାତରେ ମେହେନ୍ଦି ପକାଇଦେଉଥାଏ, ଆଉ କେହି ନଖରେ ନେଲ୍ପଲିସ୍ ଲଗାଇ ଦେଉଥାଏ ତ, ଆଉ କିଏ ମଥାରେ ସିନ୍ଦୁର ଲଗାଇ ଦେଉଥାଏ, ଆଉ କେହି କେହି ପରସ୍ପର ଗାଲରେ ଚନ୍ଦନ-ହଳଦୀ ଲଗାଇ ମିଷ୍ଟାନ୍ନ ଖୁଆଇ ହୋଲି ଶୁଭେଚ୍ଛା ଜଣାଉଥିଲେ । ଘରର ବୟୋଜ୍ୟେଷ୍ଠ ତଥା ଗୁରୁଜନମାନେ ବୋହୁ ଓ ନାତିନାତୁଣୀମାନଙ୍କ ମୁଣ୍ଡ ଉପରେ ନାନା ରଙ୍ଗର ଫୁଲ ପକାଇ ହୋଲି ଭରିଦେଉ ଜୀବନରେ ସାତରଙ୍ଗ କହି ଆଶୀର୍ବାଦ ଦେଇ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ବିଶ୍ୱନାଥ ସାହୁଙ୍କ ଦୁଇ ସୁପୁତ୍ର ବିକ୍ରମ କୁମାର ସାହୁ ଏବଂ ସଂଗ୍ରାମ କେଶରୀ ସାହୁ ଏହି ନିଆରା ନିରାଡ଼ମ୍ବର ପରିବେଶ ଉପଯୋଗୀ ହୋଲି ଉତ୍ସବକୁ ଆୟୋଜନ କରିଥିଲେ । ଇକୋ-ଫ୍ରେଣ୍ଡ୍ଲି ହୋଲି ଆୟୋଜନ ସମ୍ପର୍କରେ ସଂଗ୍ରାମ କୁହନ୍ତି, ବଜାରରେ ଉପଲବ୍ଧ ହେଉଥିବା ରାସାୟନିକ ରଙ୍ଗ କିଣି ପ୍ରତିବର୍ଷ ହୋଲି ଖେଲିଥାଉ । ପରବର୍ତ୍ତୀ ସମୟରେ ଆମ ଶରୀର ଉପରେ ଅନେକ କୁପ୍ରଭାବ ବି ସୃଷ୍ଟି କରିଥାଏ । ଚଳିତବର୍ଷ ମୋର ବନ୍ଧୁ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ ପରିବେଶ ଉପଯୋଗୀ ରଙ୍ଗରେ ହୋଲି ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ । ପରିବାର ଆତ୍ମୀୟ ସ୍ୱଜ୍ଜନ ଏହି ଚିନ୍ତାଧାରାରେ ପ୍ରଭାବିତ ହେବା ସହ ସ୍ୱାଗତ ବି କରିଥିଲେ । ପ୍ରତିବର୍ଷ ଏଭଳି ନିରାଡ଼ମ୍ବର ପରିବେଶ ଉପଯୋଗୀ ରଙ୍ଗର ପର୍ବ ହୋଲିକୁ ଆୟୋଜନ କରିବୁ । ବାସ୍ତବିକ ଏହାର ମଜା ସମ୍ପୂର୍ଣ୍ଣ ନିଆରା ବୋଲି ସଂଗ୍ରାମ କହିଛନ୍ତି । ଏଭଳି ହୋଲି ଉତ୍ସବ ରାଜ୍ୟରେ ପ୍ରଥମ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।